jayashree

ସୂଚନା ଓ ଲୋକସମ୍ପର୍କ ବିଭାଗର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକଙ୍କ ଜିଲ୍ଲା ମହକୁମା ଛତ୍ରପୁର ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ବସନ୍ତ କୁମାର ପ୍ରଧାନ ଆଜି ଛତ୍ରପୁରସ୍ଥିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ବ୍ରହ୍ମପୁରଠାରେ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଛତ୍ରପୁର ଗସ୍ତ ଥିଲା । ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ କାର୍ଯ୍ୟାଳୟର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ସେ ବିଭିନ୍ନ ରେଜିଷ୍ଟର, କର୍ମଚାରୀ ବିବରଣୀ, ନଥିପତ୍ର ଏବଂ ଦୃଶ୍ୟ-ଶ୍ରାବ୍ୟ ଯନ୍ତ୍ରପାତି ଅନୁଧ୍ୟାନ କରିଥିଲେ । ଏଥିସହ ସୂଚନା କେନ୍ଦ୍ର ଓ ପାଠାଗାରରେ ଉପଲବ୍ଧ ଖବରକାଗଜ, ପତ୍ରିକା, ‘ଉତ୍କଳ ପ୍ରସଙ୍ଗ’, ‘ଓଡ଼ିଶା ରିଭ୍ୟୁ’, ‘ପ୍ରଗତି ପ୍ରବାହ’ ଏବଂ ଅନ୍ୟାନ୍ୟ ପୁସ୍ତକର ଷ୍ଟକ୍ ରେଜିଷ୍ଟର ମଧ୍ୟ ଯାଞ୍ଚ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟାଳୟର ସମସ୍ତ ସରକାରୀ କାର୍ଯ୍ୟ ସଠିକ୍ ଓ ସୂଚାରୁ ରୂପେ ସମ୍ପାଦିତ ହେଉଥିବା ଦେଖି ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ବ୍ୟତୀତ ସେ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ । ଉପନିର୍ଦ୍ଦେଶକଙ୍କ ଏହି ଗସ୍ତ ସମୟରେ ବରିଷ୍ଠ ରାଜସ୍ୱ ସହାୟକ ଜଗନ୍ନାଥ ବେହେରା, ରୂପଶ୍ରୀ କବି, ଗ୍ରନ୍ଥାଗାରିକ ଶ୍ୟାମଘନ ପାତ୍ର, ରଜାକ ହୁସେନ, ମମତା ମହାନ୍ତି, ରାମମୂର୍ତ୍ତି ଆଚାରୀ, ଭାଗ୍ୟଲକ୍ଷ୍ମୀ ପାତ୍ର ଏବଂ ବଳରାମ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.