oom

ଯୌତୁକ ନିର୍ଯ୍ୟାତନା ମାମଲାରେ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ
: ବର୍ଷେ ପର୍ଯ୍ୟନ୍ତ ନଜରବନ୍ଦୀ ରହିବେ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଯୌତୁକ ଜନିତ ହତ୍ୟା ହେଉ ବା ଯୌତୁକ ଜନିତ ନିର୍ଯ୍ୟାତନା ମାମଲା, ଦିନକୁ ଦିନ ସମାଜରେ ବଢ଼ିବାରେ ଲାଗିଛି । ସେଇଭଲି ଏକ ମାମଲା ଛତ୍ରପୁର ଥାନା ଅନ୍ତର୍ଗତ ଛତ୍ରପୁର ସହରାଞ୍ଚଳ ଶାନ୍ତିନଗରରେ ୨୦୨୨ ମସିହାରେ ଘଟିଯାଇଥିଲା । ଯେଉଁ ମାମଲାର ଶୁଣାଣି କରି ଛତ୍ରପୁର ଏସ.ଡ଼ି.ଜେ.ଏମ୍. କୋର୍ଟ ନ୍ୟାୟଧିଶ ପ୍ରୀତିଶ କୁମାର ରଥ ତିନି ଜଣ ଅଭିଯୁକ୍ତଙ୍କୁ ଶୁଣାଣୀ କରି ଦୋଷୀ ସାବ୍ୟସ୍ତ କରିଛନ୍ତି । ସେମାନେ ହେଲେ ଶାନ୍ତିନଗର ନିବାସୀ ଶଙ୍କର ବେହେରା, ଚନ୍ଦ୍ରମଣି ବେହେରା ଓ ବାସନ୍ତୀ ବେହେରାଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୪୯୮(କ) ୩୨୩, ୩୪ ତଥା ଯୌତୁକ ନିଷେଧ ଆଇନର ଧାରା-୪ ରେ ଦୋଷୀ ସାବ୍ୟସ୍ତ କରି ପ୍ରବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ଧାରା ୪ ଅନୁଯାୟୀ ଚେତାବନୀ ଦେଇ ଜିଲ୍ଲା ପ୍ରୋଭିଜନ ଅଧିକାରୀଙ୍କ ନଜରରେ ଏକ ବର୍ଷ ପର୍ଯ୍ୟନ୍ତ ନଜରବନ୍ଦୀ ରଖିବା ନିମନ୍ତେ ଆଦେଶ ଦେଇଛନ୍ତି । ଏହା ବ୍ୟତୀତ ଏକ ଉଦାହରଣ ପ୍ରତିଷ୍ଠା କରିବାକୁ ଯାଇ ଆଜି ମାନ୍ୟବର ଏସଡ଼ିଜେଏମ କୋର୍ଟ ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ୩୦୦୦ ଟଙ୍କା ଜୋରିମାନା (ଅର୍ଥଦଣ୍ଡରେ) ଦଣ୍ଡିତ କରିଛନ୍ତି ଓ ନିଜ ବିଚାରରେ ଉଲ୍ଲେଖ କରିଛନ୍ତି ଯେ’ ଏହି ଅର୍ଥରାଶି ଅଭିଯୋଗକାରିଣୀ ଅନୀତା ମୁଦୁଲିଙ୍କୁ ପ୍ରଦାନ କରାଯିବ । ସରକାରଙ୍କ ପକ୍ଷରୁ କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଏହି ମାମଲାକୁ ପରିଚାଳନା କରୁଥିଲେ । ସୂଚନାଯୋଗ୍ୟ, ୨୦୨୦ ମସିହା ଫେବ୍ରୁଆରୀ ୨୮ ତାରିଖ ଦିନ ଅଭିଯୋଗକାରିଣୀ ଅନୀତା ମୁଦୁଲିଙ୍କର ବାହାଘର ଛତ୍ରପୁର ଶାନ୍ତିନଗର ନିବାସୀ ଚନ୍ଦ୍ରମଣି ବେହେରା ଓ ବାସନ୍ତୀ ବେହେରାଙ୍କର ପୁଅ ଶଙ୍କର ବେହେରାଙ୍କ ସହ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ସମୟରେ ବର ପକ୍ଷର ଦାବି ମୁତାବକ ନଗଦ ଏକ ଲକ୍ଷ ଅଶୀ ହଜାର ଟଙ୍କା ଓ ଅନ୍ୟାନ୍ୟ ଘରକରଣା ଜିନିଷପତ୍ର ଆଦି କନ୍ୟାଘର ତରଫରୁ ବରପକ୍ଷଙ୍କୁ ଦିଆଯାଇଥିଲା । କିନ୍ତୁ ବିବାହର ଦୁଇମାସ ପରେ ଶାଶୁ ଶଶୁର ଓ ସ୍ୱାମୀ ଅଭିଯୋଗକାରିଣୀଙ୍କୁ ବାପଘରୁ ଆହୁରି ଅଧିକ ଦୁଇ ଲକ୍ଷ ଟଙ୍କା ଆଣିବାକୁ ବାଧ୍ୟ କରିବା ସହ ପରବର୍ତ୍ତୀ ସମୟରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥିଲେ । ପରେ ଅଭିଯୋଗକାରିଣୀଙ୍କ ଘର ପରିବାର ଲୋକ ଆସି ବୁଝାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା ଓ ଅଭିଯୋଗକାରିଣୀଙ୍କୁ ଓଲଟା ଧମକ ମଧ୍ୟ ଦିଆଯାଇଥିଲା । ଶେଷରେ ବାଧ୍ୟ ହୋଇ ଅଭିଯୋଗକାରିଣୀ ନିଜ ଘରକୁ ଚାଲିଆସିଥିଲେ ଓ ଛତ୍ରପୁର ଥାନାରେ ୦୮-୦୬-୨୦୨୨ରେ ଅଭିଯୋଗ କରିଥିଲେ ଯାହାକି ଛତ୍ରପୁର ଏସଡ଼ିଜେଏମ୍ କୋର୍ଟରେ ବିଚାରାଧୀନ ରହିଥିଲା । ଛତ୍ରପୁର ଥାନାର ଏ.ଏସ.ଆଇ.ସବିତା ଖୁଣ୍ଟିଆ ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ । ଆଜି ୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତମାନଙ୍କୁ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହ ଏଭଳି କାର୍ଯ୍ୟରୁ ଭବିଷ୍ୟତରେ ବିରତ ରହିବାକୁ ଚେତାଇ ଦେବା ସହ ବର୍ଷେ ପର୍ଯ୍ୟନ୍ତ ପ୍ରୋବେଶନ ଅଫିସରଙ୍କ ନଜରାଧୀନ ରହିବେ ବୋଲି ନିଜର ରାୟ ଦେଇଥିଲେ ।

jittmm
Leave A Reply

Your email address will not be published.