mahavir

ନୂଆପଡାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

  • ଉତ୍ତମ ଖାଦ୍ୟ ଓ ସ୍ୱାସ୍ଥ୍ୟ ପାଇଁ ପ୍ରାଣୀ ଚିକିତ୍ସକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ – ଜିଲ୍ଲାପାଳ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲାରେ ସ୍ଥାନୀୟ ସଦଭାବନା ସଭାଗୃହରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ସୁଖେନ୍ଦୁ ରାୟ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, କୃଷି ବିଜ୍ଞାନ କେନ୍ଦ୍ର ନୂଆପଡ଼ାର ପ୍ରମୁଖ ବୈଜ୍ଞାନିକ ଡ଼ା. ଲବ ସୋରେନ ଏବଂ ଉପ ନିର୍ଦ୍ଦେଶକ ଡ଼ା. କେ. ପାର୍ଥ ସାରଥୀ ଦୋରା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ନିଜ ଉଦବୋଧନରେ ପ୍ରାଣୀ ପାଳନର ଗୁରୁତ୍ୱ ଉପରେ ଆଲୋକପାତ କରି “ପ୍ରାଣୀ ପାଇଁ ଦିନଟିଏ”ର ମହତ୍ତ୍ୱ ବ୍ୟାଖ୍ୟା କରିଥିଲେ । ସେ କହିଥିଲେ ଯେ, ସୁସ୍ଥ ସମାଜ ପାଇଁ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଅତ୍ୟାବଶ୍ୟକ ଏବଂ ପ୍ରାଣୀଧନର ଉନ୍ନତି ଦେଶର ଆର୍ଥିକ ଉନ୍ନତିକୁ ଗତି ଦେଇଥାଏ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ସୁଖେନ୍ଦୁ ରାୟ ଜିଲ୍ଲାର ପ୍ରାଣୀ ସମ୍ପଦ ବିକାଶ ବିଭାଗର ସଫଳତା ବିଷୟରେ ତଥ୍ୟ ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ୨୫୩ ଜଣ ଚାଷୀଙ୍କୁ ସ୍ୱାବଲମ୍ବୀ କରାଯାଇଥିବା ସହ ଦୁଗ୍ଧ ଉତ୍ପାଦନ ୧୭.୪୮ ଟିଏମଟିକୁ ପହଞ୍ଚିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୧୫୦ ପ୍ରତିଶତ ଅଧିକ । ଛେଳି ପାଳନରେ ବୃଦ୍ଧି ପାଇଁ ମାଂସ ଉତ୍ପାଦନ ୧.୧୧ ଟିଏମଟିକୁ ବଢ଼ିଛି, ଯାହା ୧୩୫ ପ୍ରତିଶତ ବୃଦ୍ଧି ସୂଚିତ କରେ । ଏହା ସହିତ ମାଂସଳ କୁକୁଡ଼ା ସଂଖ୍ୟା ଚଳିତ ବର୍ଷ ୪.୫ ଲକ୍ଷକୁ ପହଞ୍ଚିଛି, ଯାହା ଗତ ବର୍ଷ ତୁଳନାରେ ତିନିଗୁଣ ଅଧିକ । ଅତିଥିମାନେ ଚାଷୀମାନଙ୍କୁ ବୈଜ୍ଞାନିକ ପଦ୍ଧତି ଅନୁସରଣ କରି କୃଷି ଓ ପ୍ରାଣୀ ପାଳନରେ ଆଗେଇବାକୁ ପରାମର୍ଶ ଦେଇଥିଲେ । ପ୍ରାଣୀ ସମ୍ପଦ ବିକାଶ ବିଭାଗ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଶ୍ରମିକମାନେ ସ୍ୱାବଲମ୍ବୀ ହେବାର ନୂତନ ଦିଗ ପାଇଥିବା ଉଲ୍ଲେଖ କରିଥିଲେ । ଏହି ଅବସରରେ ଜିଲ୍ଲାର ୫ ଜଣ ସଫଳ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୋପାଳନ କ୍ଷେତ୍ରରେ ରତ୍ନାକର ପଟେଲ (ଖରିଆର), ବତକ ପାଳନରେ ଦିଲଚନ ନାଏକ (କୋମନା), ଛେଳି ପାଳନରେ ଅକ୍ରୁର ହଂସ (କୋମନା), ଘୁଷୁରୀ ପାଳନରେ ରଥୁରାମ ଦୀପ (ନୂଆପଡ଼ା) ଏବଂ ଘାସ ଚାଷରେ ହିମାଞ୍ଚଳ ଭୋଇ (ଖରିଆର)ଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି, ଶ୍ରେଷ୍ଠ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଭାବେ ଡ଼ା. ସଂଗ୍ରାମ କେଶରୀ ବେହେରା (ଖରିଆର), ଶ୍ରେଷ୍ଠ ପ୍ରାଣୀ ଚିକିତ୍ସକ ଭାବେ ଡ଼ା. ସତ୍ୟବ୍ରତ ପରିଡା (ନୂଆପଡ଼ା) ଏବଂ ଶ୍ରେଷ୍ଠ ପ୍ରାଣୀଧନ ନିରୀକ୍ଷକ ଭାବେ ବିମଳ କିଶୋର କୁମ୍ଭାର (ନିଲଜୀ, ସିନାପାଲି)ଙ୍କୁ ସମ୍ମାନିତ କରାଯାଇଥିଲା । ସଭାରେ ଡ଼ା. କିଶୋର କୁମାର ସାହୁ (ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ନୂଆପଡ଼ା), ଡ଼ା. ସିମ୍ଫୋନି ମହାନ୍ତି (ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀ ଉତ୍ପାଦନ, ନୂଆପଡ଼ା) ଏବଂ ଡ଼ା. ଶମ୍ଭୁ ପ୍ରସାଦ ସାହୁ (ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀ ରୋଗ ନିୟନ୍ତ୍ରଣ, ନୂଆପଡ଼ା) ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ । ଡ଼ା. ସସ୍ମିତା ବିଶ୍ୱାଳ ସଭା ପରିଚାଳନା କରିଥିଲେ ଏବଂ ଶେଷରେ ଡ଼ା. ସିମ୍ଫୋନି ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.