pakka

ଦାନ ସୂତ୍ରରେ ମିଳିଥିବା ଜମିରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଅନ୍ତର୍ଗତ ସିନାପାଲିଠାରେ ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ନେଇ ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟା ସମାଧାନର ରାସ୍ତା ବର୍ତ୍ତମାନ ସୁଗମ ହେବାରେ ଲାଗିଛି । ବସଷ୍ଟାଣ୍ଡ ନିର୍ମାଣ ପାଇଁ ସିନାପାଲି ସହରରେ ଉପଯୁକ୍ତ ଜମି ମିଳୁନଥିବା ବେଳେ ବର୍ତ୍ତମାନ ସ୍ଥାନୀୟ ଜଣେ ବଦାନ୍ୟ ବ୍ୟକ୍ତି ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆବଶ୍ୟକୀୟ ଜମି ଦାନ କରୁଥିବା ଜଣାପଡିଛି । ଏନେଇ ଶୁକ୍ରବାର ସିନାପାଲି ଅଞ୍ଚଳ ବାସୀଙ୍କ ତରଫରୁ ଉଦନ୍ତୀ ୟୁଥ୍‌ କ୍ଲବ ସଭାପତି ସୁରଜ ମେହେରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏଙ୍କୁ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ, ସିନାପାଲି ସହରରେ ସରକାରୀ ଜମିର ଘୋର ଅଭାବ ଥିବା ଯୋଗୁଁ ଅନେକ ସରକାରୀ କାର୍ଯ୍ୟାଳୟ କୋଠା ନିର୍ମାଣ ହୋଇପାରୁନାହିଁ । ପୁଣି ଆଗକୁ ସିନାପାଲି ଏନଏସି ଘୋଷଣା ଅପେକ୍ଷାରେ ଥିବା ବେଳେ ଅନେକ କାର୍ଯ୍ୟାଳୟ ନିର୍ମାଣ ହେବାର ଅଛି । ଏଣୁ ସିନାପାଲିରେ ଥିବା କିଛି ସରକାରୀ ଜମି ଭବିଷ୍ୟତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏ ପରିପ୍ରେକ୍ଷୀରେ ଦାନ ସୂତ୍ରରେ ମିଳିଥିବା ଜମିକୁ ଗ୍ରହଣ କରି ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ କରିବା ଉଚିତ ହେବ ବୋଲି ଜିଲ୍ଲାପାଳଙ୍କ ସହ ଦୀର୍ଘ ସମୟ ଆଲୋଚନା କରି ଅନୁରୋଧ କରାଯାଇଥିଲା । ଦାନ ସୂତ୍ରରେ ମିଳିଥିବା ଉକ୍ତ ଜମି ସିନାପାଲି ମଧ୍ୟଦେଇ ଯାଉଥିବା ଫୋରୱେ ରାସ୍ତା ଉପରେ ହିଁ ରହିଛି । ସିନାପାଲି ବସଷ୍ଟାଣ୍ଡ ଫୋରୱେ ରାସ୍ତା ଉପରେ ହେବା ଦ୍ୱାରା ସବୁ ଆଡକୁ ସଂଯୋଗୀକରଣ ସହଜ ହେବା ସହ ଲୋକଙ୍କ ବହୁବିଧ ସୁବିଧା ହୋଇପାରିବ । ପୁଣି ଏହି ସ୍ଥାନ ସିନାପାଲି, କାପସି ଓ ଯୁଗେନପଦରକୁ ମଧ୍ୟ ସମାନ୍ତରାଳ ଦୂରତାରେ ରହୁଛି । ଏସବୁ ଦୃଷ୍ଟିରୁ ସିନାପାଲି ଅଞ୍ଚଳବାସୀ ଖୁସି ଜାହିର କରୁଥିବା ଜଣାପଡ଼ିଛି । ଫଳରେ ଏହି ସ୍ଥାନକୁ ଦାନ ସୂତ୍ରରେ ଗ୍ରହଣ କରିବା ସହ ବସଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଜିଲାପାଳଙ୍କୁ ସାକ୍ଷାତ କରି ଲିଖିତ ଭାବେ ଜଣାଇ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିନିଧି ଦଳ ଅନୁରୋଧ କରିଥିଲେ । ଏହାର ପୁଙ୍ଖାନୁପୁଙ୍ଖ ବିଚାର କରି ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ ସମୟରେ ଉଦନ୍ତୀ ୟୁଥ୍‌ କ୍ଲବର ସଭାପତି ଶ୍ରୀ ମେହେରଙ୍କ ସମେତ ଲକ୍ଷ୍ମଣ ରଣା, ସୋମନାଥ ଦାସ, ଆଲୋକ ମେହେର, ବୁଦ୍ଧଦେବ ମେହେର, ପ୍ରଭାତ ମେହେର, ଅରୁଣ ପ୍ରମୁଖ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

two × 2 =

error: Content is protected !!