ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ଜନିତ ପ୍ରବଳବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସଙ୍ଗେ ସଙ୍ଗେ ରବିଫସଲ ପାଇଁ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ସୋମବାର ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୮ ଦଫା ସମ୍ବଳିତ ଦାବୀ ପତ୍ର ଧରି ଏକ ପ୍ରତିନିଧିଦଳ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌ଙ୍କୁ ଭେଟି ଗୁହାରି କରି ଉକ୍ତ ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବାତ୍ୟା ଜୱାଦର ପ୍ରଭାବରେ ପ୍ରବଳବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଫଳରେ ଅଧିକାଂଶ ଜମିର ଧାନ ଫସଲ ନଷ୍ଟ ହେବା ସଙ୍ଗେ ସଙ୍ଗେ ମୁଗ, ବିରି ଓ ଲଙ୍କା ମରିଚ ସମେତ ବିଭିନ୍ନ ପନିପରିବା ନଷ୍ଟ ହୋଇଗଲା । ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏଣୁ ଏକର ପିଛା ଧାନ ଚାଷ କରିବା ପାଇଁ ପ୍ରାୟ ୨୦ ହଜାର ଟଙ୍କା ନଗୁତି ଖର୍ଚ୍ଚ ହୋଇଥାଏ । ଏଣୁ ରିଲିଫ୍ କୋର୍ଡ ପରିବର୍ତ୍ତନ କରି ଏକର ପିଛା ୨୦ ହଜାର ଟଙ୍କା ନଗୁତି ଖର୍ଚ୍ଚ କ୍ଷତିପୂରଣ ପ୍ରଦାନ କରାଯିବା, ରବି ଫସଲ ପାଇଁ ମୁଗ, ଚିନା ବାଦାମ, କଞ୍ଚା ଲଙ୍କା ଓ ପନିପରିବା ବିହନ ଓ ସାର ରିହାତିରେ ଯୋଗାଇ ଦିଆଯାଉ, ରବି ଫସଲ ପାଇଁ ଜଳସେଚନର ସୁବିଧା କରାଯିବା, ଫସଲ ବୀମା ପ୍ରିମିୟମ ହୋଇଥିବା କ୍ଷତିଗ୍ରସ୍ତ ସମସ୍ତ ଚାଷୀମାନଙ୍କୁ ଫସଲ ବୀମା ସହାୟତା ପ୍ରଦାନ କରାଯିବା, ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବାରୁ ସେମାନଙ୍କୁ ଋଣ ମୁକ୍ତ କରି ରବି ଫସଲ ପାଇଁ ଜଳସେଚନର ସୁବିଧା କରାଯିବା, ଭାଗଚାଷୀମାନେ ଜିଲ୍ଲାର ୫୦ ଭାଗରୁ ଅଧିକ ଜମି ଚାଷ କରୁଥିବାରୁ ସେମାନଙ୍କୁ ଚାଷୀର ମାନ୍ୟତା ଦେଇ କ୍ଷତିଗ୍ରସ୍ତ ଭାଗ ଚାଷୀମାନଙ୍କୁ ଚିହ୍ନଟ କରି ସରକାରୀ ସହାୟତା ପ୍ରଦାନ କରାଯିବା, ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚାଷ କାମ ଜଳସେଚନ ଓ ବନ୍ୟା ପାଣି ନିଷ୍କାସନ ଆଦି କାମ ପାଇଁ ମୁଲ ମଜୁରୀ ଖର୍ଚ୍ଚ ବହନ କରାଯାଉ, ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବାରମ୍ବାର ଫସଲ ନଷ୍ଟ ହେଉଥିବାରୁ ଜଳସେଚନ ସୁବିଧା ଓ ବନ୍ୟା ଜଳ ନିଷ୍କାସନ ନିମନ୍ତେ ଚାଷୀ ପ୍ରତିନିଧିଙ୍କ ମତାମତ ନେଇ ମାଷ୍ଟର ପ୍ଲାନ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା, ବର୍ଷା ପରେ ଯାହା ଧାନ ଅମଳ ହେବ, ତାହା ସବୁ ଗମୁ ହୋଇଯିବ ସେହି ଧାନକୁ ମିଲର ମାନେ ନେବେ ନାହିଁ । ଏଣୁ ଧାନର ଏଫଏକ୍ୟୁ ମାନ କୋହଳ କରି ଆଦାୟ ଧାନ ସବୁ କିଣିବା ପାଇଁ ନର୍ଦ୍ଦେଶ ଦିଆଯିବା ଭଳି ବିଭିନ୍ନ ଦାବୀ ଏହି ଦାବୀପତ୍ରରେ ଉଲ୍ଲେଖ ରହିଛି । ଏହି ଦାବୀପତ୍ର ପ୍ରଦାନ ବେଳେ ଋଷିକୁଲ୍ୟା ରୟତ ମହାସଭାର ସିମାଂଚଳ ନାହାକ, ବରିଷ୍ଠ କଂଗ୍ରେସ ନେତା ଭାଗିରଥି ବେହେରା, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡି, ସୁବାସ ରାଉତ, ମନୋଜ କୁମାର ମିଶ୍ର, ବିପ୍ର ଚରଣ ଦାସ, ତ୍ରିନାଥ ଦାସ, ଯୁବ ବିଜେଡି ବ୍ଲକ ସମ୍ପାଦକ ସପନ କୁମାର ନାହାକ, କଲ୍ୟାଣି ପାଣି ପଂଚାୟତର କୋଷାଧ୍ୟକ୍ଷ ଅବନୀ ମହାପାତ୍ର, ଅରୁଣ କୁମାର ନାହାକ, ମହେଶ କୁମାର ଗୌଡ, ଚକ୍ରପାଣି ପଲାଇଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four × 1 =

error: Content is protected !!