କରକାପାତରେ ଫସଲ କ୍ଷତିର କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଫେବୃୟାରୀ ୧୧ ତାରିଖରେ ଲୋଇସିଂହା ଅଞ୍ଚଳରେ ବର୍ଷା ସାଙ୍ଗକୁ କରକାପାତ ହୋଇଥିଲା । ଏଥିରେ ଚାଷୀମାନଙ୍କର ରବି ଧାନ, ମୁଗ, ବାଇଗଣ, ଚିନାବାଦାମ, ଲଙ୍କା, ମାଖନ, କଲରା, ପୋଟଳ, କୁନ୍ଦୁରୁ, ଟମାଟୋ, କୋବି, ପିଆଜ, ଆଳୁ, ମୂଳା, ଶାଗ, ସୋରିଷ, ଚଣା ଜାତୀୟ ଫସଲ ଅନେକ ପରିମାଣରେ କ୍ଷୟକ୍ଷତି ହୋଇଥିଲା । ତେଣୁ ସେହି ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ ଦାବିରେ ଆଜି ଆଗଲପୁର କୃଷକସଂଘ ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଗଲପୁରର ଯୁବନେତା ଅମିତ କୁମାର ନାୟକଙ୍କ ସହିତ ଆଗଲପୁର କୃଷକସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଦାବି କରିଛନ୍ତି ଯେ, ଗତ ୧୧ ତାରିଖରେ ହୋଇଥିବା ଅଦିନିଆଁ ବର୍ଷା ଓ କରକାପାତରେ ନଅଗାଁ(କ) ସମେତ ଆଗଲପୁର ଅଞ୍ଚଳର ମୁଣ୍ଡାପାଲି, ହଳଦୀପଦର, ଗଣ୍ଡପାଲି, ଡୁଡୁକାମୁଣ୍ଡା, ଅଏଁଲାପାଲି, ବାଇଗନଖାରୀ, ବୁଦୁଲା ଗ୍ରାମର ଚାଷୀଙ୍କର ବିପୁଳ ପରିମାଣରେ ରବିଫସଲ କ୍ଷତିଗ୍ରସ୍ତ ହୋଇଛି । ତେଣୁ ଏହାର ଆକଳନ କରି ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି । ଅମିତଙ୍କ ସହିତ ନୀଲଗିରୀ ନାଏକ, ଅଶୋକ ସାହା, ବୀରେନ୍ଦ୍ର ନନ୍ଦ, ନାରେନ ଗହିର ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

one × 5 =