
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ଶିକିରି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଋଷିକୁଲ୍ୟା ନଦୀ କୂଳରେ ଗଭୀର ବାଲି ଗର୍ତ୍ତରେ ଅତଡ଼ା ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ହେଲେ ବ୍ରହ୍ମପୁରର ୨୬ ବର୍ଷୀୟ ବିକ୍ରମ କୁମାର ପଣ୍ଡା । ଗତ ଅଗଷ୍ଟ ୩୦ ତାରିଖରେ ସେ ଋଷିକୁଲ୍ୟା ନଦୀର ପାଣି ଗଣ୍ଡରେ ବୁଡ଼ିଯାଇଥିବା ବେଳେ, ନଦୀ କୂଳରେ ଖୋଳାଯାଇଥିବା ଗଭୀର ବାଲି ଗର୍ତ୍ତରୁ ବାଲି ଅତଡ଼ା ଖସି ତାଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ଶିକିରି ଅଞ୍ଚଳରେ ବେଆଇନ ବାଲି ଉତ୍ତୋଳନକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି । ଅଭିଯୋଗ ଅନୁସାରେ, ନଦୀ କୂଳରେ ୨୦ରୁ ୨୫ ଫୁଟ ପର୍ଯ୍ୟନ୍ତ ଗଭୀର ଗର୍ତ୍ତ ଖୋଳି ବାଲି ଉଠାଯାଉଛି । ଫଳରେ ନଦୀ କୂଳ ଅସୁରକ୍ଷିତ ହେବା ସହ ଅଞ୍ଚଳବାସୀଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ବେଆଇନ ବାଲି ଉତ୍ତୋଳନ ଓ ଚୋରା ଚାଲାଣକୁ ନେଇ ପୂର୍ବରୁ ମଧ୍ୟ ଅନେକଥର ଅଭିଯୋଗ ହୋଇଥିବା କୁହାଯାଇଛି । ତଥାପି ଗଭୀର ଭାବେ ବାଲି ଉତ୍ତୋଳନ ଜାରି ରହିଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗକାରୀ ଦାବି କରିଛନ୍ତି । ବାଲିଘାଟର ଗୁତାଦାର କୀରଣ କୁମାର ପଣ୍ଡାଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆସିଛି । ଖଣି ବିଭାଗ ସହ ହୋଇଥିବା ଚୁକ୍ତିରେ ନିର୍ଦ୍ଧାରିତ ଅଞ୍ଚଳ, ସିଏମ୍ ଓ ଅନୁମୋଦିତ ଗଭୀରତାକୁ ଉଲ୍ଲଂଘନ କରି ଅତ୍ୟଧିକ ବାଲି ଉତ୍ତୋଳନ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଆଇନଜୀବୀ ରଜନୀକାନ୍ତ ପାଢ଼ୀ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପ୍ରଶାସନ, ତହସିଲ କର୍ତ୍ତୃପକ୍ଷ ଓ ଖଣି ବିଭାଗର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ସେ ଅଭିଯୋଗ କରିଛନ୍ତି । ମୃତ ବିକ୍ରମଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ବେଆଇନ ବାଲି ଉତ୍ତୋଳନରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଅନ୍ୟପଟେ, ମାନବିକତାର ପରିଚୟ ଦେଇ ଆଇନଜୀବୀ ରଜନୀକାନ୍ତ ପାଢ଼ୀ ନିଜସ୍ୱ ଉଦ୍ୟମରେ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଜରୁରୀକାଳୀନ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି । ଏବେ ପ୍ରଶ୍ନ ଉଠୁଛି—ବାଲି ଉତ୍ତୋଳନର ନିୟମ କାହିଁକି ଉଲ୍ଲଂଘନ ହେଲା ? ନଦୀ କୂଳରେ ଏତେ ଗଭୀର ଗର୍ତ୍ତ ଖୋଳିବାକୁ କିଏ ଅନୁମତି ଦେଲା ? ଏବଂ ଜଣେ ଯୁବକଙ୍କ ଜୀବନ ଯିବା ପରେ ପ୍ରଶାସନ କେବେ ନେବ କଠୋର ପଦକ୍ଷେପ ? ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ବେଆଇନ ବାଲି ଉତ୍ତୋଳନ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ଦାବି ଜୋର ଧରିଛି ।