oum

ଚାଷୀଙ୍କ ସୁବିଧା ପାଇଁ ବିଜେପି ପକ୍ଷରୁ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର

jsm

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ୨୦୧୯-୨୦ ବର୍ଷର ଫସଲ ବୀମା, ୟୁରିଆ ସାରର କୁତ୍ରିମ ଅଭାବ ଓ କୀଟନାଶକ ନକଲି ଔଷଦ ସମେତ ଇମପୁଟ ସବସିଡି ପ୍ରଭୃତି ଚାଷୀଙ୍କ ସୁବିଧା ସମ୍ବଳିତ ୪ ଦଫା ଦାବୀ ପତ୍ର ଲୋଇସିଂହା ବିଜେପି ପକ୍ଷରୁ ବିଡିଓଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଗତ ୨୦୧୯-୨୦ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ଅଦ୍ୟାବଧି ଚାଷୀଙ୍କୁ ମିଳିନାହିଁ । ଏପରିକି ବିଭିନ୍ନ ଆଳ ଦେଖାଇ ବୀମା କଂପାନୀ ବୀମା କ୍ଷତିପୂରଣ ଦେଇ ନଥିବା ବେଳେ ଚଳିତ ବର୍ଷ ପୁଣି ପ୍ରିମିୟମ ଗ୍ରହଣ କରିଛି । ସେହିପରି ଧାନଚାଷ ପାଇଁ ବହୁ ଆବଶ୍ୟକ ପଡୁଥିବା ୟୁରିଆ ସାରର କୁତ୍ରିମ ଅଭାବ ଦେଖାଦେଇଛି । ଏପରିକି ସରକାର ଆବଶ୍ୟକ ସାର ଯୋଗାଇ ପାରୁନାହାଁନ୍ତି । ଫଳରେ ଚାଷୀ କଲାବଜାରୀର ହାବୁଡରେ ପଡି ଚଢା ଦରରେ କିଣିବାକୁ ବାଧ୍ୟ ହୋଇଛି । ୟୁରିଆ ସାର ପରେ ଚାଷୀ ବିଭିନ୍ନ ରୋଗ ପୋକର ସମ୍ମୁଖୀନ ହେଉଥିବା ବେଳେ ନକଲି ଔଷଧର ଶିକାର ହେଉଛି । ଚାଷୀ ନକଲି କୀଟନାଶକ ଔଷଧ ବ୍ୟବହାର କରି ଚାଷକୁ ଆହୁରି କ୍ଷତି ପହଂଚୁଥିବାରୁ ଆହୁରି ହରଡ଼ଘଣାରେ ପଡ଼ୁଛି । ସେହିପରି ଗତ ୨୦୧୯-୨୦ ମସିହା ଠାରୁ ୨୦୨୦-୨୧ ମସିହା ପର୍ଯ୍ୟନ୍ତ ବଜ୍ରପାତ ଓ ବନ୍ୟା କ୍ଷୟକ୍ଷତି ଅଂଚଳରେ ମିଳୁଥିବା ଇମପୁଟ ସବସିଡି ମଧ୍ୟ ଚାଷୀ ପାଇନାହିଁ । ତେଣୁ ଉପଯୁକ୍ତ ଚାଷୀଙ୍କ ଅନୁସନ୍ଧାନ କରି କ୍ଷତି ସହିଥିବା ଚାଷୀଙ୍କୁ ଇମପୁଟ ସବସିଡିର ଦିଆଯାଉ ବୋଲି ମଧ୍ୟ ଉକ୍ତ ଦାବୀପତ୍ରରେ ଉଲ୍ଲେଖଥିବା ଜଣାପଡ଼ିଛି । ତେଣୁ ସରକାର ତୁରନ୍ତ ଉପରୋକ୍ତ ବିଷୟ ପ୍ରତି ବିଚାର କରି ଚାଷୀଙ୍କୁ ୭ ଦିନ ମଧ୍ୟରେ ସୁବିଧା ଯୋଗାଇ ଦେବାକୁ ଦାବୀ କରିବା ସହିତ ଆବଶ୍ୟକ ସ୍ଥଳେ ରାଜରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ଲୋଇସିଂହା ମଣ୍ଡଳ ବିଜେପି ସଭାପତି ସରୋଜ କୁମାର ସାହୁ, କିଶୋର ପଟେଲ, ସାଂସଦ ପ୍ରତିନିଧି ବାଳକୃଷ୍ଣ ଧରୁଆ, ରଘୁନାଥ ସାହୁ, ଭୁତନାଥ ନାଏକ ସମେତ ବହୁ ବିଜେପି କର୍ମୀ ସାମିଲ ହୋଇ ଲୋଇସିଂହା ବିଡିଓଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ସେହିପରି ଲୋଇସିଂହା ବିଧାନସଭା ମଣ୍ଡଳୀ ଅଧୀନସ୍ଥ ଆଗଲପୁର ଓ ପୁଇଁତଲା ବ୍ଲକରେ ମଧ୍ୟ ପୃଥକ ପୃଥକ ଭାବେ ବିଜେପି ପକ୍ଷରୁ ଦାବୀ ପତ୍ର ଦିଆଯାଇଛି ବୋଲି ବିଜେପି ନେତା ଗୌରାଙ୍ଗ ନାଏକ କହିଛନ୍ତି ।

Leave A Reply

Your email address will not be published.