
- ବ୍ରହ୍ମପୁର ମହାନଗରରେ ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ସାବାଡ଼ କରିବ କିଏ ?
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରରେ ଗୁଣ୍ଡାରାଜ୍ ବଢ଼ିବାରେ ଲାଗିଛି । ବିଭିନ୍ନ ଅନୈତିକ କାର୍ଯ୍ୟ, ଚୋରି, ବାଲି ଦୁର୍ନୀତି, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି । ଅନେକ ବେଆଇନ୍ ଖଣି ମାଫିଆ, ବାଲି ମାଫିଆ ସକ୍ରୀୟ ଥିବା ଭାଇନାଙ୍କ ନାମରେ ପାଟି ଖୋଲିଲେ ମାରଣାନ୍ତକ ଆକ୍ରମଣ, କଙ୍ଗାରୁ କୋର୍ଟରେ ଦଣ୍ଡଦେବା ନେଇ ହତ୍ୟା କରିବା ଦିଗରେ ପଛାଉ ନାହାଁନ୍ତି । ଏଠାରେ ଗୁଣ୍ଡାରାଜ୍ ବଢ଼ିବାରେ ଲାଗିଛି । ଅଧିକାଂଶ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ୍ୟ ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହୋଇ ରହିଛନ୍ତି । ଏଭଳି ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ସାବାଡ଼ କରିବ କିଏ ? ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଯାହକି, ଗଞ୍ଜାମକୁ ବିବାଦ ପିଛା ଛାଡୁନାହିଁ । ସଦର ଥାନା ଅନ୍ତର୍ଗତ ଜଣେ ବାହୁବଳୀ ଅରୂପ ଆର୍. ଶିବରାମଙ୍କୁ ଗତକାଲି ବ୍ରହ୍ମପୁର ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ଜଣେ ତଫସିଲଭୂକ୍ତ ଜାତି ଯୁବକକୁ ଅପହରଣ କରିବା ସହ ୪୮ ଘଣ୍ଟା ଘରେ ବନ୍ଦୀ କରି ପ୍ରବଳ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହୋଇଥିଲା । ଉକ୍ତ ପୀଡିତ ଯୁବକ ପ୍ରଶାନ୍ତ ଦାସ, ସେ ପେସାରେ ଜଣେ ଡ୍ରାଇଭର । ତାଙ୍କୁ ଆସାମୀ ଶିବରାମ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ହେବାକୁ ପ୍ରବର୍ତ୍ତାଇବା ଏବଂ କାମରେ ଲଗାଇବା ପାଇଁ ବାଧ୍ୟ କରି ଆସୁଥିଲେ । ମନା କଲେ ତାଙ୍କୁ ମାଡ଼ ମାରିବା, ହତ୍ୟା ପାଇଁ ଧମକ ଦେଉଥିଲେ । ଏଭଳି ଏକ ଘଟଣାରେ ପ୍ରଶାନ୍ତରୁ ତାଙ୍କୁ ତିନି ଦିନ ଧରି ବନ୍ଦୀ କୋଠରୀରେ ରଖି ଅକଥନୀୟ ମାଡ଼ ମାରିଥିଲେ । ଏହି ଘଟଣା ପ୍ରାୟ ୧୦ ଦିନ ତଳେ ଘଟିଥିଲା । ତେବେ କୌଣସି ସୂତ୍ରରୁ ଉକ୍ତ ମାଡ଼ ମାରିବା ଭିଡିଓ ଭାଇରାଲ ହେଲା ପରେ ସମ୍ପୃକ୍ତ ପୀଡିତ ଯୁବକ ପୁଲିସରେ ଅଭିଯୋଗ କରିବା ପାଇଁ ସାହସ କରିଥିଲେ । ବଡ଼ବଜାର ପୁଲିସ ତୁରନ୍ତ ଶିବରାମଙ୍କୁ ଗିରଫ କରି ଅନ୍ୟାନ୍ୟ ଦଫା ସହ ଆଦିବାସୀ ହରିଜନ ନିର୍ଯ୍ୟାତନା ନିୟମରେ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ଜଣାପଡ଼ିଛି । ତେବେ ଗଞ୍ଜାମ ଜିଲ୍ଲାରୁ ଏପ୍ରକାରର ଅପରାଧ ଓ ଅପରାଧୀମାନଙ୍କୁ କେବେ ସାବାଡ୍ କରାଯିବ ବୋଲି ବିଭିନ୍ନ ମହଲରେ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି । ସର୍ବସାଧାରଣରେ ଏହାର ଦୃଢ଼ ନିନ୍ଦା କରାଯିବା ସାଂଗକୁ ଏଭଳି ଦୋଷୀକୁ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

