
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଭିଜିଲାନ୍ସ ଜାଲରେ ବାଲିଗୁଡା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା । ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଶନିବାର ସକାଳୁ ସକାଳୁ ଏକକାଳୀନ ଚଢ଼ାଉ ଆରମ୍ଭ କରାଯାଇଛି । ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ବାରିପଦା, ଯାଜପୁରର ଧର୍ମଶାଳା ଏବଂ ବାଲିଗୁଡା ସରକାରୀ ବାସଭବନରେ ମଧ୍ୟ ରେଡ କରାଯାଉଛି । ଭୁବନେଶ୍ୱର ନୀଳାଦ୍ରି ବିହାରରେ ଚାରି ମହଲା ବିଶିଷ୍ଟ ଘର, ଶୈଳଶ୍ରୀ ବିହାରରେ ତିନି ମହଲା ଘର, ପଟିଆ କାନନ ବିହାର ଫେଜ୍ -୧ରେ ଦୁଇ ମହଲା ଘର ଏବଂ ଚନ୍ଦ୍ରଶେଖରପୁରରେ ଦୁଇ ମହଲା ବିଶିଷ୍ଟ ଘର ଠାବ କରାଯାଇଛି । ଯାଜପୁର ଜିଲ୍ଲା ଧର୍ମଶାଳା କଲେଜ ନିକଟ ପାଣ୍ଡୁଆ ଗ୍ରାମରେ ପୈତୃକ ଜମି ଉପରେ ନିର୍ମିତ ଦୁଇ ମହଲା ଘର ଠାବ କରିଛି ଭିଜିଲାନ୍ସ । ବାରିପଦା ସହରର ଦେଉଳ ସାହି, ୱାର୍ଡ ନଂ-୯ରେ ଥିବା ଜଣେ ସମ୍ପର୍କୀୟଙ୍କ ଘର, ଧର୍ମଶାଳାର ପାଣ୍ଡୁଆ ଗ୍ରାମରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର, ବାଲିଗୁଡାସ୍ଥିତ ସ୍ୱତନ୍ତ୍ର ଅଧିକାରୀ, ଆଇଟିଡିଏ କାର୍ଯ୍ୟାଳୟରେ ଥିବା ଶ୍ରୀ ବେହେରାଙ୍କ କାର୍ଯ୍ୟାଳୟ, ଆଇଟିଡିଏ କାର୍ଯ୍ୟାଳୟ ନିକଟ ବାଲିଗୁଡାରେ ଥିବା ତାଙ୍କ ସରକାରୀ ବାସଭବନରେ ଚାଲିଛି ରେଡ୍ । ବୈକୁଣ୍ଠ ନାଥ ବେହେରାଙ୍କ ବିରୋଧରେ ବଡ଼ ଧରଣର ତଦନ୍ତ ଆରମ୍ଭ କରିଛି ଓଡ଼ିଶା ଭିଜିଲାନ୍ସ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ, ଭୁବନେଶ୍ୱରଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସର ଏକ ବହୁସ୍ତରୀୟ ଟିମ୍ ତାଙ୍କ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଏକାସାଙ୍ଗରେ ଚଢ଼ାଉ କରିଛି । ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସ୍ପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି । ଚଢ଼ାଉ ସମୟରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ବ୍ୟାଙ୍କ ଜମା, ନିବେଶ ଏବଂ ଅନ୍ୟାନ୍ୟ ଆର୍ଥିକ ଦଲିଲର ଯାଞ୍ଚ କରାଯାଉଥିବା ଜଣାପଡ଼ିଛି । ତେବେ ତଦନ୍ତ ଚାଲିଥିବାରୁ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ସେନେଇ ଭିଜିଲାନ୍ସ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ ।