ଇଣ୍ଟରନ୍ୟାସନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ୩ ବର୍ଷୀୟା ରିଷିତା

ଖୋର୍ଦ୍ଧା : ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଓଳାସ ଗ୍ରାମର ରିଷିତା ରାଜୀବ ବରାଳ(୩ ବର୍ଷ ୩ ମାସ) ଇଣ୍ଟରନ୍ୟାସନାଲ ବୁକ୍‌ ଅଫ୍‌ ରେକର୍ଡସ (ଆଇବିଓଆର)ରେ ଯୋଗ୍ୟତା ହାସଲ କରିଛନ୍ତି । ଆଇବିଓଆର ପକ୍ଷରୁ ରିଷିତାଙ୍କୁ ସୁପର ଟ୍ୟାଲେଣ୍ଟେଡ୍‌ କିଡ୍‌ ଭାବେ ସାର୍ଟିଫିକେଟ ଓ ପଦକ ପ୍ରଦାନ କରାଯାଇଛି ।
ରିଷିତା ଭୁବନେଶ୍ୱରସ୍ଥିତ କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ନର୍ସରୀରେ ପଢୁଥିବା ବେଳେ ପୋଷ୍ଟାଲ ମାଧ୍ୟମରେ ଏହି ସାର୍ଟିଫିକେଟ ଓ ପଦକ ପହଞ୍ଚିବା ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି । ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ପୂର୍ବରୁ ୨୦୨୨ ମାର୍ଚ୍ଚରେ ରିଷିତା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଥିଲେ । ଏନେଇ ରିଷିତାଙ୍କ ବାପା ରାଜୀବ ବରାଳ କୁହନ୍ତି, ରିଷିତା ଯେତେବେଳେ କହିବା ଆରମ୍ଭ କରିଥିଲା, ଯାହା କହିଲେ ବି ଥରକେ ମନେ ରଖିପାରୁଥିଲା ।

ବିଭିନ୍ନ ପଶୁପକ୍ଷୀ, ଦେବଦେବୀ, ଫୁଲ, ଫଳ, ତିଥି, ବାର, ରାଶି, ନକ୍ଷତ୍ର, ବାରମାସ ବିଷୟରେ ଚିତ୍ର ଦେଖାଇ କହିବା ପରେ ତାହାକୁ ସେ ମନେରଖି କହିବା ଆରମ୍ଭ କରିଥିଲା । ବୟସ ବଢିବା ସହିତ ପ୍ରତିଭା ବିକଶିତ ହୋଇଥିଲା । ପ୍ରଥମେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ ପାଇଁ ପ୍ରସ୍ତୁତି କରିବା ଆରମ୍ଭ କରିଥିଲୁ । ସେଥିରେ ସ୍ଥାନ ପାଇବା ପାଇଁ ରହିଥିବା ମାପଦଣ୍ଡରେ ରିଷିତା ଯୋଗ୍ୟତା ହାସଲ କରିଥିଲା । ପରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ପ୍ରତିଯୋଗିତାରେ ରିଷିତା ଅଂଶଗ୍ରହଣ କରି ୨୮ଟି ରାଜ୍ୟର ନାମ, ୧୦୦ଟି ଦେଶର ରାଜଧାନୀ, ଗ୍ରହ ନକ୍ଷତ୍ର, ସାତ ବାର, ବାର ମାସ ସମେତ ଅନ୍ୟାନ୍ୟ ସମ୍ପର୍ର୍କିତ ଜ୍ଞାନବିଜ୍ଞାନ ପ୍ରଶ୍ନର ଠିକ୍‌ ଉତ୍ତର ଦେଇ ଆଇବିଓଆରରେ ମଧ୍ୟ ସ୍ଥାନ ବଜାୟ ରଖିପାରଛନ୍ତି। ଆଗକୁ ଗିନିଜ୍‌ ବୁକ୍‌ ଅଫ ରେକର୍ଡସରେ କିପରି ସ୍ଥାନ ପାଇବ, ସେଥିଲାଗି ପ୍ରସ୍ତୁତି ଚାଲିଛି ।

Leave A Reply

Your email address will not be published.