
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ସଭାପତିତ୍ୱରେ ବିଭାଗର ଶେଷବର୍ଷର ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ଦାଶ, ଅଧ୍ୟାପିକା ବୁନି ସାହୁ, ଅଧ୍ୟାପକ କାର୍ତ୍ତିକ ବରିହା ଓ ବାଳଗୋପାଳ ମେହେର ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଜୀବନରେ ଶୃଙ୍ଖଳା ଓ ନିଷ୍ଠାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସର୍ବ ଭାରତୀୟ ସ୍ତରରେ ମହାବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଆଣିଥିବା କୃତୀ ଛାତ୍ରୀ ରଶ୍ମି ବାଗଙ୍କୁ ଏହି ଅବସରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ରଶ୍ମି ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ‘ସର୍ବଭାରତୀୟ ଜି.ଭି. ମାଭଲଙ୍କର ସୁଟିଂ ଚାମ୍ପିୟନସିପ୍-୨୦୨୫’ରେ ୫୦ ମିଟର ଜୁନିଅର ମହିଳା ବିଭାଗର ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଛନ୍ତି । ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ବିଭାଗ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ପୂର୍ଣ୍ଣ ମଞ୍ଚ ପରିଚାଳନା ଛାତ୍ର ପ୍ରୟାସଙ୍କ ଦ୍ୱାରା ଅତି ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସୁବ୍ରତ, ହିରଣ୍ମୟୀ, ଜ୍ୟୋତ୍ସ୍ନା, ବୈଷ୍ଣବ, ଦୟାନିଧି, ଜନନୀ, ଲୋଚନ ଓ ଅଞ୍ଜଳି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।