ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ ପୁଣି ଥରେ ବଢ଼ିଛି ବିବାଦ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ ପୁଣି ଥରେ ବଢ଼ିଛି ବିବାଦ । ବୁଡ଼ି ଅଞ୍ଚଳରେ ଥିବା ବିସ୍ଥାପିତ ପରିବାର ଏବେ ଅନିଶ୍ଚିତତା ମଧ୍ୟରେ ଜୀବନ କାଟୁଛନ୍ତି । ଏକପଟେ ବନ୍ୟାଜଳ ଗାଁକୁ ମାଡ଼ି ଆସୁଥିବା ବେଳେ, ଅନ୍ୟପଟେ ସର୍ଭେ, କ୍ଷତିପୂରଣ ଓ ପୁନର୍ବାସନ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଥିବାରୁ ଗ୍ରାମବାସୀଙ୍କ ଅସନ୍ତୋଷ ତୀବ୍ର ହୋଇଛି । ଉପରମୁଣ୍ଡରେ ଲଗାତାର ବର୍ଷା ପରେ ସୁକତେଲ ନଦୀରେ ଜଳସ୍ତର ବଢ଼ିବା ସହ ବନ୍ୟାଜଳ ଲୋଇସିଂହା ନିର୍ବାଚନମଣ୍ଡଳୀର କୁମିଆପାଲି ଗାଁକୁ ପ୍ରବେଶ କରିଛି । ଫଳରେ ଗାଁ ଛାଡ଼ିବେ ନା ଘରେ ରହିବେ, ସେହି ଦ୍ୱନ୍ଦ୍ୱରେ ଅଛନ୍ତି ବିସ୍ଥାପିତ ପରିବାର । ଗ୍ରାମବାସୀଙ୍କ ଅଭିଯୋଗ, କୁମିଆପାଲିର କେବଳ ଅଧା ଅଞ୍ଚଳର ସର୍ଭେ ସରିଥିବା ବେଳେ ଅବଶିଷ୍ଟ ୮୬ଟି ଆଦିବାସୀ ପରିବାରଙ୍କ ସର୍ଭେ ଏପର୍ଯ୍ୟନ୍ତ ହୋଇନାହିଁ । ସର୍ଭେ ଶେଷ ନ ହେବାରୁ ସେମାନେ କ୍ଷତିପୂରଣରୁ ମଧ୍ୟ ବଞ୍ଚିତ ରହିଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ ବାରମ୍ବାର ଗାଁ ଖାଲି କରିବାକୁ ନୋଟିସ ଜାରି ହେଉଛି । ଗ୍ରାମବାସୀଙ୍କ କହିବା ଅନୁସାରେ, ପିଇବା ପାଣି, ସ୍କୁଲ ଭଳି ମୌଳିକ ସେବା ବନ୍ଦ ହୋଇଥିବା ବେଳେ ଖରାପ ରାସ୍ତା ଯୋଗୁଁ ସ୍ୱାସ୍ଥ୍ୟସେବା ମଧ୍ୟ ପହଞ୍ଚିପାରୁନାହିଁ । ଏପରି ସ୍ଥିତିରେ ଦୁଇ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଆଜି କୁମିଆପାଲିର ଆଦିବାସୀ ଓ ବିସ୍ଥାପିତ ପରିବାରର ଲୋକମାନେ ପାରମ୍ପରିକ ଧନୁ-ତୀର ଧରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରଥମେ ସମସ୍ତ ପ୍ରଭାବିତ ପରିବାରଙ୍କ ସର୍ଭେ ସମ୍ପୂର୍ଣ୍ଣ, ଉଚିତ କ୍ଷତିପୂରଣ ଓ ସ୍ଥାୟୀ ପୁନର୍ବାସନ ବ୍ୟବସ୍ଥା କରାଯାଉ, ତା’ପରେ ଗାଁ ଛାଡ଼ିବାକୁ କୁହାଯାଉ ବୋଲି ସେମାନଙ୍କ ଦାବି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.