
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଅଞ୍ଚଳର ଯାତାୟତ ବ୍ୟବସ୍ଥାକୁ ଆଧୁନିକ ଓ ସୁବିଧାଜନକ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଖପ୍ରାଖୋଲ-ଲାଠୋର ରାସ୍ତା ସମ୍ପ୍ରସାରଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ବୁଧବାର ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ପରବର୍ତ୍ତୀ ପଥପ୍ରାନ୍ତ ସଭାରେ ସେ ପ୍ରକଳ୍ପର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ଏହି ରାସ୍ତା ଉନ୍ନତି ପରେ ଅଞ୍ଚଳର ଆର୍ଥିକ ଓ ସାମାଜିକ ଗତିବିଧିରେ ନୂତନ ଗତି ଆସିବ । ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଜ୍ଞାନ ରଞ୍ଜନ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସୂଚନା ମିଳିଥିଲା ଯେ, ଖପ୍ରାଖୋଲରୁ ଲାଠୋର ପର୍ଯ୍ୟନ୍ତ ୧୯ କି.ମି. ରାସ୍ତା ସମ୍ପ୍ରସାରଣ ପାଇଁ ୮ କୋଟି ୧୭ ଲକ୍ଷ ୬ ହଜାର ୬୧୮ ଟଙ୍କା ବ୍ୟୟ ବରାଦ ହୋଇଛି ଏବଂ ପ୍ରକଳ୍ପଟି ଏକ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ଧରାଯାଇଛି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର, ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡଙ୍ଗୀ, ତହସିଲଦାର ଆନନ୍ଦ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏଥିସହ ଉପମୁଖ୍ୟମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ସାଂସଦଙ୍କ ବ୍ଲକ ପ୍ରତିନିଧି ସନ୍ତୋଷ କୁମାର ଭଏଁସାଲ, ଉମାକାନ୍ତ ପ୍ରଧାନ ସହିତ ଶତାଧିକ କର୍ମୀ ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟିକୁ ଅଭୟ ତ୍ରିପାଠୀ ସୂଚାରୁ ଭାବେ ପରିଚାଳନା କରିଥିଲେ ।