
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ସବୁଠି ଉତ୍ସବର ମାହୋଲ । ଏହି ଅବସରରେ ସଦାଇପାଲି ନବଜ୍ୟୋତି କ୍ଲବ ପକ୍ଷରୁ ଆୟୋଜିତ ହୋଇଛି ନୂଆଁଖାଇ ଭେଟଘାଟ ଉତ୍ସବ । ଗତକାଲି ସନ୍ଧ୍ୟା ୭ଟାରେ କ୍ଲବ ପ୍ରାଙ୍ଗଣରେ ଆୟୋଜିତ ଏହି ଉତ୍ସବରେ ନବଜ୍ୟୋତି କ୍ଲବ ସଭାପତି ବାସୁଦେବ ମୁଗ୍ରୀ, ଆଇନଜୀବୀ ଅର୍ଜୁନ ମୁଗ୍ରୀ, ୱାର୍ଡ ସଦସ୍ୟା ରୁକ୍ମଣୀ ବାଗ ଓ ଆଶାକର୍ମୀ ସବିତା ସୁନା ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ଚଳିତ ଶିକ୍ଷାବର୍ଷରେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ସନ୍ଦେଶ ମୁଗ୍ରୀ ଏବଂ ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ଅନିକେତ ମୁଗ୍ରୀଙ୍କୁ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ ନୂଆଁଖାଇର ଉତ୍ସବମୁଖର ପରିବେଶକୁ ଆହୁରି ରଙ୍ଗିନ କରିଥିଲା କୁନି କୁନି କଳାକାରଙ୍କ ସଙ୍ଗୀତ ଓ ନୃତ୍ୟ ପରିବେଷଣ । ଏଥିସହ କଣ୍ଠଶିଳ୍ପୀ ଟିକୁ ଓ ବିଶି ନୂଆଁଖାଇ ଭିତ୍ତିକ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ରିଷିକେଶ ମୁଗ୍ରୀ ପରିଚାଳନା କରିଥିବା ବେଳେ ରାଜେନ୍ଦ୍ର ରାଏ ନିର୍ଦ୍ଦେଶନା ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ନୂଆଁଖାଇ ଭେଟଘାଟ ଜରିଆରେ ସଦାଇପାଲିରେ ଭାଇଚାରା ଓ ସାଂସ୍କୃତିକ ପରମ୍ପରାର ନିଆରା ଝଲକ ଦେଖିବାକୁ ମିଳିଥିଲା ।

