ଆସନ୍ତୁ, ସମସ୍ତେ ମିଶି ବନ୍ଦପାଳନକୁ ସଫଳ କରିବା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସଂପ୍ରତି ବିଶ୍ୱକୁ ଗ୍ରାସ କରି ଚାଲିଥିବା କରୋନା ମହାମାରୀ ଖୁବ ଜୋରରେ ତାର କାୟାବିସ୍ତାର କରି ଆଗକୁ ଆଗକୁ ହୁ ହୁ ହୋଇ ମାଡି ଚାଲିଛି । ଆମ ସହର ପଦ୍ମପୁର ତଥା ଗ୍ରାମାଂଚଳର ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ପଦ୍ମପୁର ସ୍ଥିତ ବଣିକ ସଙ୍ଘ, ଓକିଲ ସଙ୍ଘ, ପଦ୍ମପୁର ନାଗରିକ କମିଟୀ ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖ ସଂଘମାନଙ୍କ ପକ୍ଷରୁ ଧନଜୀବନକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଆସନ୍ତା ୨୮ ତାରିଖ ସୋମବାର ରାତ୍ର ୯ ଘଟିକା ସମୟରୁ ଆସନ୍ତା ଅକଟୋବର ୦୫ ତାରିଖ ସୋମବାର ମଧ୍ୟରାତ୍ର ଯାଏଁ ପଦ୍ମପୁର ସହରାଂଚଳରେ ଥିବା ସମସ୍ତ ଦୋକାନ ବଜାର, ଏପରିକି ଉଠା ଦୋକାନଠାରୁ ଆରମ୍ଭ କରି ଦୈନିକ ବଜାର(ହଟଲି) ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।

ଅତ୍ୟାବଶ୍ୟକୀୟ ସେବା ପ୍ରଦାନ କରୁଥିବା କେତେକ ଦୋକାନ ଯଥା- ଓୌଷଧ ଦୋକାନ, ଚାଷୀମାନଙ୍କ ପାଇଁ ସାର ଓ କୀଟନାଶକ ଦୋକାନ, କ୍ଷୀର ଦୋକାନ, ପେଟ୍ରୋଲ ଓ ଡିଜେଲ ପମ୍ପ ସମେତ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ ଲାଇନ ଫର୍ମ ପୂରଣ ସକାଶେ କମ୍ପୁଟର ଦୋକାନ ଖୋଲା ରହିବ ।

ପୁନଶ୍ଚ ଜନସାଧାରଣଙ୍କୁ ନିବେଦନ ଏହି କି, ଅତି ଜରୁରୀ କାମ ନଥିଲେ ଘରୁ ପଦାକୁ ବାହାରନ୍ତୁ ନାହିଁ । ଅବଶ୍ୟ ଘରୁ ପଦାକୁ କୌଣସି ଜରୁରୀ କାମରେ ବାହାରିଲେ ନିଶ୍ଚିତ ଭାବେ ମୁହଁରେ ମାକ୍ସ ସଦାସର୍ବଦା ଲଗାଇ ବାହାରିବା ସଙ୍ଗେ ସଙ୍ଗେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେବେ । ଏଣୁ ଆସନ୍ତୁ ସମସ୍ତେ ମିଶି ସରସ ସୁନ୍ଦର ବୋଡାସମ୍ବର ଅଂଚଳକୁ ସମ୍ମାନ ଦେବା ଏବଂ ସମସ୍ତଙ୍କ ସହଯୋଗରେ ଆମ ଅଂଚଳକୁ ସୁରକ୍ଷିତ ରଖିବା ସହିତ ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ଓ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବା ବୋଲି ଆ‌ହ୍ୱାନ ଦିଆଯାଇଛି ।

Leave A Reply

Your email address will not be published.