ଖପ୍ରାଖୋଲ ଅବକାରୀ ବିଭାଗକୁ ବଡ ଧରଣର ସଫଳତା : ୧୦୨ କ୍ୱିଣ୍ଟାଲ ମହୁଲ ଫୁଲ ଜବତ, ଜଣେ ଅଭିଯୁକ୍ତ ଗିରଫ

csstore

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅବକାରୀ ବିଭାଗକୁ ଆଜି ଏକ ବଡ଼ ସଫଳତା ମିଳିଛି । ଜିଲ୍ଲା ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଏବଂ ବଲାଙ୍ଗିର ଡ଼ିଏସ୍‌ଇ ହରିହର ଧୋଳଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ବଲାଙ୍ଗିର ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍‌, ପାଟଣାଗଡ଼, ଖପ୍ରାଖୋଲ ଏବଂ କଣ୍ଟାବାଞ୍ଜି ଅବକାରୀ ଥାନାର କର୍ମଚାରୀମାନେ ମିଳିତ ଭାବରେ ଚଢ଼ାଉ କରିଥିଲେ । କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମ ଠାରେ ଥିବା ଏମ୍‌ଡି ଫିରୋଜଙ୍କ ଗୋଦାମ ଉପରେ ମଙ୍ଗଳବାର ରାତିରେ ଚଢ଼ାଉ କରିଥିଲେ । ଅବକାରୀ କର୍ମଚାରୀମାନେ ବେଆଇନ ଭାବେ ମହଜୁଦ ରଖିଥିବା ମହୁଲ ଫୁଲକୁ ଜବତ କରିଥିଲେ । ଯାହାର ମୋଟ ପରିମାଣ ଥିଲା ୧୦୨ କ୍ଵିଣ୍ଟାଲ । ଏହାର ବଜାର ମୂଲ୍ୟ ପ୍ରାୟ ୫ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଅବକାରୀ ମୋବାଇଲ ଇନ୍ସପେକ୍ଟର ଜୟଦେବ ପଧାନ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଫିରୋଜକୁ ଘଟଣାସ୍ଥଳରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ତେବେ ଏତେ ପରିମାଣରେ ମହୁଲକୁ ଜବତ କରିବା ଖପ୍ରାଖୋଲ ଅବକାରୀ ବିଭାଗର ଏକ ସର୍ବକାଳୀନ ରେକର୍ଡ ବୋଲି ଜଣାପଡ଼ିଛି । ତେବେ ଜବତ ହୋଇଥିବା ମହୁଲକୁ ଅବକାରୀ କର୍ମଚାରୀମାନେ ଧଣ୍ଡାମୁଣ୍ଡା ଓଏସ୍‌ ସପ୍‌କୁ ଜିମା ଦେଇଥିବା ସୂଚନା ମିଳିଛି । ଏହି ଚଢ଼ାଉ ବେଳେ ବଲାଙ୍ଗିର ଜିଲ୍ଲା ଅବକାରୀ ମୋବାଇଲ ୟୁନିଟର ଇନ୍ସପେକ୍ଟର ମଞ୍ଜୁ ପ୍ରତିମା ଏକ୍କା, ସଦର ଅବକାରୀ ଇନ୍ସପେକ୍ଟର ସରୋଜ ପରିଡା, କଣ୍ଟାବାଞ୍ଜି ଇନ୍ସପେକ୍ଟର ସଚିନ ବେହେରା, ଖପ୍ରାଖୋଲ ଅବକାରୀ ସବ ଇନ୍ସପେକ୍ଟର କେଶବ ଧରୁଆ, ପାଟଣାଗଡ଼ ଅବକାରୀ ସବ୍‌ ଇନ୍ସପେକ୍ଟର ରାଜକୁମାର ବେହେରାଙ୍କ ସମେତ ସମସ୍ତ ଅବକାରୀ ବିଭାଗର ଟିମ୍‌ ଉପସ୍ଥିତ ଥିଲେ ।

Leave A Reply

Your email address will not be published.