pakka

ସ୍ୱନିଧି ମହୋତ୍ସବ ଆୟୋଜିତ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ରାସ୍ତାକଡ ଉଠା ଦୋକାନୀଙ୍କ ଆର୍ଥିକ ସ୍ୱଚ୍ଛଳତା ବୃଦ୍ଧି ଓ ପାରିବାରିକ ଉନ୍ନତି ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସ୍ୱନିଧି ମହୋତ୍ସବ ଆଜି ଜର୍ଜ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଯାଇଛି । ପୌର ପରିଷଦ, ବରଗଡ଼ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ ଉଠା ଦୋକାନୀଙ୍କ ବିଭିନ୍ନ ପ୍ରକାର ସମସ୍ୟା ଉପରେ ଆଲୋକପାତ କରି ଏହାର କିପରି ସ୍ଥାନୀୟ ପ୍ରଶାସନିକ ସ୍ତରରେ ସମାଧାନ ହୋଇପାରିବ ସେଥପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ଏସ୍‌ପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ ପ୍ରମୁଖ ସ୍ୱନିଧି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ପୌରାଧ୍ୟକ୍ଷା କଳ୍ପନା ମାଝୀ ପରିଚାଳନା କରିଥିବା ବେଳେ ପରିଷଦର ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ସ୍ୱାଗତ ଭାଷଣ ଓ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ । ପ୍ରାରମ୍ଭରେ ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ଅତିଥିମାନେ ଦୀପ ପ୍ରଜ୍ୱଳନ କରିଥିଲେ । ପରେ ବରଗଡ଼ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏହି ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଉଠା ଦୋକନ କରି ଜୀବିକା ନିର୍ବାହ କରୁଥିବା ଲୋକଙ୍କ ଉପରେ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା । ସେହିପରି ଉଠା ଦୋକାନ ପାଇଁ ବ୍ୟାଙ୍କରୁ ଋଣ ମଞ୍ଜୁର ଦୋକାନୀଙ୍କୁ ଅତିଥିମାନେ ପ୍ରମାଣପତ୍ର ପ୍ରଦାନ କରିଥିଲେ । ସେହିପରି ୧୮ ଜଣଙ୍କୁ ଦୀର୍ଘ ବର୍ଷ ଧରି ଏହି କାର୍ଯ୍ୟରେ ସଫଳତା ହାସଲ କରିଥିବା ଉଠା ଦୋକାନୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶେଷରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ ।

Leave A Reply

Your email address will not be published.

eight + thirteen =