
ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନୋଡାଲ୍ ସ୍କୁଲ୍ ପ୍ରଧାନ ଶିକ୍ଷକ ଏବଂ ବିଦ୍ୟାଳୟ ନେତୃବର୍ଗଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର, (ପିଆଇବି) : ଜାତୀୟ ଶିକ୍ଷାନୀତି ୨୦୨୦ ଓ ଜାତୀୟ ବିଦ୍ୟାଳୟ ଶିକ୍ଷା ପାଠ୍ୟକ୍ରମ ରୂପରେଖ ୨୦୨୩କୁ ନେଇ ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ନେତୃତ୍ୱଙ୍କ ପାଇଁ ଏକ ତିନିଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଉଦ୍ଯାପିତ ହୋଇଯାଇଛି । ଏନ୍.ସି.ଇ.ଆର.ଟି ର ପାଠ୍ୟକ୍ରମ ଅଧ୍ୟୟନ ଓ ବିକାଶ ବିଭାଗ ଦ୍ୱାରା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ସହଯୋଗରେ ଏହି କାର୍ଯ୍ୟକ୍ରମ ଗତ ୧୨ ତାରିଖରୁ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମକୁ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଲକ୍ଷ୍ମୀଧର ବେହେରା ଉଦ୍ଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ ନୋଡାଲ ପ୍ରଧାନଶିକ୍ଷକ ଓ ବିଦ୍ୟାଳୟ ନେତୃତ୍ୱଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ଜାତୀୟ ଶିକ୍ଷାନୀତି ୨୦୨୦ ଓ ଜାତୀୟ ବିଦ୍ୟାଳୟ ଶିକ୍ଷା ପାଠ୍ୟକ୍ରମ ରୂପରେଖ ୨୦୨୩ର ଅଭିମୁଖ୍ୟକୁ ବିଦ୍ୟାଳୟସ୍ତରରେ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ । ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିବା ସହ ବିଦ୍ୟାଳୟଗୁଡ଼ିକୁ ଶିକ୍ଷାଗତ ସହାୟତା ପ୍ରଦାନପୂର୍ବକ ଏହି ସବୁ ନୀତିର କାର୍ଯ୍ୟକାରିତା ଦିଗରେ ବିଦ୍ୟାଳୟ ନେତୃତ୍ୱଙ୍କୁ ଉତ୍ସାହିତ କରିଥିଲେ । ଉଦ୍ଘାଟନୀ ଅଧିବେଶନରେ ପ୍ରଫେସର ରୀତାଞ୍ଜଳି ଦାଶଙ୍କ ସମେତ ପ୍ରଫେସର ଆର୍.ଆର୍. କୋଇରାଙ୍ଗ୍, ଡ. ସୁଖବିନ୍ଦର ଏନ୍.ସି.ଇ.ଆର୍.ଟି ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରଫେସର ଶଙ୍କର ପ୍ରସାଦ ମହାନ୍ତି, ଅଧ୍ୟାପକ, ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ଥିଲା ଜାତୀୟ ଶିକ୍ଷାନୀତି ୨୦୨୦ ଓ ଜାତୀୟ ବିଦ୍ୟାଳୟ ଶିକ୍ଷା ପାଠ୍ୟକ୍ରମ ରୂପରେଖ ୨୦୨୩ର ସୁପାରିସଗୁଡ଼ିକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ଦିଗରେ ପ୍ରଧାନଶିକ୍ଷକମାନଙ୍କର ନେତୃତ୍ୱ ଓ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା । ଏଥିରେ ଜାତୀୟ ଶିକ୍ଷାନୀତି ୨୦୨୦ ଓ ପାଠ୍ୟକ୍ରମ ରୂପରେଖ ୨୦୨୩ର ପ୍ରମୁଖ ବିଶେଷତ୍ୱ, ଶିକ୍ଷାରେ ପରିବର୍ତ୍ତନ ଆଣିବାରେ ବିଦ୍ୟାଳୟ ନେତୃବର୍ଗଙ୍କ ଭୂମିକା, ବିଦ୍ୟାଳୟ ସଂସ୍କୃତି ଓ ପ୍ରକ୍ରିୟାକୁ ସୁଦୃଢ଼ କରିବା, ପାଠ୍ୟକ୍ରମ ଓ ଶିକ୍ଷାଦାନ ପଦ୍ଧତିରେ ସଂସ୍କାର, ଦକ୍ଷତା ଆଧାରିତ ମୂଲ୍ୟାୟନ, ସାମଗ୍ରିକ ପ୍ରଗତି କାର୍ଡ, ସମାବେଶୀ ଶିକ୍ଷା, ମାନସିକ ସ୍ୱାସ୍ଥ୍ୟ ଓ ସୁସ୍ଥତା, ଶିକ୍ଷାକ୍ଷେତ୍ରରେ ଡିଜିଟାଲ୍ ପ୍ରଯୁକ୍ତିର ବ୍ୟବହାର ଓ ନିରନ୍ତର ବୃତ୍ତିଗତ ବିକାଶ ମାଧ୍ୟମରେ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଏନ୍.ସି.ଇ.ଆର୍.ଟି. ଏବଂ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ବିଶେଷଜ୍ଞ ପ୍ରଫେସର ଆର୍.ଆର୍. କୋଇରାଙ୍ଗ୍, ପ୍ରଫେସର ଅନୁପମ ଆହୁଜା, ପ୍ରଫେସର ଶଙ୍କର ପ୍ରସାଦ ମହାନ୍ତି, ଡ. ସୁଖବିନ୍ଦର ଓ ଡ. ଟି.କେ. ରାଓ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସମିତି ଓ ରାଜ୍ୟ ବିଦ୍ୟାଳୟଗୁଡ଼ିକ ଦ୍ୱାରା ମନୋନିତ ୫୧ଜଣ ପ୍ରଧାନ ଶିକ୍ଷକ ଏବଂ ବିଦ୍ୟାଳୟ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ପାଠ୍ୟକ୍ରମ ଅଧ୍ୟୟନ ଓ ବିକାଶ ବିଭାଗ ଏନ୍ସିଇଆର୍ଟିର ପ୍ରଫେସର ଆର୍.ଆର୍. କୋଇରାଙ୍ଗ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରଫେସର ଶଙ୍କର ପ୍ରସାଦ ମହାନ୍ତି ।