
ସଇଁତଲା, (କେପିଏନ୍ଏସ୍) : ସଇଁତଲା ଥାନା ଅନ୍ତର୍ଗତ ବିବିନା ସ୍ଥିତ ଶିବା ଏଗ୍ରୋ ରାଇସ୍ ମିଲରେ ଏକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଧାନ ଉବାଉଥିବା ସମୟରେ ଜଣେ ଶ୍ରମିକ ଧାନ ବଏଲ ପାଖରେ ଖସିପଡ଼ି ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତର ଶ୍ରମିକ ଜଣକ ସକୁଳିଆବାହାଲ ଗାଁର କୁଶ ବାଗ ବୋଲି ସୂଚନା ମିଳିଛି । ଦୁର୍ଘଟଣା ପରେ ସହକର୍ମୀ ଓ ମିଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ପ୍ରଥମେ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ପରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ, ଘଟଣାକୁ ଚାପି ଦେବା ପାଇଁ ମିଲ ପକ୍ଷରୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ପାଖରେ କୌଣସି ଆନୁଷ୍ଠାନିକ ସୂଚନା ପହଞ୍ଚି ନଥିବା କୁହାଯାଉଛି । ଏହି ଘଟଣା ପରେ ଶ୍ରମିକ ସୁରକ୍ଷା ଓ କାରଖାନାର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଛି । ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଓ ସତ୍ୟତା ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି ।