om academy

ସଂସଦୀୟ କ୍ଷେତ୍ରର କୋଭିଡ୍‍ ସମୀକ୍ଷା କଲେ ସାଂସଦ ଅଚ୍ୟୁତ ସାମନ୍ତ

jsm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳରେ କୋଭିଡ୍‍ ପରିଚାଳନା ନେଇ ସାଂସଦ ଅଚ୍ୟୁତ ସାମନ୍ତ ନିୟମିତ ସମୀକ୍ଷା ଜାରି ରଖିଛନ୍ତି । ପ୍ରତି ସପ୍ତାହରେ ସଂସଦୀୟ କ୍ଷେତ୍ରର ବିଭିନ୍ନ ଜିଲାପାଳଙ୍କ ସହ କୋଭିଡ୍‍ ପରିଚାଳନା ନେଇ ଆଲୋଚନା କରି ଆସୁଛନ୍ତି । ଚଳିତ ସପ୍ତାହରେ ସାଂସଦ ଶ୍ରୀ ସାମନ୍ତ ବୌଦ୍ଧ ଓ କନ୍ଧମାଳ ଜିଲାପାଳଙ୍କ ସହ ଟେଲିଫୋନ ଯୋଗେ ଉଭୟ ଜିଲ୍ଲାର ସ୍ଥିତି ସମୀକ୍ଷା କରିଥିଲେ। ଇତି ମଧ୍ୟରେ ବୌଦ୍ଧ ଓ କନ୍ଧମାଳ ଜିଲାକୁ ମଧ୍ୟ କରୋନା ବ୍ୟାପିଥିବା ବେଳେ କୋଭିଡ୍‍ ପରିଚାଳନା କ୍ଷେତ୍ରରେ ଜିଲାପାଳ ଓ ପ୍ରଶାସନିକ ଅଧିକାରୀମାନେ ପୂର୍ଣ୍ଣମାତ୍ରାରେ ଲାଗି ପଡ଼ିଛନ୍ତି। ଯାହା ଦ୍ୱାରା ସଂକ୍ରମଣ ନିୟନ୍ତ୍ରଣରେ ସଫଳତା ମିଳିପାରିଛି। ବୌଦ୍ଧ ଜିଲାରେ ୧୨୦ ଶଯ୍ୟା ଓ ଭେଣ୍ଟିଲେଟର୍‍ ସହ ୬ ଆଇସିୟୁ ଥିବା ବେଳେ କୋଭିଡ୍‍ କେୟାର କେନ୍ଦ୍ରରେ ୨୦୦ ଶଯ୍ୟା ଉପଲବ୍‍ଧ ରହିଛି । ରବିବାର ସୁଦ୍ଧା ୬୦ଜଣ କରୋନା ସଂକ୍ରମିତ ରୋଗୀ ଚିକିତ୍ସାଧୀନ ରହିଥିବା ସାଂସଦ ଜାଣିବାକୁ ପାଇଛନ୍ତି । ସଂପ୍ରତି ଦେଶର ବିଭିନ୍ନ ସ୍ଥାନରେ ଅମ୍ଳଜାନ ପ୍ଲାଣ୍ଟ ଖୋଲିବା ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ପରେ ଏବେ ବୌଦ୍ଧ ଜିଲ୍ଳାକୁ ଏକ ପ୍ଲାଣ୍ଟ ମିଳିଛି । ବୌଦ୍ଧ ଏନ୍‍ଏଚ୍‍ଆଇ ଏହାର ନିର୍ମାଣ କାର୍ୟ୍ୟ କରୁଥିବା ବେଳେ ପ୍ଲାଣ୍ଟର ବୈଷୟିକ କାର୍ୟ୍ୟ ଡିଆର୍‍ଡିଏ ହାତକୁ ନେଇଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ପ୍ଲାଣ୍ଟ କାର୍ୟ୍ୟକ୍ଷମ ହୋଇ ଅମ୍ଳଜାନ ଯୋଗାଣ କାର୍ୟ୍ୟ ଆରମ୍ଭ ହେବ । ସେହିପରି କନ୍ଧମାଳ ଜିଲାକୁ ମଧ୍ୟ ଏକ ଅମ୍ଳଜାନ ପ୍ଲାଣ୍ଟ ମିଳିଥିବା ବେଳେ ଖୁବ୍‍ ଶୀଘ୍ର ଏଠାରେ କାମ ଆରମ୍ଭ ହେବାକୁ ଯାଉଛି । ବୌଦ୍ଧ ଓ କନ୍ଧମାଳ ଜିଲାରେ ଅମ୍ଳଜାନ ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଥିବାରୁ ସାଂସଦ ସନ୍ତୋଷ ପ୍ରକାଶ କରି ଭାରତ ସରକାର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ସେହିପରି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ଓଡ଼ିଶା କୋଭିଡ୍‍ ହସ୍‍ପିଟାଲ୍‍ ଚାଲୁ ରହିଥିବା ବେଳେ ଏହାର ପରିଚାଳନା ଦାୟିତ୍ୱ କିମ୍‍ସକୁ ଦିଆଯାଇଛି । ଏଥିରେ ୮୦ ସାଧାରଣ ଶଯ୍ୟା,୨୦ ଏଚଡିୟୁ ଶଯ୍ୟା ଏବଂ ୨୦ ଆସିୟୁ ଶଯ୍ୟା ରହିଥିବା ବେଳେ ଏବେ ୫୨ଜଣ ରୋଗୀ ରହିଛନ୍ତି ବୋଲି ସମୀକ୍ଷା ସମୟରେ ସାଂସଦ ଶ୍ରୀ ସାମନ୍ତ ଜାଣିବାକୁ ପାଇଛନ୍ତି । ଏଥିସହ ଜିଲାର ବିଭିନ୍ନ ସ୍ଥାନରେ ୭ଟି କୋଭିଡ୍‍ କେୟାର ସେଣ୍ଟର ରହିଥିବା ବେଳେ ଏଥିରେ ମୋଟ୍‍ ୧୨୯୫ ଶଯ୍ୟା ରହିଛି । କନ୍ଧମାଳ ଜିଲାପାଳ ଓ ଜିଲା ପ୍ରଶାସନିକ ଅଧିକାରୀମାନେ ମଧ୍ୟ କୋଭିଡ୍‍ ପରିଚାଳନା ପାଇଁ ଯଥେଷ୍ଟ ପ୍ରୟାସ ଜାରି ରଖିଛନ୍ତି । ସାଂସଦ ଶ୍ରୀ ସାମନ୍ତଙ୍କ ଦ୍ୱାରା ତାଲାବନ୍ଦ ସମୟରେ ଓଡ଼ିଶାର ୧୫ ଜିଲ୍ଲାରେ ଆରମ୍ଭ କରାଯାଇଥିବା ମଧ୍ୟାହ୍ନ ଭୋଜନ ବଣ୍ଟନ କାର୍ୟ୍ୟକ୍ରମରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ମଧ୍ୟ ସାମିଲ କରଯାଇଛି । ସେହିପରି ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ସହ କୋଭିଡ୍‍ ପରିଚାଳନା ନେଇ ସାଂସଦ ଅଲୋଚନା କରିଥିବା ବେଳେ ଭଞ୍ଜନଗରରେ କୋଭିଡ୍‍ ପରିଚାଳନା ନେଇ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସହ ଆଲୋଚନା କରିଥିଲେ । କନ୍ଧମାଳ ସଂସଦୀୟ କ୍ଷେତ୍ର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସାଂସଦ ଶ୍ରୀ ସାମନ୍ତ ସୂଚନା ଦେଇ କହିଛନ୍ତି ସଂସଦୀୟ କ୍ଷେତ୍ରରେ କୋଭିଡ୍‍ ନେଇ ଯେତେବେଳେ ଯାହା ଆବଶ୍ୟକ ହେବ ସେ ତୁରନ୍ତ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି । ଶ୍ରୀ ସାମନ୍ତ ଭୁବନେଶ୍ୱର ରହୁଥିବାରୁ ସଂସଦୀୟ କ୍ଷେତ୍ରରୁ ଭୁବନେଶ୍ୱରକୁ ଆସୁଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝୁଛନ୍ତି ।

Leave A Reply

Your email address will not be published.