ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ ଚୋରୀ ଅଭିଯୋଗ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଥିବା ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ ଗୁଡିକ ଶନିବାର ରାତିରେ ଦୁର୍ବୃତ୍ତମାନେ ଚୋରୀ କରିଥିବା କର୍ଲାମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି । ତେବେ ଦୁର୍ବୃତ୍ତମାନେ ଗ୍ରାହକ ସେବାକେନ୍ଦ୍ରର ତାଲା ଭାଙ୍ଗି କୋଠରୀ ଭିତରେ ଥିବା ତିନୋଟି ଜେରକ୍ସ ମେସିନ, ଗୋଟିଏ ସିପିୟୁ ଓ ନଗଦ କୋଡିଏ ହଜାର ଟଙ୍କା ନେଇଯାଇଥିବା ଗ୍ରାହକ ସେବାକେନ୍ଦ୍ରର କର୍ମଚାରୀ ମଚିନ୍ଦ୍ର ସାହୁ ଲିଖିତ ଅଭିଯୋଗ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗ୍ରାହକ ସେବାକେନ୍ଦ୍ର ପାଖ ଏସ୍‌ବିଆଇ ଏଟିଏମ୍ କାଉଣ୍ଟର୍‌ର ମଧ୍ୟ ସଟର ଭାଙ୍ଗି ଚୋରୀ କରିବାକୁ ଉଦ୍ୟମ କରିଥିଲେ ହେଁ ଦୁର୍ବୃତ୍ତମାନେ ସଫଳ ହୋଇ ପାରିନଥିବା ଜଣାପଡ଼ିଛି । ଏତଲା ପାଇବା ପରେ ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ । ହେଲେ ଚୋରର ସନ୍ଧାନ ମିଳିପାରିନାହିଁ । ଏନେଇ ମ.ରାମପୁର ଥାନାରେ କେଶ ନଂ ୨୬୭ ଦଫା ୪୫୭,୩୮୦ରେ ମାମଲା ରୁଜୁ ହୋଇଛି । ବାରମ୍ବାର ଏ ଅଞ୍ଚଳରେ ଚୋରି ଉପଦ୍ରବ ବୃଦ୍ଧି ପାଉଥିବାରୁ ପୋଲିସ ପେଟ୍ରୋଲିଂ ଜୋର୍‌ଦାର୍‌ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

five + 14 =