ପ୍ରବଳ ଉତ୍ତେଜନା ମଧ୍ୟରେ ସଂସଦର ଶୀତକାଳୀନ ଅଧିବେଶନ ଗୋଟିଏ ଦିନ ପୂର୍ବରୁ ଆଜି ଶେଷ ହୋଇପାରେ

ନୂଆଦିଲ୍ଲୀ : ଲୋକସଭା ଓ ରାଜ୍ୟସଭାରେ ବିରୋଧୀଙ୍କ ଭିନ୍ନ ଭିନ୍ନ ଦାବୀ ଏବଂ ପ୍ରସଙ୍ଗ ଯୋଗୁଁ ଗୃହରେ ଲଗାତାର ଅଡୁଆ ଲାଗିରହିଛି । କିନ୍ତୁ, ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ବୁଧବାର ଦିନ(ଆଜି) ଶେଷ ହେବାର ସମ୍ଭାବନା ଅଛି । ସଂସଦୀୟ ସଚିବାଳୟ ସୂତ୍ରରୁ ପ୍ରକାଶ ଯେ, ବର୍ତ୍ତମାନ ପର୍ୟ୍ୟନ୍ତ ଅଧିକାଂଶ ସରକାରୀ ବିଧେୟକ ସଂପୂର୍ଣ୍ଣ ହୋଇସାରିଛି, ବର୍ତ୍ତମାନର ଅଧିବେଶନ ନିର୍ଦ୍ଧାରିତ କାର୍ୟ୍ୟସୂଚୀଠାରୁ ଏକ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇପାରେ । ଏହି ଶୀତ ଅଧିବେଶନ ଗତ ନଭେମ୍ବର ୨୯ରେ ଆରମ୍ଭ ହୋଇଥିଲା ଏବଂ ଡିସେମ୍ବର ୨୩ ପର୍ୟ୍ୟନ୍ତ ଜାରି ରଖିବାକୁ ସ୍ଥିର ହୋଇଥିଲା ।

ଏହି ସମଗ୍ର ଅଧିବେଶନ ବିରୋଧୀଙ୍କ ହଂଗାମା ଦେଇ ଚାଲିଥିଲା । ବାସ୍ତବରେ ଲଖିମପୁର ଖେରୀ ହିଂସା, କୃଷକଙ୍କ ସମସ୍ୟା ଏବଂ ୧୨ ଜଣ ସଦସ୍ୟଙ୍କ ନିଲମ୍ବନକୁ ନେଇ ବିରୋଧୀ ସଂସଦର ଉଭୟ ଗୃହରେ ସରକାରଙ୍କୁ ଘେରି ରହିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବୀରେ ବିରୋଧୀଦଳ ଜିଦ୍ ଧରିଛନ୍ତି । ସେପଟେ ସରକାର ଏହା ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ବାରଣ କରୁଛନ୍ତି। ମଙ୍ଗଳବାର ଦିନ ତ୍ର୍ରୁଣମୂଳ କଂଗ୍ରେସ (ଟିଏମସି) ନେତା ଡେରେକ ଓ ବ୍ରାଏନଙ୍କୁ ସେକ୍ରେଟେରୀ ଜେନେରାଲଙ୍କ ଉପରକୁ ରୁଲ୍‌ ବୁକ୍‌ ଫିଙ୍ଗିଥିବାରୁ ନିଲମ୍ବିତ କରାଯାଇଛି । ଚଳିତ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଡେରେକ ଓ ବ୍ରାଏନଙ୍କୁ ନିଲମ୍ବିତ କରାଯାଇଛି ଜ୍ଝ ସେହିପରି ରାଜ୍ୟସଭାରେ ଭୋଟର ପରିଚୟ ପତ୍ର ସହିତ ଆଧାର କାର୍ଡ ସହିତ ଲିଙ୍କ୍ ସମ୍ପର୍କିତ ନିର୍ବାଚନ ଆଇନ୍ (ସଂଶୋଧନ) ବିଲ୍ ୨୦୨୧ ର ପାସ୍ ସମୟରେ କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳ ଅଡୁଆ ସୃଷ୍ଟି କରିଥିଲେ ।

ଧ୍ୱନୀ ମତ ଦ୍ୱାରା ଏହି ଅଧିବେଶନରେ ଭୋଟର୍‌ କାର୍ଡ ସହିତ ଆଧାର କାର୍ଡ ଲିଙ୍କ୍ ସଂପର୍କୀତ ନିର୍ବାଚନ ଆଇନ୍ (ସଂଶୋଧନ) ବିଲ୍ ୨୦୨୧ ସରକାର ପାସ୍ କରିଛନ୍ତି । ବିରୋଧୀଦଳର ସଦସ୍ୟମାନେ ଏହି ବିଲ୍ ଚୟନ କମିଟି ନିକଟକୁ ପଠାଇବାକୁ ଦାବୀ କରିଥିଲେ । ସରକାର ଯୁକ୍ତି ବାଢ଼ିଛନ୍ତି ଯେ, ନିର୍ବାଚନ ତାଲିକାରେ ନକଲ ଏବଂ ନକଲି ଭୋଟ୍ ରୋକିବା ପାଇଁ ଏହି ବିଲ୍ ଆବଶ୍ୟକ । ଏହା ପାସ୍‌ ହୋଇଯାଇଛି । ଲୋକସଭା ଏହାକୁ ଗୋଟିଏ ଦିନ ପୂର୍ବରୁ ପାସ୍‌ କରିଛି । ବର୍ତ୍ତମାନ ଏହା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ, ଦସ୍ତଖତ ପରେ ଏହା ଆଇନ ରୂପ ନେବ ।

Leave A Reply

Your email address will not be published.