ମହାରାଷ୍ଟ୍ର ରୋଜଗାର ମେଳାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

  • “ଯୁବକମାନଙ୍କୁ ରୋଜଗାର ଯୋଗାଇବା ଦିଗରେ ମହାରାଷ୍ଟ୍ର ସରକାର ଦୃଢ ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି”
  • “ଚାକିରିର ପ୍ରକାର ଦ୍ରୁତ ଗତିରେ ବଦଳୁଛି ଏବଂ ସରକାର ମଧ୍ୟ ବିଭିନ୍ନ ପ୍ରକାରର ଚାକିରି ପାଇଁ ନିରନ୍ତର ସୁଯୋଗ ସୃଷ୍ଟି କରୁଛନ୍ତି”
  • “ରୋଜଗାର ଏବଂ ଆତ୍ମନିଯୁକ୍ତିର ସୁଯୋଗ ଦଳିତ-ପଛୁଆ, ଆଦିବାସୀ, ସାଧାରଣ ଶ୍ରେଣୀ ଏବଂ ମହିଳାଙ୍କ ପାଇଁ ସମାନ ଭାବରେ ଉପଲବ୍ଧ ହେଉଛି”
  • “ମହାରାଷ୍ଟ୍ର ପାଇଁ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୨୨୫ ଟି ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି”

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମହାରାଷ୍ଟ୍ର ସରକାରଙ୍କ ରୋଜଗାର ମେଳାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଧନତେରାସରେ ଜାତୀୟ ସ୍ତରରେ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । କେନ୍ଦ୍ର ସରକାରଙ୍କ ସ୍ତରରେ ୧୦ ଲକ୍ଷ ଚାକିରି ଯୋଗାଇବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିଲା ।

ସେବେଠାରୁ ପ୍ରଧାନମନ୍ତ୍ରୀ ଗୁଜୁରାଟ ଏବଂ ଜାମ୍ମୁ ଓ କାଶ୍ମୀର ସରକାରଙ୍କ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି । ରୋଜଗାର ମେଳାର ଆୟୋଜନ ଏତେ କମ୍ ସମୟ ମଧ୍ୟରେ ହୋଇଥିବାରୁ ଏହା ସ୍ପଷ୍ଟ ଯେ ମହାରାଷ୍ଟ୍ର ସରକାର ଯୁବକମାନଙ୍କୁ ରୋଜଗାର ଯୋଗାଇବା ଦିଗରେ ଦୃଢ ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି । ମୁଁ ମଧ୍ୟ ଖୁସି ଯେ ଆଗାମୀ ସମୟରେ ମହାରାଷ୍ଟ୍ରରେ ଏଭଳି ନିଯୁକ୍ତି ମେଳା ଆହୁରି ବ୍ୟାପକ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି । ମହାରାଷ୍ଟ୍ରର ଗୃହ ବିଭାଗ ଏବଂ ରାଜ୍ୟର ଗ୍ରାମୀଣ ବିକାଶ ବିଭାଗରେ ହଜାର ହଜାର ନିଯୁକ୍ତି ହେବ ।

ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ଅମୃତ କାଳରେ ବିକଶିତ ଭାରତର ଲକ୍ଷ୍ୟ ଉପରେ ଦେଶ କାର୍ଯ୍ୟ କରୁଛି ଯେଉଁଠାରେ ଯୁବକମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ସେ କହିଛନ୍ତି ପରିବର୍ତ୍ତିତ ସମୟରେ ନିଯୁକ୍ତିର ପ୍ରକାର ଦ୍ରୁତ ଗତିରେ ବଦଳୁଛି, ସରକାର ମଧ୍ୟ ବିଭିନ୍ନ ପ୍ରକାରର ଚାକିରି ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି । ସେ କହିଛନ୍ତି ଯେ ମୁଦ୍ରା ଯୋଜନା ଯୁବକମାନଙ୍କୁ ବନ୍ଧକ ମୁକ୍ତ ଋଣ ଦେଉଛି ଏବଂ ୨୦ ଲକ୍ଷ କୋଟି ଟଙ୍କା ମୂଲ୍ୟର ଋଣ ପ୍ରଦାନ କରାଯାଇ ସାରିଛି । ସେହିଭଳି ଷ୍ଟାର୍ଟ ଅପ୍ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଏକ ବଡ଼ ଉପାୟରେ ସମର୍ଥନ କରାଯାଉଛି । ମହାରାଷ୍ଟ୍ରର ଯୁବକମାନେ ଏଥିରୁ ଉପକୃତ ହୋଇଛନ୍ତି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ସରକାରଙ୍କ ଉଦ୍ୟମ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦଳିତ-ପଛୁଆ, ଆଦିବାସୀ, ସାଧାରଣ ବର୍ଗ ଏବଂ ମହିଳାଙ୍କ ପାଇଁ ରୋଜଗାର ଏବଂ ଆତ୍ମନିଯୁକ୍ତି ଲାଗି ଏହି ସୁଯୋଗଗୁଡ଼ିକ ସମାନ ଭାବରେ ଉପଲବ୍ଧ ହେଉଛି । ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ୮ କୋଟି ମହିଳାଙ୍କୁ ୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ସହାୟତା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଦେଶର ଭିତ୍ତିଭୂମି, ସୂଚନା ପ୍ରଯୁକ୍ତିବିଦ୍ୟା ତଥା ଅନ୍ୟାନ୍ୟ କ୍ଷେତ୍ରରେ ସରକାର ଯେଉଁ ରେକର୍ଡ ପରିମାଣର ପୁଞ୍ଜି ବିନିଯୋଗ କରୁଛନ୍ତି ତାହା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ମହାରାଷ୍ଟ୍ର ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ରାଜ୍ୟ ପାଇଁ ୨ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ୨୨୫ଟି ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ୭୫ ହଜାର କୋଟି ମୂଲ୍ୟର ରେଳ ପ୍ରକଳ୍ପ ଏବଂ ଆଧୁନିକ ସଡ଼କ ପାଇଁ ୫୦ କୋଟି ମୂଲ୍ୟର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଉପରେ କାମ ଚାଲିଛି କିମ୍ବା ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଶେଷ କରି କହିଛନ୍ତି ଯେ ଯେତେବେଳେ ସରକାର ଭିତ୍ତିଭୂମି ପାଇଁ ଏତେ ପରିମାଣର ଅର୍ଥ ଖର୍ଚ୍ଚ କରନ୍ତି, ସେହି କାରଣରୁ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୁଏ ।

Leave A Reply

Your email address will not be published.

five × five =