pakka

ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ କଲା କୋଇଲା ମନ୍ତ୍ରଣାଳୟ

bbehera

• ଦୁଇଟି ଖଣିରେ ଗଚ୍ଛିତ ରହିଛି ୧,୬୫୨ ନିୟୁତ ଟନ କୋଇଲା
• ଖଣି କାର୍ଯ୍ୟକ୍ଷମ ହେଲେ ୨,୨୫୦ କୋଟି ଟଙ୍କାର ପୁଞ୍ଜିନିବେଶ ସମ୍ଭାବନା
• ୨୦ ହଜାର ୨୮୦ ଲୋକଙ୍କ ପାଇଁ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ, (ପିଆଇବି) : କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ କରାଯାଇଛି । ଗତ ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଇ-ନିଲାମୀର ଅଷ୍ଟମ ଦିନରେ ଏହି ଖଣି ଦୁଇଟି ନିଲାମ ହୋଇଛି । ଏଥିମଧ୍ୟରୁ ଗୋଟିଏ ସିଏମଏସପି କୋଇଲା ଖଣି ହୋଇଥିବା ବେଳେ ଆଉ ଗୋଟିଏ ଏମଏମଡିଆର କୋଇଲା ଖଣି ।

୫୦୦ ନିୟୁତ ଟନ୍ ଖଣିଜ ସମ୍ପଦ ଗଚ୍ଛିତ ଥିବା ସାକ୍ଷୀଗୋପାଳ ବି କାଙ୍କିଲି କୋଇଲା ଖଣିକୁ ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିମିଟେଡ ନିଲାମ ନେଇଛି । ଏହାବ୍ୟତୀତ ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ ୧,୧୫୨.୧୧ ନିୟୁତ ଟନ ଖଣିଜ ସମ୍ପଦ ଗଚ୍ଛିତ ଥିବା ବୈତରଣୀ ୱେଷ୍ଟ* ଖଣିରୁ ଉତ୍ତୋଳନ ଅଧିକାର ହାସଲ କରିଛି ।

ଦୁଇଟି ଖଣିରେ ମୋଟ ୧୬୫୨ ନିୟୁତ ଟନ୍ କୋଇଲା ଗଚ୍ଛିତ ଥିବା ବେଳେ ବୈତରଟୀ ୱେଷ୍ଟ ଖଣିର ବାର୍ଷିକ ଉତ୍ତୋଳନ କ୍ଷମତା ୧୫ ନିୟୁତ ଟନ୍ । ଏହି ଦୁଇଟି କୋଇଲା କାର୍ଯ୍ୟକ୍ଷମ ହେଲେ ୨,୨୫୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବାର ସମ୍ଭାବନା ରହିଛି । ସେହିପରି ଏହାଦ୍ବାରା ୨୦ ହଜାର ୨୮୦ ଲୋକଙ୍କୁ ନିଯୁକ୍ତି ମିଳିପାରିବ । ଅନ୍ୟପଟେ ବାର୍ଷିକ ୨ ହଜାର ୮୭୩ କୋଟି ଟଙ୍କାର ରାଜସ୍ବ ଆୟ ହେବାର ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୩ ନଭେମ୍ବର ୨୦୨୨ ଠାରୁ ବାଣିଜ୍ୟିକ ଖନନ ପାଇଁ ଷଷ୍ଠ ପର୍ଯ୍ୟାୟ ଏବଂ ପଞ୍ଚମ ପର୍ଯ୍ୟାୟର ଦ୍ବିତୀୟ ପ୍ରୟାସ ଅଧୀନରେ କୋଇଲା ଖଣିଗୁଡ଼ିକର ନିଲାମୀ ଆରମ୍ଭ କରାଯାଇଥିଲା । ଏହି ନିଲାମୀ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟରେ ଉପରୋକ୍ତ ଦୁଇଟି ଖଣିର ନିଲାମୀ ସମ୍ପନ୍ନ ହୋଇଛି ।

jay balangir
Leave A Reply

Your email address will not be published.

13 − 6 =

error: Content is protected !!