om academy

ଭାରତୀୟ ରେଳବାଇ ଅକ୍ଟୋବର ୨୦୨୦ରେ ମାଲ ପରିବହନ ଓ ଆୟରେ ଉଚ୍ଚ ଅଭିବୃଦ୍ଧି ଧାରା ବଜାୟ ରଖିଛି

jsm

• ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତବର୍ଷ ଏହି ମାସରେ ମାଲ ବୋଝେଇ ପରିମାଣ ୧୫% ଅଧିକ ହୋଇଛି; ମାଲ ପରିବହନ ଆୟ ଗତବର୍ଷର ଏହି ସମୟଠାରୁ ୯ ଶତାଂଶ ଅଧିକ ରେକର୍ଡ କରାଯାଇଛି
• ୨୦୨୦ ଅକ୍ଟୋବରରେ ଭାରତୀୟ ରେଳବାଇର ବୋଝେଇ ପରିମାଣ ଥିଲା ୧୦୮.୧୬ ନିୟୁତ ଟନ
• ଗତବର୍ଷ ଏହି ମାସ ତୁଳନାରେ ଏହା ଥିଲା ୧୫ ଶତାଂଶ ଅଧିକ
• ଗତବର୍ଷ ଅକ୍ଟୋବରରେ ୯୩.୭୫ ନିୟୁତ ଟନ ମାଲ ବୋଝେଇ କରାଯାଇଥିଲା
• ରେଳବାଇ ପକ୍ଷରୁ ଲୁହା ଓ ଇସ୍ପାତ, ସିମେଣ୍ଟ, ଊର୍ଜ୍ଜା, କୋଇଲା, ଅଟୋମୋବାଇଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଅଗ୍ରଣୀ ବ୍ୟବସାୟୀଙ୍କ ସହ ଆଲୋଚନା କରାଯାଇ ମାଲ ପରିବହନକୁ ଅଧିକ ସୁଦୃଢ କରିବାକୁ ଉଦ୍ୟମ କରାଯାଉଛି

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳବାଇର ମାଲ ପରିବହନ କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ପରିଲକ୍ଷିତ ହେଉଛି । ଉଭୟ ଆୟ ଏବଂ ମାଲ ବୋଝେଇ କ୍ଷେତ୍ରରେ ଚଳିତବର୍ଷ ଅକ୍ଟୋବର ମାସରେ ଭାରତୀୟ ରେଳବାଇର ପ୍ରଦର୍ଶନ ଭଲ ରହିଛି ।
ମିଶନ ମୋଡରେ ଚାଲିଥିବା ଏହି ପ୍ରୟାସ ଫଳରେ ଗତ ଅକ୍ଟୋବର ମାସରେ ରେଳବାଇ ଯେତେ ମାଲ ପରିବହନ ଓ ଆୟ କରିଥିଲା ଗତବର୍ଷ ଅକ୍ଟୋବର ତୁଳନାରେ ତାହା ଅଧିକ ରହିଛି ।
୨୦୨୦ ଅକ୍ଟୋବରରେ ରେଳବାଇର ମାଲ ବୋଝେଇ ପରିମାଣ ଥିଲା ୧୦୮.୧୬ ନିୟୁତ ଟନ । ୨୦୧୯ ଅକ୍ଟୋବର ତୁଳନାରେ ଏହା ୧୫ ଶତାଂଶ ଅଧିକ ରହିଛି । ଗତବର୍ଷ ଏହି ମାସରେ ୯୩.୭୫ ନିୟୁତ ଟନ ମାଲ ପରିବହନ କରାଯାଇଥିଲା । ଏହି ସମୟ ମଧ୍ୟରେ ଭାରତୀୟ ରେଳବାଇ ମାଲ ବୋଝେଇ ଓ ପରିବହନ ବାବଦରେ ୧୦୪୦୫.୧୨ କୋଟି ଟଙ୍କା ଆୟ କରିଛି । ୨୦୧୯ ଅକ୍ଟୋବର ତୁଳନାରେ ଏହା ୯ ଶତାଂଶ ଅଧିକ । ଗତବର୍ଷ ଏହି ସମୟରେ ରେଳବାଇର ଏ ବାବଦ ଆୟଠାରୁ ଏହା ୮୬୮.୯୦ କୋଟି ଟଙ୍କା ଅଧିକ ରେକର୍ଡ କରାଯାଇଛି । ଗତବର୍ଷ ଏହି ସମୟରେ ରେଳବାଇର ଏ ବାବଦ ଆୟ ଥିଲା ୯୫୩୬.୨୨ କୋଟି ଟଙ୍କା ।
୨୦୨୦ ଅକ୍ଟୋବର ମାସରେ ରେଳବାଇର ମୋଟ ବୋଝେଇ ପରିମାଣ ଥିଲା ୧୦୮.୧୬ ନିୟୁତ ଟନ । ସେଥିମଧ୍ୟରେ ୪୬.୯୭ ନିୟୁତ ଟନ କୋଇଲା, ୧୪.୬୮ ନିୟୁତ ଟନ ଲୁହାପଥର, ୫.୦୩ ନିୟୁତ ଟନ ଖାଦ୍ୟଶସ୍ୟ, ୫.୯୩ ନିୟୁତ ଟନ ରାସାୟନିକ ସାର ଏବଂ ୬.୬୨ ନିୟୁତ ଟନ ସିମେଣ୍ଟ ଅନ୍ତର୍ଭୁକ୍ତ । (ଏଥିରେ କ୍ଲିଙ୍କର ବା ଧାତୁମଳକୁ ହିସାବ କରାଯାଇନାହିଁ)
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ରେଳବାଇର ମାଲ ପରିବହନକୁ ଆକର୍ଷଣୀୟ କରିବା ପାଇଁ କର୍ତ୍ତୃପକ୍ଷ ବିଭିନ୍ନ ପ୍ରକାର ରିଆତି ଓ ସୁବିଧା ପ୍ରଦାନ କରୁଛନ୍ତି । ଆଗାମୀ ଶୂନ୍ୟଭିତ୍ତିକ ସମୟ ସାରଣୀ ଅନୁସାରେ ରେଳବାଇ ମାଲ ପରିବହନ କ୍ଷେତ୍ରରେ ଆହୁରି ଉନ୍ନତ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛି । ନୂତନ ବ୍ୟବସାୟ ଏବଂ ଏବେକାର ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ରେଳବାଇ ପକ୍ଷରୁ ଲୁହା ଓ ଇସ୍ପାତ, ସିମେଣ୍ଟ, ଉର୍ଜ୍ଜା, କୋଇଲା, ଅଟୋମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଅଗ୍ରଣୀ ବ୍ୟବସାୟମଣ୍ଡଳୀ ସହ ଏକାଧିକ ପର୍ୟ୍ୟାୟରେ ଆଲୋଚନା କରିଛି । ମାଲ ପରିବହନକୁ ଅଧିକ ନିର୍ଭରଯୋଗ୍ୟ, ସୁରକ୍ଷିତ ଓ ସମୟବଦ୍ଧ କରିବା ପାଇଁ ରେଳବାଇ ପ୍ରତିଶ୍ରୁତିବଦ୍ଧ ।
ଏହା ବ୍ୟତୀତ ରେଳବାଇ ପକ୍ଷରୁ ଜୋନ ଓ ଡିଭିଜନ ସ୍ତରରେ ବ୍ୟବସାୟ ବିକାଶ ୟୁନିଟମାନ ସ୍ଥାପନ କରାଯାଇଛି । ମାଲ ପରିବହନ ବ୍ୟବସ୍ଥାକୁ ପ୍ରାୟ ଦ୍ୱିଗୁଣିତ କରିବା ସହ ଏ କ୍ଷେତ୍ରରେ ଅଭିବୃଦ୍ଧି ହାରକୁ ବଜାୟ ରଖିବା ନିମନ୍ତେ ଏହି ୟୁନିଟଗୁଡିକ ସହାୟତାରେ ବିଭିନ୍ନ ଉଦ୍ୟମ କରାଯାଉଛି । ପଞ୍ଜାବରେ ଏବେ ରେଳବାଇର ମାଲ ପରିବହନ ବାଧାପ୍ରାପ୍ତ ହୋଇଛି । ଏହା ସତ୍ତ୍ୱେ ଦେଶରେ ମାଲ ପରିବହନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରି ଅଭିବୃଦ୍ଧି ହାର ବଢାଇବାକୁ ରେଳବାଇ ଲକ୍ଷ୍ୟ ରଖିଛି । କରୋନା ମହାମାରୀକାଳୀନ ସମୟକୁ ଭାରତୀୟ ରେଳବାଇ ଏକ ସୁଯୋଗରେ ପରିଣତ କରି ଏହାର ଦକ୍ଷତା ଓ ପ୍ରଦର୍ଶନକୁ ବଢାଇବାରେ ସଫଳ ହୋଇଛି ।

Leave A Reply

Your email address will not be published.

2 × 4 =