ଜମ୍ମୁ-କଶ୍ମୀରରେ ୨୦୨୦-୨୧ ବର୍ଷ ପାଇଁ ସେଓ କ୍ରୟ ଲାଗି ବଜାର ହସ୍ତକ୍ଷେପ ଯୋଜନାର ମିଆଦ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ଚଳିତ ଆର୍ଥିକ ବର୍ଷ ନିମନ୍ତେ ଜମ୍ମୁ-କଶ୍ମୀରରେ ସେଓ କିଣିବା ପାଇଁ ବଜାର ହସ୍ତକ୍ଷେପ ଯୋଜନା (ଏମଆଇଏସ) ମିଆଦ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ କିଣାବିକାର ସର୍ତ୍ତାବଳୀ ସମାନ ରହିବା ନେଇ ନିଷ୍ପତ୍ତି ହୋଇଛି ।
କେନ୍ଦ୍ରୀୟ ଆହରଣ ସଂସ୍ଥା ଯଥା ଜାତୀୟ କୃଷି ସହଯୋଗ ବିପଣନ ମହାସଂଘ ଲିମିଟେଡ (ନାଫେଡ଼), ରାଜ୍ୟ ଦ୍ଵାରା ସ୍ୱୀକୃତ ଜମ୍ମୁ-କଶ୍ମୀରର ଉଦ୍ୟାନକୃଷି ଅନ୍ତର୍ଗତ ଯୋଜନା ଓ ବିପଣନ ନିର୍ଦ୍ଦେଶାଳୟ ଏବଂ ଜମ୍ମୁ-କଶ୍ମୀର ଉଦ୍ୟାନକୃଷି ପ୍ରକ୍ରିୟାକରଣ ଓ ବିପଣନ ନିଗମ ଜରିଆରେ ସିଧାସଳଖ ଚାଷୀଙ୍କ ଠାରୁ ଏହି ସେଓ କ୍ରୟ କରିବେ । ସେଓ ଚାଷୀ ମାନଙ୍କୁ ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତର (ଡିବିଟି) ଜରିଆରେ ସେମାନଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ପଠାଯିବ । ଏହି ଯୋଜନା ଅଧୀନରେ ୧୨ ଲକ୍ଷ ମେଟ୍ରିକ ଟନ ସେଓ କିଣା ହେବ । ଏହି ପ୍ରକ୍ରିୟା ପାଇଁ ନାଫେଡ଼କୁ ସରକାର ଗ୍ୟାରେଣ୍ଟି ବାବଦ ଅର୍ଥ ୨୫୦୦ କୋଟି ଟଙ୍କା ଉପଯୋଗ କରିବା ପାଇଁ ମଧ୍ୟ ଅନୁମତି ଦେଇଛନ୍ତି । ଯେକୌଣସି କ୍ଷତି ହେଲେ ତାହା କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ପ୍ରଶାସନ ଅଧା ଅଧା ବହନ କରିବେ । ଗତବର୍ଷ ଗଠିତ ଦର ନିର୍ଦ୍ଧାରଣ କମିଟି ଏବର୍ଷ ମଧ୍ୟ ବିଭିନ୍ନ କିସମ ସେଓର ମୂଲ୍ୟ ନିର୍ଦ୍ଧାରଣ କରିବେ । ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ପ୍ରଶାସନ ଏହାର ଅଧିସ୍ଵୀକୃତ ମଣ୍ଡିଗୁଡିକରେ ଅତ୍ୟାବଶ୍ୟକ ବ୍ୟବସ୍ଥା ଉପଲବ୍ଧ କରାଇବେ ।
ଆହରଣ ପ୍ରକ୍ରିୟା ଯେପରି ସୁରୁଖୁରୁରେ ସମ୍ପାଦିତ ହୁଏ ତାହା କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସେକ୍ରେଟାରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କ ଦ୍ଵାରା ଗଠିତ ତଦାରଖ କମିଟି ଅନୁଧ୍ୟାନ କରିବେ । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଯୋଗୁଁ ସେଓ ଉତ୍ପାଦନକାରୀମାନେ ଉତ୍ତମ ବଜାର ସୁବିଧା ପାଇବା ସହ ସ୍ଥାନୀୟ ଲୋକଙ୍କୁ କର୍ମନିଯୁକ୍ତି ମଧ୍ୟ ଦେଇପାରିବେ । ଏହାଫଳରେ ସେଓର ସଠିକ ମୂଲ୍ୟ ଧାର୍ୟ୍ୟ ସହ ସେଓ ଚାଷୀଙ୍କ ଆୟବୃଦ୍ଧି ମଧ୍ୟ ହୋଇପାରିବ ।

Leave A Reply

Your email address will not be published.