ରେପୋ ରେଟ୍‌ରେ ୫୦ ବେସିସ ପଏଣ୍ଟ ବୃଦ୍ଧି କଲା ଭାରତୀୟ ରିଜର୍ଭ ବ୍ୟାଙ୍କ

• ୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ୭.୨% ରହିବା ନେଇ ପୂର୍ବାନୁମାନ; ମୁଦ୍ରାସ୍ଫୀତି ହାର ୬.୭% ରହିବ
• ଏଣିକି ୟୁପିଆଇ ସହ ଯୋଡ଼ି ହେବ କ୍ରେଡିଟ୍‌ କାର୍ଡ, ରୂପେ କାର୍ଡରୁ ହେବ ଆରମ୍ଭ
• ଇ-ମ୍ୟାଣ୍ଡେଟ୍‌ କାରବାର ସୀମା ୧୫ ହଜାର ଟଙ୍କାକୁ ବୃଦ୍ଧି
• ସମବାୟ ବ୍ୟାଙ୍କମାନଙ୍କ ଦ୍ବାରା ଗୃହ ଋଣର ସର୍ବାଧିକ ସୀମା ୧୦୦%ରୁ ଅଧିକ ବଢ଼ିଲା

ନୂଆଦିଲ୍ଲୀ, (ପିଆଇବିି) : ଭାରତୀୟ ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରା ନୀତି ସମୀକ୍ଷା ସମିତି ଅନେକଗୁଡ଼ିଏ ମହତ୍ବପୂର୍ଣ୍ଣ ନୀତିଗତ ପଦକ୍ଷେପ ଗ୍ରହଣ କରାଯାଇଛି । ସମିତିର ବୈଠକ ୬-୮ ଜୁନ, ୨୦୨୨ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବସମ୍ମତିକ୍ରମେ ରେପୋ ରେଟରେ ୫୦ ବେସିସ ପଏଣ୍ଟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି, ଫଳରେ ବର୍ତ୍ତମାନ ରେପୋ ଦର ୪.୯୦%ରେ ପହଞ୍ଚିଛି।
ଅନୁରୂପ ଭାବେ, ସ୍ଥାୟୀ ଜମା ସୁବିଧା ଦର ବା ଷ୍ଟାଣ୍ଡିଂ ଡିପୋଜିଟ୍‌ ଫ୍ୟାସିଲିଟୀ ରେଟକୁ ୪.୬୫% ଏବଂ ସୀମାନ୍ତ ସ୍ଥାୟୀ ସୁବିଧା ଦର ବା ମାର୍ଜିନାଲ ଷ୍ଟାଣ୍ଡିଂ ଫେସିଲିଟୀ ରେଟ୍‌ ଏବଂ ବ୍ୟାଙ୍କ ଦରକୁ ୫.୧୫%ରେ ରଖାଯାଇଛି ।
ବିକାଶକୁ ସମର୍ଥନ କରି ମୂଦ୍ରାସ୍ଫୀତି ହାରକୁ ଭବିଷ୍ୟତରେ ନିର୍ଦ୍ଧାରିତ ସୀମା ମଧ୍ୟରେ ରଖିବା ସକାଶେ ହସ୍ତକ୍ଷେପ ହ୍ରାସ କରିବା (withdrawal of accommodation) ପାଇଁ ମୁଦ୍ରା ନୀତି ସମିତି ନିଷ୍ପତ୍ତି ନେଇଛି ।
ମୁଦ୍ରାସ୍ଫୀତି
୨୦୨୨ ବର୍ଷରେ ସ୍ବାଭାବିକ ମୌସୁମୀ ଏବଂ ଭାରତୀୟ ବାସ୍କେଟରେ ହାରାହାରୀ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୧୦୫ ଆମେରିକୀୟ ଡଲାର ରହିବା ନେଇ ଆକଳନକୁ ଦୃଷ୍ଟିରେ ରଖି ୨୦୨୨-୨୩ରେ ମୁଦ୍ରାସ୍ଫୀତି ୬.୭% ରହିବା ନେଇ ପୂର୍ବାନୁମାନ କରାଯାଇଛି ।
 ପ୍ରଥମ ତ୍ରୈମାସ – ୭.୫%
 ଦ୍ବିତୀୟ ତ୍ରୈମାସ – ୭.୪%
 ତୃତୀୟ ତ୍ରୈମାସ – ୬.୨%
 ଚତୁର୍ଥ ତ୍ରୈମାସ – ୫.୮%

ଅଭିବୃଦ୍ଧି ଆକଳନ
ବହୁଦଶନ୍ଧି ଧରି ଉଚ୍ଚ ମୁଦ୍ରାସ୍ଫୀତି ଏବଂ ମନ୍ଥର ଅଭିବୃଦ୍ଧି, ବର୍ତ୍ତମାନର ଭୂ-ରାଜନୈତିକ ଉତ୍ତେଜନା ଓ କଟକଣା, ଅଶୋଧିତ ତୈଳ ଓ ଅନ୍ୟାନ୍ୟ ସାମଗ୍ରୀର ଉଚ୍ଚ ମୂଲ୍ୟ ଏବଂ କୋଭିଡ-୧୯ ସଂକ୍ରାନ୍ତ ଯୋଗାଣ ଶୃଙ୍ଖଳରେ ବାଧା କାରଣରୁ ବିଶ୍ବ ଅର୍ଥବ୍ୟବସ୍ଥା ଅନେକଗୁଡ଼ିଏ ମାନ୍ଦାବସ୍ଥା ଦେଇ ଗତି କରୁଥିବା ମୁଦ୍ରା ନୀତି ସମିତି ହୃଦୟଙ୍ଗମ କରିଛି ।
 ତେବେ ଏପ୍ରିଲ-ମେ ମାସର ଆର୍ଥିକ ସୂଚକାଙ୍କ ଭାରତର ଆର୍ଥିକ ଗତିବିଧରେ ଆସିଥିବା ବ୍ୟାପକ ସୁଧାର ସମ୍ପର୍କରେ ସୂଚନା ଦେଉଛି । ସହରାଞ୍ଚଳ ଚାହିଦାରେ ସୁଧାର ଆସିଛି ଏବଂ ଗ୍ରାମୀଣ ଚାହିଦା ଧୀରେ ଧୀରେ ବଢ଼ୁଛି । ମେ ମାସ ପର୍ଯ୍ୟନ୍ତ ପଣ୍ୟ ରପ୍ତାନି କ୍ରମାଗତ ୧୫ ମାସ ଧରି ଦୁଇ ସଂଖ୍ୟା ବିଶିଷ୍ଟ ଦୃଢ଼ ଅଭିବୃଦ୍ଧି ହାସଲ କରିଛି । ଅନ୍ୟପକ୍ଷରେ ଅଣ-ତୈଳ ଅଣ-ସ୍ବର୍ଣ୍ଣ ରପ୍ତାନି ସୁସ୍ଥ ହାରରେ ଅଭିବୃଦ୍ଧି ହାସଲ କରୁଛି, ଯାହାକି ଘରୋଇ ଚାହିଦାରେ ସୁଧାର ପ୍ରତି ଇଙ୍ଗିତ କରୁଛି ।
• ୨୦୨୨-୨୩ରେ ବାସ୍ତବ ଜିଡିପି ଅଭିବୃଦ୍ଧି ୭.୨% ରହିବା ନେଇ ଆକଳନ କରାଯାଇଛି
o ପ୍ରଥମ ତ୍ରୈମାସ – ୧୬.୨%
o ଦ୍ବିତୀୟ ତ୍ରୈମାସ – ୬.୨%
o ତୃତୀୟ ତ୍ରୈମାସ – ୪.୧%
o ଚତୁର୍ଥ ତ୍ରୈମାସ – ୪.୦%

ମେ ୩୧ରେ ପ୍ରକାଶ ପାଇଥିବା ଏନଏସଓର ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଭାରତର ଜିଡିପି ଅଭିବୃଦ୍ଧି ୨୦୨୧-୨୨ରେ ୮.୭% ରହିବ, ଯାହାକି ମହାମାରୀ ପୂର୍ବ ସ୍ତର ଠାରୁ ଅଧିକ ।
ସମବାୟ ବ୍ୟାଙ୍କର ଲାଭ ପାଇଁ ପଦକ୍ଷେପ
 ସମବାୟ ବ୍ୟାଙ୍କ ମାନଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବ୍ୟକ୍ତିଗତ ଆବାସିକ ଋଣ ସୀମା ବୃଦ୍ଧି ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଶେଷ ଥର ପାଇଁ ଋଣ ସୀମା ସଂଶୋଧନ ପରବର୍ତ୍ତୀ ସମୟରେ ଘର ମୂଲ୍ୟ ବୃଦ୍ଧି ପାଇବା ଏବଂ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଋଣ ସୀମା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି । ଟିୟର ୧/ଟିୟର ୨ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ (ୟୁସିବି) ପକ୍ଷରୁ ଦିଆଯାଉଥିବା ଋଣ ସୀମାକୁ ୩୦ ଲକ୍ଷ ଟଙ୍କା/୭୦ଲକ୍ଷ ଟଙ୍କାରୁ ବଢ଼ାଇ ୬୦ ଲକ୍ଷ ଟଙ୍କା/୧ କୋଟି ୪୦ ଲକ୍ଷ ଟଙ୍କା କରି ଦିଆଯାଇଛି ।
 ସେହିପରି ୧୦୦ କୋଟି ଟଙ୍କାରୁ କମ୍‌ ଆକଳିତ ମୋଟ୍‌ ସମ୍ପତ୍ତି ଥିବା ଗ୍ରାମୀଣ କୋ-ଅପରେଟିଭ୍ ବ୍ୟାଙ୍କ (ଆରସିବି) ପାଇଁ ଗୃହ ଋଣ ସୀମାକୁ ୨୦ ଲକ୍ଷ ଟଙ୍କାରୁ ବଢ଼ାଇ ୫୦ ଲକ୍ଷ ଟଙ୍କା କରି ଦିଆଯାଇଛି । ଅନ୍ୟ ଆରସିବିରେ ଏହାକୁ ୩୦ ଲକ୍ଷ ଟଙ୍କାରୁ ୭୫ ଲକ୍ଷ ଟଙ୍କା କରାଯାଇଛି ।
 ସହରାଞ୍ଚଳ ସମବାୟ ବ୍ୟାଙ୍କମାନେ ଏବେ ଘର ପାଖରେ ଗ୍ରାହକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେଇ ପାରିବେ, ଫଳରେ ସେମାନେ ନିଜ ଗ୍ରାହକଙ୍କ ଆବଶ୍ୟକତାକୁ ଭଲ ଭାବେ ପୂରଣ କରିପାରିବେ । ଏହାଦ୍ବାରା ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଗ୍ରାହକମାନେ ବିଶେଷ ସୁବିଧା ପାଇପାରିବେ ।
 ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡ଼ିକ ଏବେ ବାଣିଜ୍ୟିକ ରିଅଲ ଇଷ୍ଟେଟ୍‌ ପ୍ରକଳ୍ପ (ଆବାସିକ ଗୃହ ନିର୍ମାଣ ପ୍ରକଳ୍ପକୁ ଋଣ)କୁ ଋଣ ଯୋଗାଇ ଦେଇପାରିବେ । ତେବେ ସେମାନେ ମୋଟ୍‌ ସମ୍ପତ୍ତିର ୫% ମୋଟ୍‌ ଆବାସିକ ଅର୍ଥ ଯୋଗାଣ ସୀମା ମଧ୍ୟରେ ଏଥିପାଇଁ ଋଣ ଦେଇପାରିବେ ।
ଇ-ମ୍ୟାଣ୍ଡେଟ୍ କାରବାରର ବର୍ଦ୍ଧିତ ସୀମା
ଗ୍ରାହକଙ୍କ ସୁବିଧାକୁ ଆହୁରି ବଢ଼ାଇବା ଏବଂ ସଦସ୍ୟତା, ବୀମା ପ୍ରିମିୟମ ଓ ଅଧିକ ମୂଲ୍ୟର ଶିକ୍ଷା ଶୁଳ୍କ ଭଳି ପୁନରାବୃତ୍ତି (ରିକରିଂ) ଅର୍ଥ ପଇଠ ସୁବିଧା ନିମନ୍ତେ ଇ-ମ୍ୟାଣ୍ଡେଟ୍ ଆଧାରିତ ରିକରିଂ ପେମେଣ୍ଟ (ଅର୍ଥପଇଠ) ପାଇଁ ନେଣଦେଣ ସୀମାକୁ ୫୦୦୦ ଟଙ୍କାରୁ ବଢ଼ାଇ ୧୫ ହଜାର ଟଙ୍କା କରି ଦିଆଯାଇଛି ।
ୟୁପିଆଇ ପେମେଣ୍ଟ ପ୍ରଣାଳୀରେ ଅଧିକ ସୁବିଧା
ଏଣିକି ୟୁପିଆଇ ପ୍ଲାଟଫର୍ମରେ କ୍ରେଡିଟ୍‌ କାର୍ଡକୁ ଲିଙ୍କ କରାଯାଇପାରିବ । ପ୍ରଥମେ ରୂପେ କାର୍ଡରୁ ଏହି ସୁବିଧା ଆରମ୍ଭ ହେବ । ଏହା ଗ୍ରାହକଙ୍କୁ ଅତିରିକ୍ତ ସୁବିଧା ଯୋଗାଇ ଦେବା ସହିତ ଡିଜିଟାଲ ପେମେଣ୍ଟର ପରିସରକୁ ବୃଦ୍ଧି କରିବ । ଭାରତରେ ୟୁପିଆଇ ଏବେ ସବୁଠୁ ସମାବେଶୀ ଅର୍ଥ ପଇଠ ମାଧ୍ୟମ ପାଲଟିଛି । ୟୁପିଆଇ ପ୍ଲାଟଫର୍ମରେ ବର୍ତ୍ତମାନ ୨୬ କୋଟି ଅଭିନବ ବ୍ୟବହାରକାରୀ (ୟୁଜର୍ସ) ଏବଂ ୫ କୋଟି ବ୍ୟବସାୟୀ ସାମିଲ ରହିଛନ୍ତି ।

Leave A Reply

Your email address will not be published.

18 + 13 =