ଭାରତ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି

● ୮୫ ଦିନ ପରେ ପ୍ରଥମ ଥର କରୋନା ସକ୍ରିୟ ମାମଲା ୬ ଲକ୍ଷ ତଳକୁ ଖସିଛି
● ମୋଟ ପଜିଟିଭ୍ ମାମଲାର ମାତ୍ର ୭.୩୫ % ରହିଛି ସକ୍ରିୟ ମାମଲା

ନୂଆଦିଲ୍ଲୀ, (ପିଆଇବି) : କୋଭିଡ ଯୁଦ୍ଧରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ପ୍ରାୟ ୩ ମାସ (୮୫ ଦିନ) ପରେ ଭାରତରେ ସକ୍ରିୟ ମାମଲା ୬ ଲକ୍ଷ ତଳକୁ ହ୍ରାସ ପାଇଛି । ଆଜି ଭାରତରେ ସକ୍ରିୟ ମାମଲାର ସଂଖ୍ୟା ରହିଛି ୫.୯୪ ଲକ୍ଷ । ଅଗଷ୍ଟ ୬ ତାରିଖରେ ସକ୍ରିୟ ମାମଲା ଥିଲା ୫.୯୫ ।
ଦେଶରେ ଏବେ ମୋଟ ପଜିଟିଭ୍ ମାମଲାର ମାତ୍ର ୭.୩୫% ରହିଛି ସକ୍ରିୟ ମାମଲା, ଯାହାକି ୫,୯୪,୩୮୬ । ଦ୍ରୁତ ଗତିରେ ହ୍ରାସ ପାଉଥିବା ଧାରାକୁ ଏହା ଦୃଢ଼ କରିଛି ।
ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ହ୍ରାସର ଜାରି ଥିବା ଧାରାରୁ ଜଣାପଡ଼ୁଛି କୋଭିଡ ମୁକାବିଲାରେ ସେମାନେ କେତେ ସଫଳ ହୋଇଛନ୍ତି ।
ଭାରତରେ ମଧ୍ୟ ସର୍ବାଧିକ ଲୋକ ସୁସ୍ଥ ହୋଇଛନ୍ତି । ମୋଟ ୭୩,୭୩,୩୭୫ ଜଣ ସୁସ୍ଥ ହୋଇଛନ୍ତି । ବିଶ୍ୱସ୍ତରରେ ସୁସ୍ଥ ହେବା କ୍ଷେତ୍ରରେ ଭାରତ ଏକ ନମ୍ବରରେ ରହିଛି । ଏବେ ସକ୍ରିୟ ମାମଲା ଓ ସୁସ୍ଥଙ୍କ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ଚାଲିଛି ଏବଂ ଏହା ଗତକାଲି ୬୭,୭୮,୯୮୯ ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୭,୩୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪୮,୬୪୮ଟି ନୂଆ ପଜିଟିଭ ମାମଲା ସାମନାକୁ ଆସିଛି । ଜାତୀୟ ସୁସ୍ଥତା ହାର ୯୧.୧୫%କୁ ବୃଦ୍ଧି ପାଇଛି ।
ନୂଆ ସୁସ୍ଥଙ୍କ ମଧ୍ୟରୁ ୮୦% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । ଗୋଟିଏ ଦିନରେ କେରଳରେ ସର୍ବାଧିକ ୮ ହଜାର ଲୋକ ସୁସ୍ଥ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ୭ ହଜାର ଲେଖାଏଁ ସୁସ୍ଥ ହୋଇଛନ୍ତି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ୪୮,୬୪୮ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ଏଥିରୁ ୭୮% ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । କେରଳରେ ଗୋଟିଏ ଦିନରେ ଆସିଛି ୭ ହଜାର ନୂଆ ମାମଲା, ଯାହାକି ସର୍ବାଧିକ । ଏହା ପଛକୁ ଦିଲ୍ଲୀ ଓ ମହାରାଷ୍ଟ୍ରରୁ ୫ ହଜାର ଲେଖାଏଁ ନୂଆ ମାମଲା ଆସିଛି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ୫୬୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ୮୧% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି । ମହାରାଷ୍ଟ୍ରରେ ଦିନକରେ ୧୫୬ ଜଣ ପ୍ରାଣ ହରାଇଛନ୍ତି, ଯାହାକି ସର୍ବାଧିକ । ଏହା ପଛକୁ ପଶ୍ଚିମବଙ୍ଗରେ ୬୧ ଜଣଙ୍କ ମୃତ୍ୟୁ ହୋଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ର ପରାମର୍ଶ କ୍ରମେ ଭାରତ ୧୦ ଲକ୍ଷ ଲୋକରେ ଦିନକୁ ୧୪୦ ନମୁନା ପରୀକ୍ଷା ପରାମର୍ଶକୁ ହାସଲ କରିପାରିଛି । ସନ୍ଦିଗ୍ଧ ଆକ୍ରାନ୍ତ ମାନଙ୍କୁ ଚିହ୍ନଟ କରିବାକୁ ଡବ୍ଲୁଏଚଓ ‘ପବ୍ଲିକ ହେଲଥ କ୍ରାଇଟେରିଆ ଟୁ ଆଡଜଷ୍ଟ ପବ୍ଲିକ ହେଲଥ ଆଣ୍ଡ ସୋସିଆଲ ମେଜରସ ଇନ୍ ଦ କଣ୍ଟେକ୍ସଟ ଅଫ କୋଭିଡ-୧୯’ ନିର୍ଦ୍ଦେଶାବଳୀରେ ଏହି ପରାମର୍ଶ ଦେଇଛି ।
ପରାମର୍ଶ ଦିଆଯାଇଥିବା ସଂଖ୍ୟାଠାରୁ ଅଧିକ ନମୁନା ପରୀକ୍ଷା କରୁଛନ୍ତି ୩୫ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ । ନମୁନା ପରୀକ୍ଷା ହାରରେ ଭାରତରେ ଜାତୀୟ ହାର ରହିଛି ୧୦ ଲକ୍ଷରେ ୮୪୪ । ଦିଲ୍ଲୀ ଏବଂ କେରଳରେ ଏହି ସଂଖ୍ୟା ୩ ହଜାରକୁ ଟପିଯାଇଛି ।

Leave A Reply

Your email address will not be published.