ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଶିକାବହେଙ୍ଗା ଗ୍ରାମଠାରେ ଆଜି ଜୈବିକ କୃଷି ଓ ନିରାପଦ କୀଟନାଶକର ବ୍ୟବହାର ଉପରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଏମ୍ଏସ୍ ସ୍ୱାମୀନାଥନ ସ୍କୁଲ ଅଫ୍ ଅଗ୍ରୀକଲଚର ପାରଳାଖେମୁଣ୍ଡିର କୃଷି ବିଜ୍ଞାନର ଶେଷ ବର୍ଷର ଦୁଇଜଣ ଛାତ୍ରୀ ଆଞ୍ଚଲ ଯୋଷୀ ଓ ଜିଜ୍ଞାସା ଦାସ ଏହି କର୍ମଶାଳାକୁ ଭାରତୀୟ କୃଷି ଗବେଷଣା ପରିଷଦ ପ୍ରାୟୋଜିତ “ରାୱେ” କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜିତ କରିଥିଲେ । ବିଶ୍ୱବିଦ୍ୟାଳୟରେ ୩ ବର୍ଷର କୃଷି ସଂପର୍କିତ ଶିକ୍ଷା ପରେ ଏଠାରେ ଉଭୟେ ସୁଧାମୟ ପଟେଲ ଓ ଗଜେନ୍ଦ୍ର ପଟେଲଙ୍କ ସମନ୍ୱିତ କୃଷି ଫାର୍ମରେ ୧୦ସପ୍ତାହ ଧରି ଇଣ୍ଟର୍ଣ୍ଣସିପ କରିଥିଲେ । ଶେଷରେ ଆଜି ଶିକାବହେଙ୍ଗାର ଚାଷୀଙ୍କୁ ନେଇ ଜୈବିକ ଚାଷ ଓ ନିରାପଦ କୀଟନାଶକ ବ୍ୟବହାର ସମ୍ପର୍କିତ ସଚେତନତା କର୍ମଶାଳା କରିଥିଲେ । ଏଠାରେ ସୁଶ୍ରୀ ଯୋଷୀ ଓ ଦାସ ଜୀବମୃତ, ବୀଜାମୃତ, ମୃତ୍ତିକା ପରୀକ୍ଷା, ଜୀଆଖତ ପ୍ରସ୍ତୁତି, କଲମୀକରଣ, ଟ୍ରୀ ବଡିଂ, ଆଜୋଲା ଚାଷ, ରୋଗପୋକ ଓ କୀଟନାଶକର ନିରାପଦ ବ୍ୟବହାର, ବିହନ ବିଷୋଧନ ନେଇ ସଚେତନତା କରିବା ସହିତ ମାସ୍କ, ସାନିଟାଇଜର, ସଚେତନତା ପୁସ୍ତିକା, ଅଠାଳିଆଯନ୍ତ୍ର ଇତ୍ୟାଦି ବଣ୍ଟନ କରିଥିଲେ । ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଡିନ ଡ. ଏସ୍.ପି. ନନ୍ଦ, ରାୱେର ସହ ସଂଯୋଜକ ଡ.ଅଶୋକ କୁମାର ଏବଂ ଏସ୍ଏମ୍ଏସ୍ ଗାଇଡ ଡ. ସୁମନ ପାରେଙ୍କ ମାର୍ଗଦର୍ଶନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । କର୍ମଶାଳାରେ ଶସ୍ୟ, ଫଳ, ପନିପରିବା, ପାଇଁ କୃଷକମାନେ ଅତ୍ୟଧିକ ବିଷାକ୍ତ ରାସାୟନିକ ପଦାର୍ଥର ବ୍ୟବହାର କରୁଥିବାରୁ ଆମ ଦେଶର ଲୋକଙ୍କୁ କ୍ୟାନସର ଭଳି ଅନେକ ଦୂରାରୋଗ୍ୟ ହେଉଛି । ତେଣୁ କୃଷକମାନେ ଜୈବିକ ଖତ ଓ ଅନ୍ୟାନ୍ୟ ଉପକରଣ ବ୍ୟବହାର କରି ଚାଷ କରିବାକୁ କର୍ମଶାଳାରେ ଚାଷୀମାନଙ୍କୁ ସଚେତନ କରାଯାଇଥିଲା । ଏହା ସହିତ ରୋଗପୋକ ନିରାକରଣ, ଅଠାଳିଆ ଯନ୍ତ୍ରର ବ୍ୟବହାର ବିଷୟରେ ତାଲିମ ଦିଆଯାଇଥିଲା । ଯଦି ରାସାୟନିକ ସାର ବ୍ୟବହାର ହେଉଛି ତାକୁ କିଭଳି କମ୍ କରାଯାଇ ପାରିବ ଓ ନିରାପଦ ବ୍ୟବହାର କରାଯିବ ସେ ଉପରେ ଚାଷୀଙ୍କୁ ଅବଧାରଣା ଦିଆଯାଇଥିଲା । ଏହି କର୍ମଶାଳାରେ ଶିକାବହେଙ୍ଗା ସରପଞ୍ଚ ମୁକେଶ ନାଏକ, ଭିଏଡବ୍ଲୁ ସୁଜାତା ବନଗୁଲା, ଚାଷୀ ସୁଧାମୟ ପଟେଲ, ଗଜେନ୍ଦ୍ର ପଟେଲ, ନାରାୟଣ ମହାକୁର, ହନୁମାନ ଭୋଇ, ସୁଭମ ପଟେଲ, ଯଜେ୍ଞଶ୍ୱର ପଟେଲ ପ୍ରମୁଖଙ୍କ ସହିତ ଶତାଧିକ ଚାଷୀ ଯୋଗଦେଇଥିଲେ ।