ହରିଶଙ୍କର ଅଞ୍ଚଳରେ ବୁଲୁଛି ଚିତା ବାଘ : ଦୁଇ ହରିଣ ମୃତ, ବାଘ ଆକ୍ରମଣରେ ମରିଥିବା ଆଶଙ୍କା

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପର୍ଯ୍ୟଟନ କେନ୍ଦ୍ର ହରିଶଙ୍କର ମନ୍ଦିର ଆଖପାଖ ଅଞ୍ଚଳରେ ଗୋଟିଏ ଚିତାବାଘ ବୁଲୁଥିବା ଜଣାପଡିଛି । ନିକଟରେ ଗନ୍ଧମାର୍ଦନ ପର୍ବତ ଘଞ୍ଚ ଜଙ୍ଗଲ ରହିଥିବା ବେଳେ ବାଘଟି ଜଙ୍ଗଲରୁ ପଳେଇ ଆସିଥିବା ଅନୁମାନ କରାଯାଉଛି । ବାଘ ବୁଲୁଥିବା ଖବର ପାଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । ଖବର ନେବାରୁ ଜଣାପଡିଛି ହରିଶଙ୍କର ମନ୍ଦିର ନିକଟସ୍ଥ ଚାରିଚକିଆ ଯାନ ପାର୍କିଙ୍ଗ ଅଞ୍ଚଳରେ ରବିବାର ରାତିରେ ବାଘଟି ବୁଲୁଥିବା କେତେକ ଅଞ୍ଚଳବାସୀ ପ୍ରଥମେ ଦେଖିଥିଲେ, କିଛିସମୟ ପରେ ବାଘଟି ସେହିଠାରୁ ପଳାଇ ଯାଇଥିଲା । ପରେ ହରିଶଙ୍କର ଡ଼ିଅର ପାର୍କରେ ଦୁଇଟି ହରିଣ ମରିଥିବା ଜଣାପଡିଥିଲା । ଚିତାବାଘ ଡ଼ିଅର ପାର୍କର ପାଚେରୀକୁ ଡେଇଁ ହରିଣକୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ମାତ୍ର ଏନେଇ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଏନେଇ ଖପ୍ରାଖୋଲ ଭାରପ୍ରାପ୍ତ ରେଞ୍ଜରଙ୍କୁ ପଚାରିବାରୁ ସେ କହିଥିଲେ ହରିଣମାନେ ପରସ୍ପର ମଧ୍ୟରେ ଲଢେଇ କରି ଆଗରୁ ମଧ୍ୟ ମୃତ୍ୟୁବରଣ କରିଛନ୍ତି ସେଥିପାଇଁ ହରିଣମାନଙ୍କ ଶବ ବ୍ୟବଚ୍ଛେଦ ପରେ ସତ୍ୟତା ଜଣାପଡିବ । ଅନ୍ୟପକ୍ଷେ ବନପାଳ ପ୍ରିୟବ୍ରତ ମହାକୁଡ଼ଙ୍କୁ ଫୋନ କରିବାରୁ ସେ ଛୁଟିରେ ଅଛନ୍ତି ବୋଲି କହିଥିଲେ । ବନବିଭାଗ ଯଦି ହରିଣ ପାର୍କର ଦାୟିତ୍ୱ ଭଲଭାବରେ ନେଉଥାନ୍ତା ତା’ହେଲେ ଏମିତି ଘଟଣା ବାରମ୍ବାର ଦେଖିବାକୁ ମିଳିନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.