csstore

ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆର୍ଟ-ଗ୍ୟାଲେରୀର ଲୋକାର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚିତ୍ର ଓ ଚାରୁକଳାର ପ୍ରସାର ଏବଂ ଜନାଦୃତ ହେବା ନିମନ୍ତେ ଜିଲ୍ଲା ସଦରମହକୁମା ଛତ୍ରପୁରଠାରେ ପ୍ରସ୍ତୁତ ହୋଇଥିବା ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ଆଜି ଲୋକାର୍ପିତ ହୋଇଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି । ଭର୍ଚ୍ଚୁଆଲ ମାଧ୍ୟମରେ ଏହାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ ଜଣାଇଛନ୍ତି ଯେ, ଓଡିଶାର କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଶିଳ୍ପୀ ଭାରତବର୍ଷର ଗାରିମା ଓ ଟେକ ରଖିଛି । ଏହାର ତୁଳନା ଅନନ୍ୟ । ଏହାର ପ୍ରଚାର ଓ ପ୍ରସାର ହୋଇ ପାରିଲେ ଉତ୍କଳର ଚିତ୍ରଶିଳ୍ପୀ ଓ କଳାକାରଗଣଙ୍କ କଳାକୃତିର ସମ୍ମାନ ରକ୍ଷା ହୋଇପାରିବ । ଏହା ସହିତ ଶିଳ୍ପୀ କଳାକାରମାନଙ୍କୁ ଏ ଦିଗରେ ଅନେକ ସରକାରଙ୍କ ଦ୍ୱାରା ପ୍ରୋତ୍ସାହନା ମିଳିପାରିବ ଏବଂ ସେମାନେ ନିଜକୁ ଗୌରବ ମନେ କରିବେ ଓ ଉତ୍ସାହ ମନେ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଛତ୍ରପୁରଠାରେ ଅବସ୍ଥାପିତ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଭବନ ପରିସରରେ ନିର୍ମିତ ହୋଇଥିବା ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ଚାରୁକଳା ପ୍ରଦର୍ଶିତ ହୋଇପାରିବ ତତ୍‌ ସହିତ ଏହାର ବିକ୍ରିବଟା ଦିଗରେ ପଥ ପରିଷ୍କାର ହେବ । ଓଡିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗଠିତ ଏହି ଆର୍ଟ ଗ୍ୟାଲେରୀରେ ଓଡ଼ିଶାର ସୁନାମଧନ୍ୟ କଳାକାରଙ୍କୁ ଏକ ଅପୂର୍ବ ସୁଯୋଗ ଯୋଗାଇ ଦେବ । ତରୁଣ ପ୍ରତିଭା ଓ ଆଗାମୀ ପିଢ଼ିର ଯୁବ ଶିଳ୍ପୀଗଣ ପ୍ରୋତ୍ସାହିତ ହେବେ ବୋଲି କୁହାଯାଇଛି । ଏହି ଆନୁଷ୍ଠାନିକ ଜିଲ୍ଲାସ୍ତରୀୟ ଲୋକାର୍ପିତ ବର୍ଣ୍ଣାଢ୍ୟ ସାମାରୋହରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଓଡିଶା ଲଳିତ କଳା ଏକାଡେମୀର ଉପସଭାପତି ଶ୍ରୀନିବାସ ପଢ଼ିହାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ମଞ୍ଚାସୀନ ଥିବା ବେଳେ ବହୁ ଚିତ୍ରକଳା ଶିଳ୍ପୀ, ଜିଲ୍ଲାସ୍ତରୀୟ ପଦାଧିକାରୀ, ଗଣମାଧ୍ୟମ ପ୍ରତିନିଧି ତଥା ସାମ୍ବାଦିକଗଣ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.