jayashree

ମହିଳା କଂଗ୍ରେସ ପକ୍ଷରୁ ଓବିସି ସଂରକ୍ଷଣ ପ୍ରଦାନ ଦାବୀରେ ଆନ୍ଦୋଳନ

  • ପଛୁଆ ବର୍ଗଙ୍କୁ ତାଙ୍କ ଅଧିକାରରୁ ବଂଚିତ କରାନଯାଉ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓବିସି ସଂରକ୍ଷଣ ପ୍ରଦାନ ଦାବୀରେ ଆଜି ମହିଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଏହି ଅବସରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି ଯେ, ରାଜ୍ୟରେ ୫୦%ରୁ ଅଧିକ ଲୋକ ହେଉଛନ୍ତି ପଛୁଆ ବର୍ଗର । କିନ୍ତୁ ସ୍ୱାଧିନତା ପରଠାରୁ ପଛୁଆ ବର୍ଗର ଲୋକମାନେ କ୍ରମାଗତ ଭାବରେ ସରକାରଙ୍କ ଦ୍ୱାରା ଅବହେଳାର ଶିକାର ହେଉଛନ୍ତି । ସରକାର ଦେଇଥିବା ପଛୁଆ ବର୍ଗର ଜନଗଣନା ରିପୋର୍ଟକୁ ବର୍ତ୍ତମାନର କେନ୍ଦ୍ର ସରକାର ଗ୍ରହଣ କରୁନାହାନ୍ତି । ରାଜ୍ୟ ସରକାର ଆହୁରି ଦୁଇ ପାଦ ଆଗକୁ ଯାଇ ବର୍ତ୍ତମାନ ସେମାନଙ୍କୁ ତ୍ରିସ୍ତରୀୟ ପଂଚାୟତିରାଜ ନିର୍ବାଚନରେ ରାଜନୈତିକ ସଂରକ୍ଷଣରୁ ସମ୍ପୂର୍ଣ୍ଣ ଭାବରେ ବାଦ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ସରକାରମାନେ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଦାବୀ ଉପସ୍ଥାପନ କରିବା ପାଇଁ ସମସ୍ତ ରାସ୍ତା ବନ୍ଦ କରିଦେଉଛନ୍ତି । ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଜି ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମିଳନୀ ସାହୁଙ୍କ ନେତୃତ୍ୱରେ ଓବିସିଙ୍କୁ ସଂରକ୍ଷଣହୀନ କରିବା ପ୍ରତିବାଦ ଏବଂ ବିକ୍ଷୋଭ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ସରକାର ସବୁ କ୍ଷେତ୍ରରେ ଫେଲ୍‌ ମାରିଛି । ସରକାରରେ ଖୋଦ୍‌ ମନ୍ତ୍ରୀ ଥିବା ଦିବ୍ୟଶଙ୍କର ମିଶ୍ର ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସତ୍ତେ୍ୱ ସରକାର ତାଙ୍କୁ ବରଖାସ୍ତ କରୁନାହିଁ । କେବଳ ଏହା ଗୋଟିଏ ନୁହେଁ ଏହି ସରକାରର ଅନେକ ମନ୍ତ୍ରୀ ବିଭିନ୍ନ ପ୍ରକାର ନାରୀ ନିର୍ଯ୍ୟାତନା ବ୍ୟଭିଚାର ହତ୍ୟାକାଣ୍ଡ ଭଳିଆ ଜଘନ୍ୟ ଷଡଯନ୍ତ୍ରମାନଙ୍କରେ ଲିପ୍ତ ଅଛନ୍ତି । ଦରଦାମ୍‌ ବୃଦ୍ଧିରେ ଲଗାମ ଲଗାଇ ପାରୁନାହାନ୍ତି । ଝାରଖଣ୍ଡ ସରକାର ପେଟ୍ରୋଲ ଉପରୁ ସେଠାକାର ଦୁଇ ଚକିଆ ଗାଡି ମାଲିକଙ୍କ ପାଇଁ ଯେପରି ୩୨ ଟଙ୍କାର ସବ୍‌ସିଡି ପେଟ୍ରୋଲ ଉପରେ ଦେଇଛନ୍ତି ତଦନୁରୂପ ଓଡିଶା ସରକାର ମଧ୍ୟ ସେହି ସବ୍‌ସିଡି ଲାଗୁ କରନ୍ତୁ ଏବଂ ତା’ ସହ ରାଜ୍ୟର କୃଷକମାନଙ୍କ ପାଇଁ ଡିଜେଲର ଦାମ୍‌ରେ ସବ୍‌ସିଡି ଘୋଷଣା କରନ୍ତୁ ବୋଲି ନିଜ ବକ୍ତବ୍ୟରେ ଦାବୀ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ ଲକ୍ଷ୍ମୀ ଶବର, ଆରତିପ୍ରୀତି ନାଗ, ନାଇନି ବେଗମ, ମୀରା ମଣ୍ଡଳ, ଲଳିତ ସାହୁ, ମମତା ଚିଣ୍ଡା, ସନ୍ତୋଷିନୀ ରାଉତ, ଅନ୍ନପୂର୍ଣ୍ଣା ବଢିଆ, ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଅଜୟ ବାଲି, ବୁଲୁ ଦାନି, ଅଙ୍କିତ ସାହୁ ପ୍ରମୁଖ ରାଜ୍ୟ ସରକାରଙ୍କୁ ଓବିସି ସଂରକ୍ଷଣ ନୀତି ବିରୁଦ୍ଧରେ ତଥା ନାରୀ ନିର୍ଯ୍ୟାତନା, ଦରବୃଦ୍ଧିକୁ ନେଇ ତିବ୍ର ସମାଲୋଚନା କରିଥିଲେ । ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବଲାଙ୍ଗିର ଉପଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.