ବିଡିଓ ସରପଞ୍ଚ ବିବାଦ ଯୋଗୁଁ ୪ ମାସ ହେଲା ମନରେଗାର ୬ଲକ୍ଷ ଟଙ୍କା ଶ୍ରମିକ ପାଉଣା ବାକି : ବିଡିଓ ଅସହାୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ସେପ୍ଟେମ୍ବର ମାସରୁ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ତାରପୁରୀ ଗ୍ରାମ ପଞ୍ଚାୟତର କୁକ୍ରୀପାଲି ଓ କେଉଁଦାଦାର ଗ୍ରାମର ପ୍ରାୟ ୧୫୦ରୁ ଅଧିକ ଶ୍ରମିକ ମନରେଗା ଯୋଜନାରେ କାର୍ଯ୍ୟ କରିଥିଲେ ସୁଦ୍ଧା ୪ ମାସ ବିତି ଯାଇଥିଲେ ମଧ୍ୟ ୬ ଲକ୍ଷ ଟଙ୍କା ସରପଞ୍ଚ ଓ ବିଡିଓଙ୍କ ବିବାଦ ଯୋଗୁଁ ଗରିବ, ଆଦିବାସୀ ଶ୍ରମିକମାନେ ପାଉଣା ପାଇଁ ନାହାନ୍ତିଁ । ବାରମ୍ବାର ବିଡିଓଙ୍କ ଦ୍ୱାରସ୍ଥ ହେଲେ ମଧ୍ୟ କେହିଁ ଶ୍ରମିକମାନଙ୍କ କଥା ଶୁଣୁ ନାହାଁନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ରାଜ୍ୟ ଶ୍ରମିକମାନଙ୍କୁ ରାଜ୍ୟ ଭିତରେ ଶ୍ରମ ଯୋଗାଇ ଦେବା ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ମନରେଗା ଯୋଜନାରେ ସାରା ରାଜ୍ୟରେ କାମ ଚାଲିଛି । କେନ୍ଦ୍ର ସରକାର ମଧ୍ୟ ଆବଶ୍ୟକ ଅର୍ଥ ଯୋଗାଇ ଦେଉଛନ୍ତି । ଝାରବନ୍ଧ ବ୍ଲକରେ ହଜାର ସଂଖ୍ୟାରେ ଶ୍ରମିକମାନେ ମନରେଗା ଯୋଜନାରେ କାର୍ଯ୍ୟ କରିଥିଲେ ମଧ୍ୟ ଦୀର୍ଘ ଦିନ ଧରି ମଜୁରୀ ପାଉନାହାନ୍ତି । ଯାହା ଫଳରେ ଶ୍ରମିକମାନଙ୍କ ଭିତରେ ଅସନ୍ତୋଷ ବଢି ଚାଲିଛି । ଏହି ବ୍ଲକର ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତ କୁକ୍ରୀପାଲି ଓ ଉରେଦାଦାର ଗ୍ରାମ ୧୫୦ ଜଣ ଶ୍ରମିକ ଗତ ସେପ୍ଟେମ୍ବର ମାସରେ ଲାଲମାଟିଆ ଡୁଙ୍ଗୁରୀରେ ଡ୍ରେନ କାମରେ ଗ୍ରାମ ପଞ୍ଚାୟତ ଦ୍ବାରା ନିଯୁକ୍ତି ହୋଇ କାମ କରିଥିଲେ । ଏହି ଶ୍ରମିକମାନଙ୍କ ମଜୁରୀ ବାବଦ ୬ ଲକ୍ଷରୁ ଅଧିକ ଟଙ୍କା ୪ମାସ ହେଲା ବାକିଅଛି । ମାଷ୍ଟର ରୁଲ ଓ ଅନ୍ୟାନ୍ୟ କାଗଜ ପତ୍ରରେ ଭଣ୍ଡାରପୁରୀ ସରପଞ୍ଚ ଦସ୍ତଖତ ଦେଉ ନଥିବାରୁ ଶ୍ରମିକମାନେ ଟଙ୍କା ପାଉନଥିବା କୁହାଯାଉଛି । ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତରେ ଭଣ୍ଡାରପୁରୀ ସରକାରୀ ହାଇସ୍କୁଲରେ ୫ଟିର ୮୦ ଲକ୍ଷ ଟଙ୍କାର ଏକ ବିଲଡିଙ୍ଗ କାମ ସରପଞ୍ଚ କରୁଥିବା ବେଳେ ଅଧା କାମରୁ ସରପଞ୍ଚକୁ ହଟାଇ ବ୍ଲକ ଚ୍ୟାରମେନ ଏହି କାର୍ଯ୍ୟ ନିଜ ଲୋକଙ୍କ ଜରିଆରେ କାର୍ଯ୍ୟ ଆରମ୍ଭ କରିବାରୁ ସରପଞ୍ଚ ଓ ବିଡିଓଙ୍କ ଭିତରେ ବିବାଦ ହେବାରୁ ସରପଞ୍ଚ ଏବେ ଗ୍ରା.ପ.ର କୌଣସି କାଗଜ ପତ୍ର ଦସ୍ତଖତ ଦେଉନଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଥିବା ଜଣାଯାଏ । ଆଜି ବିଡିଓଙ୍କୁ ମନରେଗା ଯୋଜନାରେ କାମ କରିଥିବା ଶ୍ରମିକମାନଙ୍କୁ ମଜୁରି କାହିଁକି ମିଳୁ ନାହିଁ ବୋଲି ପଚାରିବାରୁ ବିଡିଓ ନୁଆଁ ଯୋଗ ଦେଇଥିବା କହି ନିଜର ଅସହାୟତା ପ୍ରକାଶ କରିଛନ୍ତି । ତେବେ ଜିଲ୍ଲାପାଳ ଓ ପିଡିଙ୍କ ନିରବତା ଶ୍ରମିକମାନଙ୍କୁ ବ୍ୟଥିତ କରୁଛି ।

Leave A Reply

Your email address will not be published.