ବଲାଙ୍ଗିର, (କେପିଏନ୍ଏସ୍) : ସମାପନ ହେଲା ଆଶା ଓ ବିଶ୍ୱାସର ପର୍ବ କଲାସୀ । ପୀଠସ୍ନାନ ପରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା କଲାସୀ ପର୍ବ ଆଜି ସମାପନ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ଠେଲକୋମୁଣ୍ଡା ଓ ଖଲିଆପାଲିରୁ ଦେଖିବା କଲାସୀ ସମ୍ପର୍କରେ ଆମ ରିପୋର୍ଟ । ପବିତ୍ର କାର୍ତ୍ତିକ ମାସ ଶୁକ୍ଲପକ୍ଷ ଦଶମୀ ଦିନରୁ ଆରମ୍ଭ ହୁଏ ଆଶା ଓ ବିଶ୍ୱାସର ପର୍ବ କଲାସୀ । ଏହି କଲାସୀ ପର୍ବ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଗ୍ରାମରେ ପାଳନ ହେଉଥିବା ବେଳେ ପୁଇଁନ୍ତଲା ବ୍ଲକ ଠେଲକୋମୁଣ୍ଡା ଏବଂ ଲୋଇସିଂହାର ଖଳିଆପାଲି ଅନ୍ୟତମ । ଏହି ଉଭୟ ଗ୍ରାମରେ ପ୍ରାୟ ୧୦୦ ବର୍ଷ ହେଲା ପରମ୍ପରାକୁ ବଜାୟ ରଖି ଏହି ପର୍ବ ପାଳନ ହେଉଛି । ଦୂରଦୂରାନ୍ତରୁ ଭକ୍ତ ଆସି କାଲସୀ ମା’ଙ୍କ ପାଖରେ ନିଜ ମନସ୍କାମନା ରଖିଥିବା ବେଳେ ତାହା ପୂରଣ ହେଉଥିବାରୁ ଭକ୍ତମାନେ ଆନନ୍ଦ ଅନୁଭବ କରୁଥିବାର ପ୍ରତକ୍ରିୟା ରଖିଛନ୍ତି । ଦଶମୀ ଦିନ ବରୁଆ ଦେହରେ ମା’ କାଲସୀ ଆବିର୍ଭାବ ହୋଇ ଶିବ ପାର୍ବତୀଙ୍କ ଆଶିଷ ଭିକ୍ଷ୍ୟା କରିବା ପାଇଁ ନିକଟସ୍ଥ ଶିବ ମନ୍ଦିରକୁ ଯାଇଥାନ୍ତି । ତା’ ପରଦିନ ଗ୍ରାମରେ ଥିବା ପୋଖରୀକୁ ଯାଇ ସାତ ଭଉଣୀମାନଙ୍କୁ ପୂଜାର୍ଚ୍ଚନା କରି ଫେରିବା ପରେ ମାନସିକ ଧାରୀ ଭକ୍ତଙ୍କ ହାରିଗୁହାରି ଶୁଣିଥାନ୍ତି । ଏହାର ଚାରିଦିନ ପରେ ନିଜ ନିଜ ଗୁଡିରେ ମାନସିକ ଧାରୀ ଆଣିଥିବା ବୋଦା, କୁକୁଡ଼ାକୁ ବଳି ଦେଇଥାନ୍ତି । ତା’ ପରଦିନ ମା’ଙ୍କ ପୀଠସ୍ନାନ ପରେ କଲାସୀ ପର୍ବ ସମାପନ ହୋଇଥାଏ । ଶହ ଶହ ବର୍ଷର ପରମ୍ପରାକୁ ବଜାୟ ରଖିବା ସହ ମା’ଙ୍କ ଯାତ୍ରାକୁ ଧୁମଧାମରେ ପାଳନ କରୁଛନ୍ତି ବଲାଙ୍ଗିରବାସୀ । ତେବେ ଏହି ଉଭୟ ଗ୍ରାମରେ ପ୍ରାୟ ୧୦୦ ବର୍ଷହେଲା କଲାସୀ ପର୍ବ ପାଳନ କରୁଥିବା ବେଳେ ଆଗାମୀ ଦିନରେ ସରକାରୀ ସହାୟତା ପ୍ରଦାନ କଲେ ପରମ୍ପରା ବଜାୟ ରହିବ ବୋଲି ମତ ପ୍ରକାଶ ପାଇଛି ।
Prev Post
Next Post