କୋରନା ମହାମାରୀ ସମୟରେ ଗଞ୍ଜାମ ଜିଲ୍ଲାର ସାମ୍ବାଦିକମାନଙ୍କ ଭୂମିକା ଅତୁଳନୀୟ – ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁରସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଂ-ରୁମ୍ ପରିସରରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଞ୍ଜାମ ଜିଲ୍ଲାରେ ନିୟୋଜିତ ସାମ୍ବାଦିକଙ୍କ ଭୂମିକା ବେଶ ପ୍ରଶଂସନୀୟ ବୋଲି କହିଥିଲେ । ଗଞ୍ଜାମ ଜିଲ୍ଲାରେ କୋରନାର ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ ଆରମ୍ଭ ହୋଇଥିବା ବେଳେ ନିଜକୁ ବାଜି ଲଗାଇ ନିଜ କାର୍ଯ୍ୟ କରି ଖବର ପ୍ରସାରଣ କରିଆସିଥିବା ସାମ୍ବାଦିକ ଗଣ ଏହି ବିଶ୍ୱ ମହାମାରୀ ସମୟରେ ଯେଉଁଭଳି ଭାବରେ ବିପଦକୁ ଖାତିର୍ ନକରି କାର୍ଯ୍ୟକରି ଲୋକଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇଥିଲେ ତାହା ପ୍ରଶଂସାର ପାତ୍ର । ଏ ଦିଗରେ ସେମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍ ହେବ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ । ଏହି ଉପଲକ୍ଷେ “ବିଶ୍ୱ ମହାମାରୀ ପରିପ୍ରେକ୍ଷୀରେ ଗଣ ମାଧ୍ୟମ : ଏକ ନୂତନ ଆହ୍ବାନ” ଶୀର୍ଷକ ଉପରେଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସାମାଜିକ କର୍ମୀ ଓ ଗଣମାଧ୍ୟମ ସହଯୋଗୀ ଅରୁଣ ଶତପଥୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକ ଓ ଗଣ-ଯୋଗାଯୋଗ ବିଭାଗର ଅଧ୍ୟାପକ ଡା. ଭି. ରାଜେନ୍ଦ୍ର ରାଜୁ ମହାମାରୀ ସମୟରେ ସାମ୍ବାଦିକଙ୍କ ଭୂମିକାକୁ ଭୁୟସୀ ପ୍ରସଂଶା କରିଥିଲେ ଏବଂ ସାମ୍ବାଦିକଙ୍କ କର୍ତ୍ତବ୍ୟ ନିରପେକ୍ଷତା ଅବଲମ୍ବନ ସମ୍ପର୍କରେ ବିଷଦ୍ ଭାବେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ଓ ଟିଭି ଜିଲ୍ଲା ପ୍ରତିନିଧି ଅଶୋକ କୁମାର ବ୍ରହ୍ମା, ଓଡିଶା ବାର୍ତ୍ତାର ମୁଖ୍ୟ ମନୋଜ କାନ୍ତ ଦାଶ, ଇ- ଟିଭି ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟ, ନକ୍ଷତ୍ର ଟିଭି ପ୍ରତିନିଧି ଇତିଶ୍ରୀ ମହାନ୍ତି, ପର୍ଯ୍ୟଟନ ଭାରତର ସମ୍ପାଦକ ନାରାୟଣ ମହାଙ୍କୁଡ, ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା, ଶବର ତରେଇ, ପ୍ରଶାନ୍ତ କୁମାର ମହାରଣା, ସନ୍ତୋଷ କୁମାର ପାଢୀ, କୃପାସିନ୍ଧୁ ପଣ୍ଡା ଏବଂ ବରିଷ୍ଠ ନାଗରିକ ଭାନୁହଂସ ପଣ୍ଡା ପ୍ରମୁଖ ଆଲୋଚନାଚକ୍ରରେ ଭାଗ ନେଇଥିଲେ । ଜିଲ୍ଲାର ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧିମାନେ ଏହି ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଉପସ୍ଥିତ ଥିଲେ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛତ୍ରପୁରର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.