ଜିଏସ୍‌ଟି ବିଭାଗର ତନାଘନା ପରେ ଜୋରିମାନା

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଗତକାଲି ଦୁଇପହର ସମୟରେ ପୁଲିସ କୋଣସି ସୁତ୍ରରୁ ଖବର ପାଇ ଏକ ପିକ୍‌ଅପ୍‌ ଭେନକୁ ଅଟକ ରଖିଥିଲା । ସୂଚନା ମୁତାବକ ଗାଡି ଡ୍ରାଇଭର ପ୍ରାୟ ୪୦ ହଜାର ଟଙ୍କା ମୂଲ୍ୟ ସାମଗ୍ରୀର ବିଲ ଦେଖାଇଥିଲେ ହେଲେ ଗାଡିରେ ଅଧିକ ମୂଲ୍ୟର ସାମଗ୍ରୀ ରହିଥିବା ସନ୍ଦେହରେ ପୁଲିସ ମାମଲାକୁ ଜିଏସ୍‌ଟି ବିଭାଗକୁ ହସ୍ତାନ୍ତର କରିଥିଲା । ଆଜି ବଲାଙ୍ଗିର ଜିଏସ୍‌ଟି ବିଭାଗର ଅଧିକାରୀମାନେ ଡ୍ରାଇଭର ଏବଂ ଜଣେ ବ୍ୟକ୍ତି ପଚରାଉଚରା କରିଥିଲେ । ତେବେ ଟିଟିଲାଗଡ ଥାନାରେ ବିଭାଗୀୟ ଅଧିକାରୀମାନେ କିଛି ଲୋକଙ୍କ ସହାୟତାରେ ଗାଡିର ମାଲକୁ ଅନ୍‌ଲୋଡ ମଧ୍ୟ କରିଛନ୍ତି । ଗାଡିରେ ଅଧିକାଂଶ ସାମଗ୍ରୀ ଆଇଟିସି କମ୍ପାନୀର ରହିଛି, ସାମଗ୍ରୀରେ ମୋଟା ଅଙ୍କର ସିଗାରେଟ, ଅଟା, ନୁଡ଼ଲସ ଇତ୍ୟାଦି ସାମଗ୍ରୀ ରହିଛି । କିଛି ସାମଗ୍ରୀର କାଗଜପତ୍ର ରହିଥିବା ବେଳେ ସିଗାରେଟ ଭଳି ସାମଗ୍ରୀର ବିଲ ନ ଥିବାରୁ ଏବଂ ଇଉଏ ବିଲ ନ ରହିଥିବାରୁ ଭବାନୀପଟଣାର ଆଇଟିସି ହୋଲସେଲ ବିକ୍ରେତାକୁ ବିଭାଗ ପ୍ରାୟ ୯୭୩୪୪ ଟଙ୍କା ଜୋରିମାନା କରିଛି । ତେବେ ସିଗାରେଟ ଏକ (ସିନ ଆଇଟମ) ଅଟେ, କେନ୍ଦ୍ରୀୟ ସରକାର ଏହି ସାମଗ୍ରୀ ଉପରେ ୨୮ ଶତକଡା ଜିଏସ୍‌ଟି ସହିତ ସିଇସିସି ଆଉ ଅତିରିକ୍ତ ସିଇସିସି ମଧ୍ୟ ରଖିଥିଲେ । କିନ୍ତୁ ବିଭିନ୍ନ ସମୟରେ ନକଲି ସିଗାରେଟ, ବିନା ବିଲ୍‌ର ସିଗାରେଟ ପରିବହନ ହେଇଆସୁଛି । ଏ ଭଳି ବିଭାଗର ଜୋରିମାନା ନିଶ୍ଚିତ ଭାବେ କେନ୍ଦ୍ରୀୟ ଏବଂ ରାଜ୍ୟ ସରକାରଙ୍କ ରାଜକୋଷକୁ ଅତିରିକ୍ତ ମଜବୁତ କରିବ ।

Leave A Reply

Your email address will not be published.