ମୃତ୍ୟୁ ପରେ ନିଜର ଚକ୍ଷୁଦାନ କରିଥିବା ସ୍ୱର୍ଗତା ଶୈଳବାଳା ଧରଙ୍କ ସ୍ମୃତିରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରୁ ୪୪ ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ, (ନିରୋଜ କୁମାର ପାଣୀ) : ମୃତ୍ୟୁ ପରେ ନିଜର ଚକ୍ଷୁ ଦାନ କରିଥିବା ସ୍ୱର୍ଗତା ଶୈଳବାଳା ଧରଙ୍କ ସ୍ମୃତିରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ତାଙ୍କ ଗ୍ରାମ ଭାଙ୍ଗକୁଦ, ଭେଡେନ, ବରଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସ୍ୱର୍ଗତା ଧରଙ୍କ ସ୍ଵାମୀ ଭୁବନେଶ୍ୱର ଧର ଫିତା କାଟି ଉଦ୍‌ଘାଟନ କରିଥିଲେ ।ସମ୍ମାନୀତ ଅତିଥି ଭାବରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ସ୍ୱର୍ଗତା ଧରଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଶିବିରରୁ ବୁର୍ଲା ଭଣ୍ଡାର ଦ୍ୱାରା ସର୍ବମୋଟ ୪୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏଥିରେ ୧୨ ଜଣ ମହିଳା ରକ୍ତ ଦାନ କରିଥିବା ବେଳେ ତିନିଯୋଡ଼ା ପତି ପତ୍ନୀ ରକ୍ତଦାନ କରିଥିଲେ । ସ୍ୱର୍ଗତା ଶୈଳବାଳା ଧର ମୃତ୍ୟୁ ପରେ ନିଜର ଚକ୍ଷୁଦାନ କରିଥିଲେ, ଯେଉଁ ଥିରେ ଦୁଇଜଣ ଅନ୍ଧ ଦୁନିଆଁର ରଙ୍ଗୀନ ଆଲୋକ ଦେଖିଲେ ତା’ସହ ତାଙ୍କ ସ୍ମୃତିରେ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ତାଙ୍କ ସ୍ୱାମୀ ଭୁବନେଶ୍ୱର ଧର, ପୁଅ ପ୍ରଦୀପ ଧର, ଝିଅ ସୁନିତି ଧରଙ୍କ ସମେତ ପୁରା ପରିବାର ବର୍ଗଙ୍କୁ ସ୍ୱର୍ଗତାଙ୍କ ଉଦେଶ୍ୟରେ ମୋମେଣ୍ଟୋ ଓ ମାନପତ୍ର ଦେଇ ନିଷ୍ଠା ପରିବାର ତରଫରୁ ମରଣୋତ୍ତର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଶିବିରରେ ନିଷ୍ଠା ପରିବାରର ଉପଦେଷ୍ଠା ଉମେଶ ପ୍ରଧାନ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଚିତ୍ର ପ୍ରଧାନ, ଲୋକନାଥ ସାହୁ, ହେମାଞ୍ଚଲ ସାହୁ, ଶତ୍ରୁଘ୍ନ ସାହୁ, ଲିଙ୍ଗରାଜ ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

Leave A Reply

Your email address will not be published.