ହମିରପୁର ଉନ୍ନୟନ ପରିଷଦର ସାଧାରଣ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଅଂଚଳର ବିଭିନ୍ନ ସମସ୍ୟା ଓ ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ ହମିରପୁର ଉନ୍ନୟନ ପରିଷଦର ଏକ ସାଧାରଣ ବୈଠକ ତାରିଣୀ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ସୁମନ ଦତ୍ତଙ୍କ ସଭାପତିତ୍ୱ ଓ ନିରଞ୍ଜନ ଦାଶଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହମିରପୁରବାସୀଙ୍କ ମୌଳିକ ସୁବିଧା ସଂପର୍କରେ ଆଲୋଚନା କରାଯାଇଥିଲା । ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ଦୁଇଟି ୱାର୍ଡ ୪ଟା ବୁଥରେ ପ୍ରାୟ ୨୨ହଜାର ଜନସଂଖ୍ୟା ବିଶିଷ୍ଟ ତଥା ପ୍ରାୟ ୫ହଜାର ଭୋଟର ଏହି ଅଂଚଳରେ ରହୁଥିଲେ ମଧ୍ୟ ହମିରପୁରକୁ ନା ଆରଏସପିକୁ ନା ମ୍ୟୁନିସିପାଲଟିକୁ ପଞ୍ଚାୟତରେ ସାମିଲ କରାଯାଇଛି । ତେଣୁ ସାଧାରଣ ଲୋକେ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି । ରାସ୍ତା ଘାଟ ବିପର୍ଯ୍ୟସ୍ତ ହୋଇଯାଇଥିବା ବେଳେ ଡ୍ରେନେଜ ସୁବିଧା ନଥିବା ସହ ସମସ୍ତଙ୍କ ଘରକୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ନାହିଁ । ଏହି ଅଂଚଳରେ ଗୋଟିଏ କଲେଜ, ପ୍ରତିଷ୍ଠିତ ୪ଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଗୋଟିଏ ହାଇସ୍କୁଲ, ମନ୍ଦିର, ଚର୍ଚ୍ଚ, ମସ୍‌ଜିଦ ସହ ଏକ ଗ୍ରୀଡ ସବଷ୍ଟେସନ ମଧ୍ୟ ରହିଛି । ଏସବୁ ସତ୍ତ୍ବେ ସରକାର ଏହି ଅଂଚଳ ପ୍ରତି ଦୃଷ୍ଟି ଦେଉ ନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ସେହିପରି ହମିରପୁର ପ୍ରଥମ ରାଜସ୍ୱ ଗ୍ରାମ ହୋଇଥିବାରୁ ଏଠାରେ ବିଦ୍ୟୁତ୍ ଦେୟ ସହରାଞ୍ଚଳ ଭଳି ଆଦାୟ କରାଯାଉଛି। ଯାହାକୁ ନାପସନ୍ଦ କରାଯାଇଥିଲା । ରାଜ୍ୟ ସରକାର ସଂପ୍ରତି ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟସ୍ତ ରହୁଥିବାରୁ ଏହି ଅଂଚଳକୁ ପଞ୍ଚାୟତରେ ସାମିଲ କରିବା ପାଇଁ ଦାବୀ କରାଯାଇଛି । ମୌଳିକ ସୁବିଧାରୁ ବଂଚିତ ହେଉଥିବାରୁ ତଥା ଏହି ଅଂଚଳକୁ ପଞ୍ଚାୟତରେ ସାମିଲ କରିବା ପାଇଁ ଜନସ୍ବାର୍ଥ ମାମଲା ରୁଜୁ କରିବା ପାଇଁ ସ୍ଥିର କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଡଃ ପ୍ରଭାତ କୁମାର ମଲ୍ଲିକ, ଗଙ୍ଗାଧର ଦାଶ, ଉପେନ୍ଦ୍ର ନାୟକ, ଅମୂଲ୍ୟ ପୁହାଣ, ବିଷ୍ଣୁଚରଣ ନାୟକ, ସୁରଥ ବାଗ, ମହେଶ୍ୱର ସାହୁ, ସୁବାସ ଗୁପ୍ତା, ଡଃ ଦେବେନ୍ଦ୍ର ନାଥ ବେହେରା, ରାଜେନ୍ଦ୍ର ଜୟସ୍ବାଲ, ଦୀନବନ୍ଧୁ ପାଢୀ, ପ୍ରଫୁଲ୍ଲ କୁମାର ଦାସ, ନିରଞ୍ଜନ ନାୟକ, ଗଣେଶ କୁମ୍ଭାର, ଅଗସ୍ତି ଦାସ, କୁଂଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.