ନିଟ୍‌ ମେଡ଼ିକାଲ୍‌ ପ୍ରବେଶିକା ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ଯୁବୋଦୟର ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛାତ୍ରଛାତ୍ରୀମାନେ କେବଳ ନିଟ୍‌ ପରୀକ୍ଷାରେ କୃତୀତ୍ୱ ଅର୍ଜନ କରି ମେଡିକାଲରେ ନାମ ଲେଖାଇଲେ ଚଳିବ ନାହିଁ । ବରଂ ସେମାନେ ନିଜକୁ ଭଲ ମଣିଷ ଓ ଭଲ ଡାକ୍ତର ଭାବରେ ଗଢିଲେ ଓ ଦରମାରେ ନୁହେଁ ପ୍ରତିଦିନ କେତେଜଣଙ୍କର ଜୀବନ ସେମାନେ ବଂଚାଇଲେ ତାହା ହିଁ ସେମାନଙ୍କ ଜୀବନର ପ୍ରକୃତ ସଫଳତା ହେବ ବୋଲି ବଲାଙ୍ଗିର ଯୁବୋଦୟ ଶିକ୍ଷାନୁଷ୍ଠାନରେ ନିଟ୍‌ ଓ ଜେଇଇ ଆଡଭାନ୍ସଡ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଭଲ ରେଙ୍କ ରଖି ଉତ୍ତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରି ମୁଖ୍ୟ ଅତିଥି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲର ଡିନ ତଥା ଅଧ୍ୟକ୍ଷା ଡକ୍ଟର ସବିତା ମହାପାତ୍ର ଆହ୍ୱାନ ଦେଇଛନ୍ତି । ଯୁବୋଦୟର ସକମା କେମ୍ପସରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାକୁ ଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ମୁଖ୍ୟ ଅତିଥି ଡକ୍ଟର ମହାପାତ୍ର । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରି ଯୁବୋଦୟର ନିର୍ଦ୍ଦେଶକ ଅମ୍ବରୀଶ ଦାଶ ତାଙ୍କ ବକ୍ତବ୍ୟରେ ଗୁଣାତ୍ମକ ଶିକ୍ଷାର ମୂଳଦୂଆ ପକାଇ ଯୁବୋଦୟ ଆଗାମୀ ସମୟରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାର ଏହା ଅୟମାରମ୍ଭ ମାତ୍ର ବୋଲି କହି ଅନୁଷ୍ଠାନ ସଫଳତା ସଂପର୍କରେ କହିଥିଲେ । ଯୁବୋଦୟର ଏହି ଅଭୂତପୂର୍ବ ସଫଳତା ପାଇଁ ଏହି ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ ସମନ୍ୱିତ ଶିକ୍ଷାଦାନ ଶୈଳୀକୁ ଶ୍ରେୟ ଦେଇ ଯୋଜନାବଦ୍ଧ ଭାବରେ ଛାତ୍ରଛାତ୍ରୀମାନଙ୍କର ଶିକ୍ଷଣ ସ୍ତରକୁ ଉପରକୁ ଉଠାଇ ଏକ ପ୍ରତିସ୍ପର୍ଦ୍ଧି ସ୍ତର ପର୍ଯ୍ୟନ୍ତ ପହଂଚାଇବାର କାର୍ଯ୍ୟକାରିତା ଦାୟୀ ଓ ଆମେ ଏହି ସଫଳତାର ଆହୁରି ଅନେକ ଆଗକୁ ଯିବାର ଅଛି ବୋଲି କହିଥିଲେ ଯୁବୋଦୟର ନିର୍ଦ୍ଦେଶକ ଶ୍ରୀ ଦାଶ । ଚଳିତ ବର୍ଷ ଏନ୍‌ଟିଏ ଆନୁକୂଲ୍ୟରେ ସର୍ବଭାରତୀୟ ସ୍ତରରେ ପରିଚାଳିତ ମେଡ଼ିକାଲ୍‌ ପ୍ରବେଶିକା ପରୀକ୍ଷାରେ ୫ଜଣ ଛାତ୍ର ପ୍ରଥମ ପ୍ରଚେଷ୍ଟାରେ ସର୍ବଭାରତୀୟ ସ୍ତରରେ ଅଦ୍ଭୁତପୂର୍ଣ୍ଣ ର‍୍ୟାଙ୍କ୍‌ ରଖିଛନ୍ତି ଯୁବୋଦୟର ଛାତ୍ର । ଯାହା ଅନୁଷ୍ଠାନକୁ ଦେଇଛି ଅଭୂତବୂର୍ବ ଗୌରବ । ସମୁଦାୟ ୭୨୦ ମାର୍କରୁ ସୋମେଶ୍‌ ଷଡ଼ଙ୍ଗୀ ୬୯୦, ଅଙ୍କିତ୍‌ ସାଠୁଆ ୬୭୩, ବିପ୍ଳବ ଖମାରୀ ୬୫୬, ଆର୍ୟନ୍‌ ନାୟକ୍‌ ୬୫୪ ଓ ସୋମ୍‌ ପ୍ରକାଶ ସାହୁ ୬୪୦ ମାର୍କ ରଖି ଭାରତର ସୁନାମଧନ୍ୟ ଏମ୍‌ସ୍‌ ମେଡ଼ିକାଲ କଲେଜ ତଥା ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଡ଼ାକ୍ତରୀ ପଢ଼ିବା ପାଇଁ ଆଶାକୁ ଉଜ୍ଜୀବିତ କରିଛନ୍ତି । ସମସ୍ତ ଛାତ୍ର ଯୁବୋଦୟରୁ ଚଳିତବର୍ଷ +୨ ପରୀକ୍ଷାରେ ମଧ୍ୟ୯୪ ପ୍ରତିଶତରୁ ଅଧିକ ମାର୍କ ରଖି ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ଗୌରବ ଆଣିଥିଲେ । ଶ୍ରୀ ସୋମେଶ୍‌ ଷଡ଼ଙ୍ଗୀ ନିଟ୍‌ ପରୀକ୍ଷାରେ ଓଡ଼ିଶାରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ସମ୍ବର୍ଦ୍ଧନାର ଉତ୍ତରରେ କୃତୀ ଛାତ୍ରଛାତ୍ରୀମାନେ ଏହି କୃତୀତ୍ୱର ଶ୍ରେୟ ନିଜ ବାପା ମା’ଙ୍କ ସହ ଯୁବୋଦୟର ଶିକ୍ଷକଗଣ ଏବଂ ନିର୍ଦ୍ଦେଶକ ଅମ୍ବରୀଶ ଦାଶ୍‌ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଦେଇଛନ୍ତି । ପ୍ରକାଶ ଥାଉକି, ଗୋଟିଏ ବର୍ଷରେ ୫ଜଣ ଛାତ୍ର ପ୍ରଥମ ପ୍ରଚେଷ୍ଟାରେ ସର୍ବଭାରତୀୟ ସ୍ତରର ପରୀକ୍ଷାରେ ଏପରି ର‍୍ୟାଙ୍କ୍‌ ରଖିବା ପଶ୍ଚିମ ଓଡ଼ିଶାରେ ପ୍ରଥମ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସନ୍ଦୀପ କୁମାର କୁଅଁର ପରିଚାଳନା କରିଥିଲେ । ଭୁବନେଶ୍ୱର ସ୍ଥିତ ଯୁବୋଦୟ ଏଡ଼୍‌ଭାନ୍‌ସଡ଼୍‌ କ୍ଲାସରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ସଦ୍ୟପ୍ରକାଶିତ ନିଟ୍‌ ପରୀକ୍ଷାରେ ଅପୂର୍ବ ସଫଳତା ହାସଲ କରିଛନ୍ତି । ୧୧୯ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୪୫ ଜଣ ଛାତ୍ରଛାତ୍ରୀ ୨୫୦୦୦ମଧ୍ୟରେ ର‍୍ୟାଙ୍କ୍‌ ରଖି ସରକାରୀ ମେଡ଼ିକାଲ୍‌ କଲେଜରେ ଅଧ୍ୟୟନ କରିବାକୁ ନିଶ୍ଚିତ କରିପାରିଛନ୍ତି । କୌଣସି କୋଚିଂ ଅନୁଷ୍ଠାନର ସଫଳତା ହାର ୫ ପ୍ରତିଶତରୁ କମ୍‌ ଥିବାବେଳେ, ଯୁବୋଦୟ କ୍ରମାଗତଭାବେ ୨୫ ପ୍ରତିଶତରୁ ଅଧିକ ସ୍ଥାନ ଦେଇଆସୁଛି । ଚଳିତବର୍ଷ ଯୁବୋଦୟର ସଫଳତା ହାର ୩୮% , ଯାହାକି ଏକ ନିଆରା କୀର୍ତ୍ତୀମାନ । ସୂଚନା ଯୋଗ୍ୟ ଯେ ସମସ୍ତ ପ୍ରତିକୂଳତା ଭିତରେ ଯୁବୋଦୟ ଗତ କିଛି ବର୍ଷ ହେବ ନିଟ୍‌ ଓ ଅନ୍ୟାନ୍ୟ ଜାତୀୟ ସ୍ତରୀୟ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ନିଜର ସଫଳତାର ଶ୍ରେଷ୍ଠତ୍ୱକୁ ବଜାୟ ରଖିବା ସହିତ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛି ।

Leave A Reply

Your email address will not be published.