ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଭାବେ ଯୁବ ସଞ୍ଚାର ବାୟକ ହର୍ଷବର୍ଦ୍ଧନ ଲୁହାରଙ୍କୁ ଜିଲ୍ଲା ସଂସ୍କୃତି ଅଧିକାରୀ କଲ୍ୟାଣୀ ଦାସ ଅନୁମୋଦନ କରିଛନ୍ତି । ଝାରବନ୍ଧ ବ୍ଲକର ୧୪ ଗୋଟି ଗ୍ରାମ ପଞ୍ଚାୟତର କଳାକାରମାନଙ୍କର ଅନେକ ଦିନର ଆଶା ସଫଳ ହୋଇଛି । ବ୍ଲକର ସବୁ ବର୍ଗର ସମସ୍ତ କଳାକାର ଏକ ବୈଠକ କରି ସର୍ବସମ୍ମତି କ୍ରମେ ଯୁବ ସଞ୍ଚାର ବାୟକ ହର୍ଷବର୍ଦ୍ଧନ ଲୁହାରଙ୍କୁ ଝାରବନ୍ଧ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି କରାଯିବା ପାଇଁ ତଥା କଳାକାରମାନଙ୍କର ହକ୍ ଅଧିକାର ପାଇଁ ଏକ ବିରାଟ ରାଲି ମାଧ୍ୟମରେ ଶହ ଶହ କଳାକାର ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଯାହାକୁ ଆଜି ବରଗଡ କଳା ସଂସ୍କୃତି ଅଧିକାରୀ କଲ୍ୟାଣୀ ଦାସ ଯୁବ ସଞ୍ଚାର ବାୟକ ଶ୍ରୀ ଲୁହାରଙ୍କୁ ଝାରବନ୍ଧ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଭାବେ ଅନୁମୋଦନ କରିଥିବା ଚିଠି ବିଭାଗୀୟ ଅଧିକାରୀ, ଶ୍ରୀ ଲୁହାର ଏବଂ ପୂର୍ବତନ ଉପସଭାପତିଙ୍କ ଅବଗତି ନିମନ୍ତେ ପ୍ରେରଣ କରିଛନ୍ତି । ଏହି ଖବର ପାଇ ଝାରବନ୍ଧ ବ୍ଲକ ଅଞ୍ଚଳର ସବୁ ବର୍ଗର କଳାକାର, କଳାପ୍ରେମୀ, ସଂସ୍କୃତି ପ୍ରେମୀ ତଥା ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଶ୍ରୀ ଲୁହାରଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଶ୍ରୀ ଲୁହାର ଜଣେ ସଂଚାର ବାୟକ ଭାବେ ଓଡିଶା ତଥା ପଡୋଶୀ ରାଜ୍ୟମାନଙ୍କରେ ବେଶ ସୁପରିଚିତ, ତାଙ୍କ ଦର୍ଶକ ମହଲରୁ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଆସିଛି । ଶ୍ରୀ ଲୁହାରଙ୍କୁ ଏହି ବିଷୟରେ ପଚାରିବାରୁ.. ମୁଁ ତୃତୀୟ ଶ୍ରେଣୀ ଅଧ୍ୟୟନ କରୁଥିବା ସମୟରୁ ସଂଚାର କଳା ପ୍ରତି ଆକର୍ଷିତ ହୋଇଥିଲି ଏବଂ ମୋର ବଡବାପା କୁଞ୍ଜ ବିହାରୀ ଲୁହାରଙ୍କଠାରୁ ପ୍ରେରଣା ପାଇ ସଂଚାର କଳାକୁ ନିଜର ନିଶା ଭାବେ ଗହଣ କଲି ଯାହା ମୋର ଜୀବନର ସବୁକିଛି ଅଟେ । କଳା ସଂସ୍କୃତି ଏବଂ କଳାକାରମାନଙ୍କର ବିକାଶ ପାଇଁ ମୁଁ ସବୁବେଳେ ସଦାସର୍ବଦା କଳାକାରମାନଙ୍କ ପାଇଁ ସମର୍ପିତ । ଆଜିର ଏହି ଗୁରୁ ଦାୟିତ୍ୱ ପାଇବାରେ ସମସ୍ତ କଳାକାର, କଳାପ୍ରେମୀ ଏବଂ ଗୁରୁଜନଙ୍କ ଭଳପାଇବା ଏବଂ ଆଶୀର୍ବାଦର ଫଳ ଅଟେ । ଆଗାମୀ ଦିନରେ ଝାରବନ୍ଧ ବ୍ଲକ ଅଞ୍ଚଳର ସମସ୍ତ କଳାକାରମାନଙ୍କର ଦୁଃଖ ସୁଖରେ ସାମିଲ ହୋଇ ସରକାରଙ୍କର ଆଦେଶ ଅନୁସାରେ ଆସୁଥିବା ସମସ୍ତ କାର୍ଯ୍ୟକ୍ରମ ମିଳିମିଶି କରାଯିବ, କଳା ସଂସ୍କୃତି କ୍ଷେତ୍ରରେ କଳାକାର ଦକ୍ଷତା ବୃଦ୍ଧି ଏବଂ କଳାକାରଙ୍କ ହକ୍ ଅଧିକାର ବିଷୟମାନଙ୍କରେ ସଦା ସର୍ବଦା ଉପଯୁକ୍ତ ପଦକ୍ଷେପ ନେଇ ଉତ୍ସର୍ଗିକୃତ ଭାବରେ କାର୍ଯ୍ୟ କରିବି ବୋଲି ସେ କହିଛନ୍ତି ।