oom

ବେଦବିଦ୍ୱାନ ବ୍ରଜବିହାରୀଙ୍କ ଜୟନ୍ତୀ ବଲାଙ୍ଗିର ଦିବସ ଭାବେ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ବେଦବିଦ୍ୱାନ, ଦାର୍ଶନିକ ବ୍ରଜବିହାରୀ ବହିଦାରଙ୍କ ୧୦୨ତମ ଜୟନ୍ତୀ ବଲାଙ୍ଗୀର ଦିବସ ଭାବେ ପାଳିତ ହୋଇଯାଇଛି । ପରିଷଦ ସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଆଲୋଚକ ଭାବେ ବଲାଙ୍ଗିର ରାଜେନ୍ଦ୍ର କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ଅଭିମନ୍ୟୁ ମିଶ୍ର, ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ୍‌ ଇଷ୍ଟିଚ୍ୟୁଟ ଅଫ୍‌ ପବ୍ଳିକ ଏଡମିନିଷ୍ଟ୍ରେସନ୍‌ର ସହକାରୀ ପ୍ରଫେସର ଡ. ସୁଜିତ କୁମାର ପୃଷେଠ୍‌, ପ୍ରମେୟର ଡିଜିଏମ୍‌ ଅଖିଳ ଚନ୍ଦ୍ର ହୋତା ଏବଂ ଧରିତ୍ରୀ ଜିଲ୍ଲା ପ୍ରତିନିଧି ବୀରେନ୍ଦ୍ର କୁମାର ଝାଙ୍କର ଯୋଗଦେଇ ବ୍ରଜବିହାରୀଙ୍କ ସାହିତ୍ୟ କୃତି ଏବଂ ବଲାଙ୍ଗିର ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅତିଥିମାନେ ବ୍ରଜବିହାରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସାଂସ୍କୃତିକ ଅନୁଷ୍ଠାନ ପଂଚମର କଳାକାରମାନେ ବାଦ୍ୟ ବିଚିତ୍ରା ପରିବେଷଣ କରିଥିଲେ । ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପରିଷଦ ଆବାହକ ବୀରେନ୍ଦ୍ର କୁମାର ବନ୍‌ଛୋର ପ୍ରାରମ୍ଭିକ ସୂଚନା ଦେଇ ଦାର୍ଶନିକ ବ୍ରଜବିହାରୀଙ୍କ ଜନ୍ମଦିନକୁ ବଲାଙ୍ଗିର ଦିବସ ରୂପେ ପ୍ରତ୍ୟେକ ବର୍ଷ ଭବ୍ୟ ସମାରୋହରେ ପାଳନ କରିବାକୁ ଉପସ୍ଥିତ ଶ୍ରୋତାମଣ୍ଡଳୀଙ୍କୁ ନିବେଦନ କରିଥିଲେ । ସଭାପତିତ୍ୱ ଅଭିଭାଷଣରେ ପରିଷଦ ସଭାପତି ଶ୍ରୀ ପଟ୍ଟନାୟକ ମହାନ ଦାର୍ଶନିକଙ୍କୁ ମନେ ପକାଇବା ପାଇଁ ବଲାଙ୍ଗିର ଦିବସର ପରିକଳ୍ପନା ବୋଲି କହିଥିଲେ । ଅତିଥି ବକ୍ତାମାନେ ବ୍ରଜବିହାରୀ କିଭଳି ଭାରତୀୟ ଦର୍ଶନ ଓ ଅଧ୍ୟାତ୍ମ ଚିନ୍ତନ ଉପରେ କଲମ ଚାଳନା କରି ବଲାଙ୍ଗିର ମାଟିକୁ ଧନ୍ୟ କରିଥିବା ସଂପର୍କରେ ଆଲୋଚନା କରିଥିଲା । ଆଲୋଚକ ଡ. ପୃଷେଠ୍‌ ତାଙ୍କ ବକ୍ତବ୍ୟରେ ବ୍ରଜବିହାରୀଙ୍କୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ସହ ତୁଳତା କରି ତାଙ୍କ ସମ୍ମାନରେ ଏକ ଡାକ ଟିକଟ ପ୍ରକାଶନ, ବଲାଙ୍ଗିର-ଖୋର୍ଦ୍ଧା ରେଳପଥ ଟ୍ରେନ୍‌କୁ ବ୍ରଜବିହାରୀ ଏକ୍ସପ୍ରେସ୍‌ ଭାବେ ନାମକରଣ କରିବା ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ବ୍ରଜବିହାରୀ ଚେୟାର ପ୍ରତିଷ୍ଠା କରାଯିବା ଦିଗରେ ପ୍ରସ୍ତାବ ରଖିଥିଲେ । ସଭା ସଂଚାଳନ କରିଥିଲେ କବି ରାଜୀବ ଲୋଚନ ଆଚାର୍ଯ୍ୟ । ଶ୍ରୋତାମାନଙ୍କ ମଧ୍ୟରୁ ଅଧ୍ୟାପକ କିଶୋର ପାଣିଗ୍ରାହୀ, ଏକ୍ସନ କମିଟି ସଭାପତି ଗୋପାଲଜୀ ପାଣିଗ୍ରାହୀ ଓ ଟଙ୍ଗିଆ ଜାମ୍‌ର ଅଧ୍ୟକ୍ଷ ଗୋପାଳ ହୋତା ବଲାଙ୍ଗିର ଦିବସର ଯଥାର୍ଥତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କବି ରତ୍ନମୟ ତ୍ରିପାଠୀ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାରସ୍ୱତ କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.