pakka

ସାହିତ୍ୟ ଗଙ୍ଗାର ଭଗିରଥ ବେଦ ବିଦ୍ୱାନ ବ୍ରଜବିହାରୀଙ୍କ ୧୦୨ତମ ଜୟନ୍ତୀ ସମାରୋହକୁ ବଲାଙ୍ଗିର ଦିବସ ଭାବେ ପାଳିତ

  • ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ବଲାଙ୍ଗିର

ଯୁଗେ ଯୁଗେ ଅବତାରୀ ପୁରୁଷ ମାନେ ଧରାପୃଷ୍ଠରେ ଜନ୍ମ ନେଇ ସମାଜର ବିଭିନ୍ନ କ୍ଷେତ୍ରକୁ ରୁଦ୍ଧିମନ୍ତ କରି ଗଢି ତୋଳିଥାନ୍ତି । ପାର୍ଥିବ ସୁଖ ସ୍ୱାଚ୍ଛ୍ୟନ୍ଦ, ନିନ୍ଦା, ପ୍ରଶଂସା ସେମାନଙ୍କ ଗତିପଥକୁ ରୋକି ପାରେନାହିଁ । ସେହିପରି ଜଣେ ଯୁଗ ପୁରୁଷ ସ୍ୱତନ୍ତ୍ର ଦର୍ଶନର ଯୁଗଦର୍ଶୀ ସାହିତ୍ୟ ଗଙ୍ଗାର ଭଗିରଥ ବଲାଙ୍ଗୀର ମାଟିର ବରପୁତ୍ର ବେଦ ବିଦ୍ୱାନ ବ୍ରଜବିହାରୀ ତା.୧୦.୧୦.୨୦୨୦ରେ ନିତ୍ୟାନନ୍ଦ ବହିଦାର ଏବଂ ରାଜକୁମାରୀ ଦେବୀଙ୍କ କୋଳମଣ୍ଡନ କରି ଭୂମିଷ୍ଟ ହୋଇଥିଲେ । ବ୍ରଜବିହାରୀ ତାଙ୍କ ଜୀବଦ୍ଦଶାରେ ବହୁ ପ୍ରତିକୂଳ ଅବସ୍ଥା ଦେଇ ଗତି କରିଥିଲେ ମଧ୍ୟ ସାହିତ୍ୟ ଜଗତକୁ ତାଙ୍କର ଅବଦାନ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ପୂଜ୍ୟପୂଜା ବିନା କୌଣସି ଜାତିର ଉତ୍‌ଥାନ ହୋଇପାରିନାହିଁ, ଏହା ଧୃବ ସତ୍ୟ ହୋଇଥିଲେ ମଧ୍ୟ ସ୍ରଷ୍ଟାଙ୍କ ସୃଷ୍ଟିକୁ ବହୁବିଧ ଚିତ୍ରିତ କରିଥିବା ଏକନିଷ୍ଠ ବ୍ରଜବିହାରୀଙ୍କ ସ୍ମୃତିକୁ ଉଦ୍‌ଜୀବିତ କରିବା ପାଇଁ ଆଜି ପର୍ୟ୍ୟନ୍ତ କୌଣସି ବହୁଧା ଉଦ୍ୟମ ହୋଇ ପାରିନାହିଁ । ତାଙ୍କର ବହୁ ଦାର୍ଶନିକ ତତ୍ତ୍ୱ ସମ୍ମିଳିତ ଚର୍ଚ୍ଚିତ ପୁସ୍ତକ ‘ଚିନ୍ତା’ ଉତ୍କଳ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ୧୯୬୫ ମସିହାରେ ସାମିଲ କରାଯାଇଥିଲା । ଏକ ଶାଖାରେ ଦୁଇ ପକ୍ଷୀ, କୁମୁଦ କୁମୁଦିନୀ ଭଳି ସାମାଜିକ ଉପନ୍ୟାସ ମାଧ୍ୟମରେ ବ୍ରଜବିହାରୀ ବିଧବା ବିବାହକୁ ସମର୍ଥନ କରି ତଥାକଥିତ ରୁଗ୍‌ଣ ପଂରମ୍ପରା ପ୍ରତି ଦୃଢ ଜବାବ ରଖିଯାଇଛନ୍ତି । ସେହିପରି ପ୍ରେମ ଓ ପରାଜୟ, ସତ୍ୟ ଓ କଳ୍ପନା, ଅଦୃଷ୍ଟର ପଦଧ୍ୱନି, କୂଳବଧୁ, ଋଷିକବି ବାଲ୍ମୀକି ପ୍ରଭୃତି ସାମାଜିକ ଉପାଦେୟ ପୁସ୍ତକ ରଚନା କରି କବି ଓଡିଶା ସରସ୍ୱତ କ୍ଷେତ୍ରକୁ ପଲ୍ଲବିତ କରିଯାଇଛନ୍ତି । ବ୍ରଜବିହାରୀଙ୍କ ବହୁ ମୂଲ୍ୟବାନ ପାଣ୍ଡୁଲିପି ବର୍ତ୍ତମାନ ସୁଦ୍ଧା ଅପ୍ରକାଶିତ ହୋଇ ରହିଯାଇଛି । କଠୋର ସତ୍ୟ, ଜ୍ଞାନ, ନାରୀ, ସ୍ପର୍ଶ ଓ ଦ୍ୱନ୍ଦ, ଇତିହାସ କଥା, ରାମାୟଣ କଥା, ରାମାୟନ କେନ, ମୁଁ ପ୍ରରିତ୍ୟକ୍ତା, ମହର୍ଷି ବାଲ୍ମୀକି, ଯୋଗୀ ଧୃବ, ମହାଭାରତ ଦର୍ଶନ, ରାମାୟଣରେ ରାଜନୀତି, ଶୃଙ୍ଗାର ସଂହାର, ଗୀତାରେ ବେଦ, ଆକବର କଣ ଯଥାର୍ଥରେ ମହାନ, ମହାବୀର ଜୈନ, ଜଟାୟୁ, ଦୁଷ୍ଟ ପାଇଁ ଦୁଷ୍ଟ ହେବା ଧର୍ମ, ରାମାୟଣ ସମୀକ୍ଷା, ଗୀତା ବିବେଚନା, ମହର୍ଷି ଦୟାନନ୍ଦ ପ୍ରଭୃତି ବିଭିନ୍ନ ରୁଚି ତଥା ଦୃଷ୍ଟିକୋଣର ୫୪ ଖଣ୍ଡ ପାଣ୍ଡୁଲିପି ରଚନା କରି ଦାର୍ଶନିକ ବ୍ରଜବିହାରୀ ସାହିତ୍ୟ ଜଗତକୁ ସ୍ୱକୀୟ ଜ୍ଞାନାଲୋକରେ ପ୍ରଜ୍ଜଳିତ କରି ଅମରତ୍ୱ ଲାଭ କରିଛନ୍ତି । କବି ତାଙ୍କ କଲମ ମୁନରେ ସାହିତ୍ୟ, ଇତିହାସ, ରାଜନୀତି, ବେଦ, ଉପନିଷଦ ଏବଂ ପୁରାଣ ବର୍ଣ୍ଣିତ ଯୋଗଜନ୍ମା ମାନଙ୍କ ବ୍ୟାଖ୍ୟା କରିଥିଲେ ମଧ୍ୟ ନିଜକୁ ପ୍ରଚାର ପ୍ରସାର ଠାରୁ ନିବୃତ ରଖିଥିଲେ । ସାରା ଜୀବନ ମାନବ ହିତରେ ବିତାଇ ଦେଇଥିବା ଏହି ଅଖ୍ୟାତ ଅଂଚଳର ବିଖ୍ୟାତ ମଣିଷଙ୍କୁ ସ୍ମରଣ କରିବା ପାଇଁ ତାଙ୍କର ଜୟନ୍ତୀ ଉତ୍ସବ ପାଳନ ବର୍ତ୍ତମାନ ପାଇଁ ଏକ କ୍ଷୁଦ୍ର ପ୍ରୟାସ ମାତ୍ର । ଛାତ୍ରବସ୍ଥାରେ ବ୍ରଜବିହାରୀ ସ୍ୱାଧୀନତା ଆନ୍ଦୋଳନର ପକ୍ଷଭୁକ୍ତ ହୋଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କର ଆଦର୍ଶ ରୂପେ ଗ୍ରହଣ କରିଥିଲେ । ଦେଶ ବିଭାଜନ ନୁହେଁ, ଅଖଣ୍ଡ ଭାରତର ପୂର୍ଣ୍ଣ ସ୍ୱରାଜ ପ୍ରତି ସେ ଦୃଢ ମତପୋଷଣ କରିଥିଲେ । ରାଷ୍ଟ୍ରର ସମସ୍ତ ସମ୍ପତ୍ତି କୌଣସି ବ୍ୟକ୍ତି ବିଶେଷଙ୍କ ନୁହେଁ, ଜନସାଧାରଣ ଆପଣା ଆପଣା ଯୋଗ୍ୟତାନୁସାରେ ରାଷ୍ଟ୍ରର ସେବା କରିବେ ଏବଂ ଆବଶ୍ୟକତାନୁସାରେ ଏହାର ଭୋଗ କରିବେ ବୋଲି ସେ ପ୍ରକାଶ କରୁଥିଲେ । ଏହି ସାମାଜିକ ନିୟମକୁ କିଛି ମୁଷ୍ଟିମେୟ ଅଗଣତାନ୍ତ୍ରିକ ଜନସାଧାରଣ ଭଙ୍ଗ କରୁଥିବାରୁ ବ୍ରଜବିହାରୀ ଗଭିର କ୍ଷୋଭ ପ୍ରକାଶ କରୁଥିଲେ । ଭୋଗ ଏବଂ ତ୍ୟାଗରୁ ଦୂରେଇ ରହି ସାଧାଜିକ ଉଦ୍‌ପୀଡନରୁ ଜନସାଧାରଣଙ୍କୁ ମୁକ୍ତି ଦେବାର ମନ୍ତ୍ରରେ ମନ୍ତ୍ରାୟିତ ହୋଇଥିବା ସାହିତ୍ୟ ରଥୀ ବ୍ରଜବିହାରୀଙ୍କୁ ଏ ଜାତି ଦେଇଛି କଣ ? ବର୍ତ୍ତମାନ ବ୍ରଜ ବିହାରୀଙ୍କ ମନ୍ତ୍ରମୁଗ୍ଧ ଉପାସକ ଏବଂ ବଲାଙ୍ଗିରର ସାମାଜିକ ଅନୁଷ୍ଠାନ ନେତାଜୀ ସଂଗ୍ରାମୀ ପରିଷଦର ମିଳିତ ପ୍ରଚେଷ୍ଟାରେ ଏହି ସାରସ୍ୱତ ସାଧକଙ୍କ ଜୟନ୍ତୀକୁ ‘ବଲାଙ୍ଗିର ଦିବସ’ ଭାବେ ପାଳନ କରି ତାଙ୍କର ସାହିତ୍ୟ ତଥା ଦର୍ଶନକୁ ଜନସାଧାରଣରେ ପରିପ୍ରକାଶ ପାଇଁ ପ୍ରଚେଷ୍ଟାରତ । ଏହି ମହାନ ସାଧକଙ୍କ ପାଣ୍ଡୁଲିପି ସମୂହକୁ ଓଡିଶା ସାହିତ୍ୟ ଏକାଡେମୀ ପ୍ରକାଶିତ କରି ବ୍ରଜବିହାରୀ ଜୟନ୍ତୀକୁ ରାଜ୍ୟସ୍ତରୀୟ ଭବ୍ୟ ସମାରୋହରେ ପାଳନ କଲେ ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।

Leave A Reply

Your email address will not be published.

18 − thirteen =