jayashree

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ପ୍ରସଙ୍ଗ : ବଲାଙ୍ଗିର ସାଂସଦଙ୍କୁ ଭେଟିଲେ ପୂର୍ବତନ ଛାତ୍ର ପ୍ରତିନିଧି ମଣ୍ଡଳୀ

ବଲାଙ୍ଗିର , (ଦେବାଶିଷ ମିଶ୍ର) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ସଙ୍ଗଠନର ଏକ ପ୍ରତିନିଧି ମଣ୍ଡଳୀ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଓ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଆଲୋଚନା କରିଛନ୍ତି । ବିଶେଷତଃ ଜମି ଓ ୟୁଜିସି ଅଧିନିୟମ ୧୯୫୬ ଧାରା ୧୨ (ବି) ମାନଦଣ୍ଡ ପୂରଣ ଦିଗରେ ପୁରାତନ ଛାତ୍ର ସଙ୍ଗଠନର ଅସୀମ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରବୀଣ କୁମାର ମିଶ୍ର ଓ ବରିଷ୍ଠ ଆଡଭୋକେଟ୍‌ ଭବାନୀ ଶଙ୍କର ଶତପଥି ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତାଙ୍କର ସହେଯାଗ ଲୋଡିଥିଲେ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାଁରେ ଏପର୍ଯ୍ୟନ୍ତ କୌଣସି ଜମିପଟ୍ଟା ବା ଆରଓଆର ନାହିଁ । ବଲାଙ୍ଗିରରେ ଏକ ପୂର୍ଣ୍ଣ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ଅତିକମ୍‌ରେ ୧୫୦ ଏକର ଜମି ଆବଶ୍ୟକ । ପୂର୍ବତନ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଏହି ଶିକ୍ଷାନୁଷ୍ଠାନକୁ ୨୪୮ ଏକର ଜମି ଦେଇଥିବା ଚର୍ଚ୍ଚା ହୁଏ । କିନ୍ତୁ, ଜମି ସଂକ୍ରାନ୍ତୀୟ କୌଣସି କାଗଜପତ୍ର ଏଯାଏଁ ହସ୍ତଗତ ହୋଇନାହିଁ । ଏଭଳି ସ୍ଥିତିରେ ସାଂସଦ ଓ ପୂର୍ବତନ ମନ୍ତ୍ରୀଙ୍କ ସହଯୋଗ କରିବାକୁ ପ୍ରତିନିଧି ମଣ୍ଡଳୀ ଅନୁରୋଧ କରିଥିଲେ । ଆହୁରି ୟୁଜିସି ଅଧିନିୟମ ୧୯୫୬ ଧାରା ୧୨ (ବି) ସ୍ୱୀକୃତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ସାଂସଦ ସିଂହଦେଓ ବିଶ୍ୱବିଦ୍ୟାଳୟର ୟୁଜିସି ୧୨ (ବି) ସ୍ୱୀକୃତି ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜିଲାପାଳ ଚଞ୍ଚଳ ରାଣାଙ୍କୁ ଜଣାଇବେ ବୋଲି କହିଥିଲେ । ଶିକ୍ଷାନୁଷ୍ଠାନର ଜମି ସଂକ୍ରାନ୍ତୀୟ କାଗଜପତ୍ର ନିମନ୍ତେ କଟକ ସ୍ଥିତ ରେକର୍ଡ ରୁମ୍‌ ଏବଂ ସମ୍ବଲପୁର ରାଜସ୍ୱ ବନ୍ଦୋବସ୍ତ କାର୍ଯ୍ୟାଳୟରେ ଖୋଜି ବାହାର କରିବାକୁ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରତିଶୃତି ଦେଇଥିଲେ । ଆଗାମୀ ଦିନରେ ବିଶ୍ୱ ବିଦ୍ୟାଳୟର ସମ୍ପୁର୍ଣ୍ଣ ଭିତ୍ତିଭୂମିର ବିକାଶ ସହିତ ସର୍ବାଙ୍ଗିନ ଉନ୍ନତି ଦିଗରେ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସାଂସଦ ଶ୍ରୀମତୀ ସିଂଦେଓ ଦୃଢ ଆଶ୍ୱାସନ ଦେବା ସହିତ ଅତିଶୀଘ୍ର ଏ ଦିଗରେ ବିଶ୍ୱ ବିଦ୍ୟାଳୟର କୂଳପତି, କୂଳ ସଚିବ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୟୁଜିସି ୨ ଏଫ୍‌ ସ୍ୱୀକୃତି ପାଇଁ କେନ୍ଦ୍ର ଉଚ୍ଚଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଅବଗତ କରିବା ତଥା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ପ୍ରଦାନରେ ତାଙ୍କର ଭୂମିକା ପାଇଁ ପ୍ରତିନିଧି ଦଳ ସାଂସଦ ସିଂହଦେଓଙ୍କୁ କୃତଜ୍ଞତା ଜଣାଇଥିଲେ । ଆଲୋଚନା ସମୟରେ ଭାଜପା ଜିଲ୍ଲା ସଭାପତି ତଥା ପୂର୍ବତନ ଛାତ୍ର ଶିବାଜୀ ମହାନ୍ତି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.