ଆଚଂଳିକ ଶାନ୍ତି କମିଟି ସମନ୍ୱୟ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ, ଜିଲ୍ଲା ଡେଲାଙ୍ଗ ବ୍ଲକର ସର୍ବ ବୃହତମ ଗ୍ରାମ ଘୋରଡିଆ । ଭିନ୍ନ ଭିନ୍ନ ସଂପ୍ରଦାୟ ଓ ଜାତିର ଲୋକ ବାସ କରୁଥିଲେ ମଧ୍ୟ ସାଂସ୍କୃତିକ ଭାଇଚାରାର ଏକ ଆଦର୍ଶ ପରମ୍ପରା ଗ୍ରାମରେ ରହିଛି । କିନ୍ତୁ ୨୦୧୭ ମସିହାରେ ସଂଘଟିତ ଏକ ଅଭାବନୀୟ ଘଟଣା କ୍ରମରେ ଏହି ଭାଇଚାରା ପ୍ରତିହତ ହୋଇଥିଲା । ଆଂଚଳିକ ବିକାଶ ହୋଇଥିଲା ପ୍ରଭାବିତ । ୫ଟି ପଂଚାୟତର କେତେକ ବ୍ୟକ୍ତି ଅପରାଧିକ ମାମଲାରେ ଛନ୍ଦି ହୋଇପଡିଥିଲେ । ଆଂଚଳିକ ଶାନ୍ତି, ସଦ୍‌ଭାବ ଓ ବିକାଶର ଧାରା ପୁନଃପ୍ରତିଷ୍ଠା ଲକ୍ଷ ନେଇ ସନ୍ନିକଟ ୫ ପଂଚାୟତ ଅନ୍ତର୍ଗତ ୧୪ଟି ଗ୍ରାମବାସୀଙ୍କ ବୈଠକ ରାଧା ମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟ୍ଟଣା, ଘୋରଡିଆ ପରିସରରେ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ସରପଂଚ ଦୁର୍ଯ୍ୟୋଧନ ସାହୁ ଓ ସୟେଦ ମହମ୍ମଦଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ସମାଜସେବୀ ରମେଶ ପାଟଶାଣୀ ଅଧ୍ୟକ୍ଷତା କରିଥିଲେ । ଡେଲାଙ୍ଗ ଥାନା ଅଧିକାରୀ ରଶ୍ମିରଂଜନ ପଟ୍ଟନାୟକ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହି ଶାନ୍ତି, ସଂହତି ଓ ବିକାଶ ପାଇଁ ପୃଥକ ସମିତି (କମିଟି)ଗଠନ କରି ପ୍ରକ୍ରିୟା ତ୍ୱରାନିତ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ବିସ୍ତୃତ ଆଲୋଚନା ପରେ ସବୁ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ୨୧ ଜଣିଆ ଉପଦେଷ୍ଟା ମଣ୍ଡଳି ଓ ୩୦ ଜଣିଆ କାର୍ଯ୍ୟକାରୀ ସମିତି ଗଠିତ ହୋଇଥିଲା । ଆଂଚଳିକ ବିକାଶ କମିଟିର ସଭାପତି ଭାବେ ପ୍ରକାଶ ଚନ୍ଦ୍ର ପାତ୍ର, ଉପସଭାପତି ଜାକୀର ଖାଁ, ସଂପାଦକ ରମେଶଚନ୍ଦ୍ର ପାଟଶାଣୀ, କାର୍ଯ୍ୟକାରୀ ସଂପାଦକ ଶଶିଶେଖର ରାୟ ଓ ସହସଂପାଦକ ସୟେଦ ମହମ୍ମଦଙ୍କୁ ମନୋନୀତ କରାଯାଇଥିଲା । ୮୫ ଏକର ପରିମିତ ଐତିହାସିକ ତରା ପୁଷ୍କରିଣୀର ପୁନରୁଦ୍ଧାର, ପ୍ରସିଦ୍ଧ ଦୟଣା ଚୋରି ଯାତ୍ରା, ମନ୍ଦିର ଓ ମସଜିଦର ସମ ବିକାଶ, ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଦୋକାନ ବଜାର ନିର୍ମାଣ ଆଦି ସଂପର୍କରେ ପ୍ରାଥମିକ ଆଲୋଚନା ହୋଇଥିଲା । ଏହି ବୈଠକରେ ସାଉରିଆ ସରପଂଚ ପ୍ରତିନିଧି ବିଜେଡିର ଆଦିକନ୍ଦ ରାଉତରାୟ, କଲ୍ୟାଣପୁର ସରପଂଚ ପ୍ରତିନିଧି ସଞ୍ଜୟ କୁମାର ଜେନା, ବିଧାନ ଚନ୍ଦ୍ର ରାୟ, ଯୁଧିଷ୍ଠିର ମାର୍ଥା , ୱାହିଦ୍‌ ଖାନ୍‌, ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, କଂଗ୍ରେସର ମଣ୍ଡଳ ସଭାପତି ତଥା ପୂର୍ବତନ ସରପଂଚ ରବୀନ୍ଦ୍ର ଦାସ, ଲଡୁ କିଶୋର ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଉପଦେଷ୍ଟା ସମିତିର ସଭାପତି ଭାବେ କମ୍ମୁର ମହମ୍ମଦ ଓ ଉପସଭାପତି ଭାବେ ଦୁର୍ଯ୍ୟୋଧନ ସାହୁଙ୍କୁ ମନୋନୀତ କରାଯାଇଥିଲା ।

Leave A Reply

Your email address will not be published.