- ପ୍ରେମିକ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ଝିଅର ବାପା
- ପ୍ରେମିକ ସହ ୩ଜଣ ଥାନାରେ ଅଟକ
ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଫାମରା ଗାଁରେ ପ୍ରେମିକ ରଜତ ପଧାନଙ୍କ ଘର ନିକଟରୁ ଗର୍ଭବତୀ ପ୍ରେମିକା ସୌଦାମିନୀ ନାଏକଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ ଡାକ୍ତରଖାନାଳୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରେମିକ ରଜତଙ୍କ ପରିବାର ଲୋକେ ବିଷଦେଇ ତାଙ୍କୁ ହତ୍ୟା କରିଥିବା ସଂପର୍କରେ ସୌଦାମିନୀଙ୍କ ବାପା ଦେଓଗାଁ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଥାନା କେସ ନଂ ୧୭୦ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଦେଓଗାଁ ଥାନା ଅନ୍ତର୍ଗତ ଅଫାମରା ଗାଁର ସୌଦାମିନୀ ଏବଂ ରଜତ ଭିତରେ ପ୍ରାୟ ୩ବର୍ଷ ହେଲା ପ୍ରେମ ସଂପର୍କ ଗଢ଼ିଉଠିଥିଲା । ମଙ୍ଗଳବାର ରାତିରେ ପ୍ରେମିକ ରଜତ ପ୍ରେମିକା ସୌଦାମିନୀଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଆସିଥିଲେ । ସୌଦାମିନୀଙ୍କ ସମ୍ପର୍କୀୟମାନେ ଦେଖି ଦେବାରୁ ସେଠାରୁ ସେ ଚମ୍ପଟ ମାରିଥିଲେ । ଉକ୍ତ ଘଟଣାକୁ ନେଇ ଯୁବତୀଙ୍କ ବାପା ରଜତର ଘରକୁ କଥାବାର୍ତା ହେବାକୁ ଯାଉଥିବା ବେଳେ ଅଭିଯୁକ୍ତ ରଜତ ସହ ତା ବାପା ଓ ଅନ୍ୟ ଜଣେ ତାଙ୍କୁ ଆକ୍ରମଣ କରିଥିଲେ । ଏହାକୁ ନେଇ ଯୁବତୀଙ୍କ ବାପା ବନ୍ଧପଡ଼ା ଫାଣ୍ଡିରେ ଏକ ଏତଲା ଦେଇଥିଲେ । ଏହାର ପର ଦିନ ସକାଳୁ ସୌଦାମିନୀ ଦୁଇମାସର ଗର୍ଭବତୀ ଥିବା ଜାଣିବା ପରେ ପରିବାର ଲୋକେ ପ୍ରେମିକର ଘରକୁ ନେଇ ତାଙ୍କୁ ଛାଡ଼ି ଦେଇଥିଲେ । କିନ୍ତୁ ବୁଧବାର ସକାଳୁ ସୌଦାମିନୀଙ୍କୁ ବିଷ ଦେଇ ଝିଅ ଘର ବାଡ଼ିପଟେ ପକାଇ ଚାଲି ଯାଇଥିଲେ ପ୍ରେମିକର ଘର ଲୋକେ । ସକାଳ ହେବା ପରେ ପରିବାର ଲୋକେ ତାଙ୍କ ଝିଅକୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକେ ଏନେଇ ପୁଲିସକୁ ଖବର ଦେଇ ଝିଅକୁ ବଲାଙ୍ଗିର ଡାକ୍ତରଖାନା ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ଜବତ କରି ଦେଓଗାଁ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରିବାର ଲୋକେ ଶବ ଦେଓଗାଁ ଥାନାକୁ ଆଣି ପ୍ରେମିକ ହତ୍ୟା କରିଥିବା ଲିଖିତ ଅଭିଯୋଗ କରିଥିଲେ । ଏହାସହ ଝିଅର ବାପା ପୂର୍ବରୁ ଅଭିଯୋଗ କରିବା ଅନୁସାରେ ତାଙ୍କୁ ଆକ୍ରମଣ କରିଥିବା ଝିଅର ପ୍ରେମିକ ସହ ୩ଜଣଙ୍କୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଏନେଇ ଥାନାଅଧିକାରୀ ବାମଦେବ ଶଙ୍ଖୁଆଳଙ୍କୁ ପଚାରିବାରୁ ଉଭୟ ପଟରୁ ଅଭିଯୋଗ ହୋଇଛି, ମାମଲା ରୁଜ୍ଜୁ କରି ତଦନ୍ତ ଚାଲିଛି ବୋଲି ସେ କହିଥିଲେ ।