ଗଣ୍ଡାବଜା ପତ୍ରିକାର ୪ର୍ଥ ସ୍ୱନକ୍ଷତ୍ର ସମାରୋହ

  • ସମାଜରେ ଲଢେଇ ଅପେକ୍ଷା ସଚେତନତାର ଆବଶ୍ୟକତା ରହିଛି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମାଜରେ ଦଳିତଙ୍କ ଅଧିକାର ରକ୍ଷା ପାଇଁ ଲଢେଇ ଅପେକ୍ଷା ସଚେତନତାର ଆବଶ୍ୟକତା ଅଧିକ ରହିଛି । ସେହି ପରିପ୍ରେକ୍ଷୀରେ ନିସ୍ପେଷିତଙ୍କ ଅଧିକାର ପାଇଁ ଲଢିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଗଣ୍ଡାବଜା ପତ୍ରିକା ଏବେ ଏକ ଦଳିତ ଅଧିକାର ଆନ୍ଦୋଳନରେ ପରିଣତ ହୋଇଛି ବୋଲି ଆଜି ଗଣ୍ଡାବଜା ପତ୍ରିକାର ୪ର୍ଥ ସ୍ୱନକ୍ଷତ୍ର ସମାରୋହରେ ମତ ପ୍ରକାଶ ପାଇଛି । ତେବେ ଗଣ୍ଡାବଜା ପତ୍ରିକା ଦଳିତ ନିସ୍ପେଷିତଙ୍କ ପାଇଁ ଲଢେଇ ଜାରି ରଖିବା ସହ ସମାଜରେ ସଚେତନତାର ବାର୍ତ୍ତାବହ ହେବ ବୋଲି ପତ୍ରିକାର ସଂପାଦକ ତ୍ରିଲୋଚନ ନନ୍ଦ କହିଛନ୍ତି ।
ଗଣ୍ଡାବଜା ପତ୍ରିକାର ସଂପାଦକ ତ୍ରିଲୋଚନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ମୁଖ୍ୟ ବକ୍ତା ଓ ଟିଭିର ବ୍ୟୁରୋ ଚିଫ୍‌ ସମ୍ବାଦିକ ମନୋରଞ୍ଜନ ଯୋଷୀ, ସ୍ୱତନ୍ତ୍ର ଅତିଥି ଡା. ବେଣୁଧର ପାଣ୍ଡେ, ସମ୍ମାନୀତ ଅତିଥି ଭାବେ ଓକିଲ ପ୍ରମୋଦ ବହିଦାର, ସମାଜିକ କର୍ମୀ ଶ୍ରୀମତି ସୁଷମା ବଏ ଓ ପଶ୍ଚିମ ଓଡିଶା ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତି ସବିତା ନନ୍ଦ ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା ସମ୍ବାଦିକ କୁନା ବାଗ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡା. ବାବା ସାହେବ ଆଦେଦକର ଓ ସନ୍ଥକବି ଭୀମ ଭୋଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ଭ ହୋଇଥିଲା । ସମସ୍ତ ଅତିଥିଙ୍କୁ ଗଣ୍ଡାବଜା ପରିବାର ତରଫରୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରାଯିବା ପରେ ମଞ୍ଚ ପରିଚାଳକଙ୍କ ଅନୁରୋଧ ଅନୁସାରେ ବକ୍ତାମାନେ ନିଜସ୍ୱ ବକ୍ତବ୍ୟ ରଖିଥିଲେ । ଓକିଲ ପ୍ରମୋଦ ନିଜ ଅବିଭାଷଣରେ ଏକ ଜାତି ବିହିନ ସମାଜ ହିଁ ପ୍ରକୃତରେ ସମାଜରେ ଦଳିତ ପ୍ରଥାର ଅନ୍ତରେ ସହାୟକ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ଶ୍ରୀମତି ନନ୍ଦ ଦଳିତଙ୍କ ଉନ୍ନତି ପାଇଁ ସବୁ ବର୍ଗରେ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରାଚୀନ କାଳରୁ ଭାରତରେ ଗଣତନ୍ତ୍ର ଥିବାର ଅନେକ ପ୍ରମାଣ ମିଳେ । ସେ ସମୟରେ ଜାତି ବର୍ଗ ନିର୍ବିଶେଷରେ ଲୋକେ ମହତ୍ତା ପାଇ ପାରୁଥିଲେ । ତେବେ ସମାଜକୁ ପୁଣି ସେହି ଦିଶା ଦେବାକୁ ହେଲେ ସଚେତନତାର ଢେର ଅବଶ୍ୟକତା ରହିଛି ବୋଲି ମୁଖ୍ୟବକ୍ତା ଶ୍ରୀ ଯୋଷି ବକ୍ତବ୍ୟ ରଖିଥିଲେ । ଏକ ସୁସମାଜ ଗଠନରେ ସର୍ବଶିକ୍ଷା ସହିତ ମାଗଣା ସ୍ୱାସ୍ଥ୍ୟସେବାର ମହତ୍ୱ ଉପରେ ଡା. ପାଣ୍ଡେ ଆଲୋକପାତ କରିଥିଲେ । ଦଳିତଙ୍କୁ ଅଧିକାର ଦେଇଥିବା ସମ୍ବିଧାନ ଆଜି ଖୋଦ ବିପଦରେ ରହିଛି । ଦଳିତ ନିସ୍ପେଷିତଙ୍କ ଅଧିକାରର ରକ୍ଷା ପାଇଁ ସମ୍ବିଧାନର ସୁରକ୍ଷା ପ୍ରତି ସମସ୍ତେ ସଚେତନ ହେବା ଜରୁରି । ସମାଜରେ ଦଳିତଙ୍କ ପାଇଁ ଲଢେଇ ଅପେକ୍ଷା ସମାଜରେ ସଚେତନତାର ଆବଶ୍ୟକତା ରହିଛି । ଗଣ୍ଡାବଜା ଏକ ପତ୍ରିକାରୁ ଆରମ୍ଭ ହୋଇ ଏବେ ଦଳିତ ସଚେତନତାର ବାର୍ତ୍ତାବହ ହୋଇ ପାରିଛି ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଏହି ଅବସରରେ ଦଳିତଙ୍କ ଅଧିକାର ପାଇଁ ବିଭିନ୍ନ କ୍ଷେତ୍ରରେ ଲଢେଇ କରୁଥିବା ସାମ୍ବାଦିକ ଦେବାଶିଷ ମିଶ୍ର, ସାମ୍ବାଦିକ ପୁର୍ଣ୍ଣଚନ୍ଦ୍ର ପଣ୍ଡା, ପବିତ୍ର ଦେହୁରୀ, ଯୁଗଲାଲ ନନ୍ଦ, ହେମସାଗର ନାଗ, ଦେବରାଜ ଛତ୍ରିଆଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ତରଣୀ ସେନ ଦୀପ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.