jayashree

ସମାଜସେବୀଙ୍କ ହସ୍ତକ୍ଷେପ ପରେ କବିତାଙ୍କ ପରିବାରକୁ ମିଳିଲା ଆର୍ଥିକ ସହାୟତା

ନୟାଗଡ : ସରକାର ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ତାହା ପ୍ରକୃତ ହିତାଧିକାରୀଙ୍କ ପାଖକୁ ପହଂଚିପାରେ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ନୟାଗଡ ଜିଲ୍ଲା ଆଦିବାସୀ ଗାଁ କରଚୁଲିର କବିତାଙ୍କ ପରିବାରରେ । ସୂଚନା ଅନୁସାରେ ବେସାହାରା ଭାବେ ଜରିପାଳ ତଳେ ମୁଣ୍ଡ ଗୁଞ୍ଜି ରହିଥିବା କବିତା ପ୍ରଧାନଙ୍କ ପାଇଁ ଯେମିତି ପକ୍କାଘର ସାତସପନ ପାଲଟି ଯାଇଥିଲା । ଘର ଖଣ୍ଡେ ପାଇଁ କବିତା ଅନେକ ଅଫିସରଙ୍କୁ ନିବେଦନ କରିଥିଲେ ସୁଧା କେହି ଶୁଣି ନଥିଲେ । ନୂଆଗାଁ ବ୍ଲକ ଜୋକେଡା ପଞ୍ଚାୟତ କରଚୁଲି ଗାଁର କବିତାଙ୍କ ପରିବାର କହିଲେ ସେ ଓ ତାଙ୍କ ୫ ସନ୍ତାନ । ସ୍ୱାମୀ ତାଙ୍କୁ ଛାଡି ଅନ୍ୟତ୍ର ବାହା ହୋଇ ରହିଲେ । ଫଳରେ ପାଞ୍ଚ ସନ୍ତାନଙ୍କୁ ବଂଚେଇବା ପାଇଁ ବହୁତ ସଂଘର୍ଷ କରୁଛନ୍ତି । ମୂଳ ଲାଗିଲେ ପରିବାର ଚଲେ ନଚେତ ଭୋକ ଉପାସରେ ମଧ୍ୟ ରହିଯାଆନ୍ତି । ପରିବାରକୁ ସରକାରୀ ସୁବିଧା କହିଲେ ଏକ ରାସନ କାର୍ଡ ମିଳିଛି । ଯାହା ତାଙ୍କର କୌଣସି ଛୁଆ ରୋଗରେ ପଡିଲେ ରାସନ କାର୍ଡକୁ ବନ୍ଧକ ରଖିଥାନ୍ତି । ଘର ପାଇଁ ଅନେକ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ସେ ବିଭିନ୍ନ ଗଣମାଧ୍ୟମରେ କହୁଥିବା ଖବର ସମାଜସେବୀ ଯଶୋବନ୍ତ ରଣାଙ୍କ ନଜରରେ ପଡିଥିଲା । ଏହି ବିଷୟରେ ତଥ୍ୟ ସଂଗ୍ରହ କରି ସମାଜସେବୀ ଯଶୋବନ୍ତ ରଣା ନୟାଗଡ ଜିଲ୍ଲାପାଳ, ମହିଳା ଓ ଶିଶୁ ବିକାଶ ବିଭାଗ, ନୂଆଗାଁ ବିଡ଼ିଓ, ମନ୍ତ୍ରୀ ପ୍ରତାପ ଜେନା, ପଞ୍ଚାୟତୀରାଜ ବିଭାଗ, ମନ୍ତ୍ରୀ ଟୁକୁନି ସାହୁଙ୍କୁ ଏହି ସମସ୍ୟା ବିଷୟରେ ଅବଗତ କରାଇ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ଜିଲ୍ଲାପାଳଙ୍କ ନିଦ୍ଦେଶରେ ନୂଆଗାଁ ବିଡ଼ିଓ ଏହାର ତଦନ୍ତ କରି ତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରତିଶୃତି ଅନୁସାରେ ତାଙ୍କୁ ମାସିକ ୫ସହ ବିଧବା ଭତ୍ତା ଓ ଖୁବ ଶୀଘ୍ର ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି । କବିତାଙ୍କ ଅନୁମତିରେ ତାଙ୍କର ୩ ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ କୌଣସି ଏକ ଆଶ୍ରମ ବିଦ୍ୟାଳୟରେ ରଖି ପଢ଼ିବାର ବ୍ୟବସ୍ଥା କରିଥିବା ସୂଚନା ମିଳିଛି । ଶିଶୁମାନଙ୍କ ପଢ଼ିବାର ସମସ୍ତ ଖର୍ଚ୍ଚ ଓ ଅନ୍ୟାନ୍ୟ ସୁବିଧା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବୁଝିବ । ସେହିପରି ଜାତୀୟ ପରିବାର ମଙ୍ଗଳ ଯୋଜନାରେ କବିତାଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି ବୋଲି ନୟାଗଡ ଜିଲ୍ଲାପାଳ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି । ଯଶୋବନ୍ତଙ୍କ ଏହିପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଢେରସାରା ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.