ଆଇଆରଇଏଲ କମ୍ପାନୀରେ ସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀଙ୍କୁ କମ୍ପାନୀରେ ନିଯୁକ୍ତି ଦାବୀର ନ୍ୟାୟ ମିଳୁନଥିବା ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇଆରଇଏଲ(ଇଣ୍ଡିଆ) କମ୍ପାନୀରେ ସ୍ଥାୟୀ ଭାବେ କାର୍ଯ୍ୟରତ ଥାଇ ମୃତ ଶ୍ରମିକଙ୍କ ଉତ୍ତରାଧିକାରୀଙ୍କୁ କମ୍ପାନୀରେ ନିଯୁକ୍ତି ପ୍ରଦାନ କରିବାରେ କମ୍ପାନୀ କର୍ତ୍ତୃପକ୍ଷ ଜାଣିଶୁଣି ଅବହେଳା କରୁଛନ୍ତି ବୋଲି ମୃତ ଶ୍ରମିକଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ମୃତ ଶ୍ରମିକଙ୍କ ପରିବାର ପକ୍ଷରୁ ବହୁବାର ଆନ୍ଦୋଳନ କରାଯାଇଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଏ ପର୍ଯ୍ୟନ୍ତ ଉଚିତ ନ୍ୟାୟ ଦେଇପାରିନି । ସେମାନଙ୍କ ହକ୍ ନିମନ୍ତେ ଆନ୍ଦୋଳନକୁ ଜୋରଦାର କରାଯିବା ନିମନ୍ତେ ମୃତ ଶ୍ରମିକଙ୍କ ପରିବାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ରବିବାର ମୃତ ଶ୍ରମିକଙ୍କ ପରିବାରର ସଦସ୍ୟ ମାନେ ଭାରତୀୟ ମଜଦୁର ସଂଘର ରାଜ୍ୟ ନେତାଙ୍କ ସହଯୋଗ ଲୋଡିଛନ୍ତି । ଆଇଆରଇଏଲ(ଇଣ୍ଡିଆ) କମ୍ପାନୀ କର୍ମଚାରୀ ସଂଘର ଏକ ବୈଠକରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଗିରିଶ୍ ଚନ୍ଦ୍ର ମହନ୍ତ ଓ ରାଜ୍ୟ ଉପସଭାପତି ୱାଇ. ଶ୍ରୀନିବାସ ରାଓ ଯୋଗ ଦେଇଥିବା ବେଳେ ମୃତ ଶ୍ରମିକଙ୍କ ପରିବାର ସଦସ୍ୟ ମାନେ ସେମାନଙ୍କୁ ଭେଟି ସେମାନଙ୍କ ଦାବୀ ସଂପର୍କରେ ଅବଗତ କରାଇଥିଲେ । ଏହା ସହିତ କମ୍ପାନୀ କର୍ତ୍ତୁପକ୍ଷର ଟାଳଟୁଳ ନୀତି ଏବଂ ଜାଣିଶୁଣି ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ କରାଯାଉ ନାହିଁ ବୋଲି ସେମାନେ ଆଲୋଚନା ବେଳେ କହିଥିଲେ । ସର୍ବୋପରି ବହୁବାର ଦାବୀ ଓ ଆନ୍ଦୋଳନ କରି ଆସିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ, ତେଣୁ ପରିବାରବର୍ଗଙ୍କ କ୍ଷୋଭ ପ୍ରକାଶ କରିଛନ୍ତି । ପରିବାର ବର୍ଗଙ୍କ ସହ ସମସ୍ତ ବିଷୟ ଆଲୋଚନା କଲାପରେ ଆଇଆରଇଏଲ(ଇଣ୍ଡିଆ) କର୍ତ୍ତୁପକ୍ଷଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରାଯିବ ବୋଲି ମଜଦୁର ସଂଘର ଉଭୟ ରାଜ୍ୟ ନେତା ଆଶ୍ୱାସନା ଦେଇଥିଲେ । ଏହି ଆଲୋଚନା ବେଳେ ତପନ କୁମାର ପାତ୍ର, ସୁଶାନ୍ତ ନାୟକ, ଜିତୁ ରଣସିଂ, ଶିବ ପ୍ରସାଦ, ଏସ୍. ଦୁର୍ଯ୍ୟୋଧନ, ଆଶିଷ ମହାପାତ୍ର, ନବୀନ ଚନ୍ଦ୍ର ନାୟକ, ପ୍ରଦୀପ ପ୍ରଧାନ, ରବୀନ୍ଦ୍ର ନାଥ ବେହେରା, ସନ୍ତୋଷ ପୁଣ୍ଡି, ପି.କବିରାଜଙ୍କ ସମେତ ୪୦ରୁ ଉର୍ଦ୍ଧ୍ୱ ମୃତ ଶ୍ରମିକଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.