oom

ଜଳଛତ୍ରରେ ଅଢେଇ ମାସ ତୃଷାର୍ତ୍ତଙ୍କ ତୃଷା ମେଣ୍ଟାଇ ପାଉଣା ପାଇଁ ହେଲେ ହଟହଟା

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମାସମାସ କାମକରି ମଧ୍ୟ ପାଉଣା ନପାଇ ଶେଷରେ ନିରାଶ ହୋଇ ଶ୍ରମିକ ମାନେ ନିଜ ଘରକୁ ଫେରିଥାନ୍ତି, ମାତ୍ର ସେହି ଶ୍ରମିକ ନିଜ ମାଟିରେ ନିଜ ଲୋକଙ୍କ ଦ୍ଵାରା ଯଦି ଏପରି ଶୋଷିତ ହୁଏ ତେବେ ତା’ଠାରୁ ଆଉ ଦୁର୍ଭାଗ୍ୟ ବା କଣ ହୋଇପାରେ । ଗ୍ରୀଷ୍ମ ଋତୁରେ ଦୀର୍ଘ ଅଢେଇ ମାସ ପର୍ଯ୍ୟନ୍ତ ପଞ୍ଚାୟତ ଦ୍ୱାରା ଦିଆଯାଇଥିବା ଜଳଛତ୍ରରେ ମଜୁରି କାମ କରିବା ପରେ ମଧ୍ୟ କାମ କରିଥିବା ଦିନ ମଜୁରିଆ ବୃଦ୍ଧ ଓ ବୃଦ୍ଧାଙ୍କୁ ତାଙ୍କର ପାରିଶ୍ରମିକ ଦିଆଯାଉ ନଥିବା ନେଇ ବରଗଡ ଜିଲ୍ଲାପାଳଙ୍କଠାରେ ଅଭିଯୋଗ ଜଣାଇଲେ ଏସ୍‌. ଡୁମେରପାଲି ଗ୍ରାମର ୭ ଜଣ ବୃଦ୍ଧ ମହିଳା ଓ ପୁରୁଷ ।

ସୂଚନା ଅନୁସାରେ ବରଗଡ ସଦର ବ୍ଲକ ଅନ୍ତର୍ଗତ ଏସ୍‌. ଡୁମେରପାଲି ଗ୍ରାମର ଘଟଣା, ଗତ ଗ୍ରୀଷ୍ମ ଋତୁରେ ଜଳଛତ୍ରରେ ପାଣି ବଣ୍ଟନ କରିବା ପାଇଁ ଏସ୍‌. ଡୁମେରପାଲି ଗ୍ରାମପଞ୍ଚାଯତର ପିଇଓ ଏବଂ ସରପଞ୍ଚ ସଇରେନ୍ଦ୍ରି ଶିକା ବିଭିନ୍ନ ଗ୍ରାମରେ ଜଳଛତ୍ରମାନଙ୍କରେ ପାଣି ବଣ୍ଟନ ପାଇଁ କହିଥିଲେ ଏବଂ ବଦଳରେ ଦୈନିକ ୩୦୦ଟଙ୍କା ଲେଖାଏଁ ମଜୁରି ଦେବାକୁ କହିଥିଲେ । ତେବେ ଗତ ଅପ୍ରେଲ ୧ ତାରିଖରୁ ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ଖରା ଝାଞ୍ଜିରେ ଦିନସାରା ଜଳଛତ୍ରରେ ପାଣି ବଣ୍ଟନ କରି ଆସିଥିଲେ ୫ ଜଣ ବୃଦ୍ଧ ଓ ୨ ଜଣ ବୃଦ୍ଧା । ମହାମାରୀ ସମୟରେ ବଞ୍ଚିବା ପାଇଁ ଦୁଇ ପଇସା ପାଇବା ଆଶାରେ କାମ କରି ଚାଲିଥିଲେ ସମସ୍ତେ । କିଏ ୭୦ ବର୍ଷ ବୟସର ବୃଦ୍ଧ ଏବଂ କେତେକ ଅସହାୟ ମହିଳା ରହିଥିବା ବେଳେ ସମସ୍ତଙ୍କ ଅବସ୍ଥା କହିଲେ ନସରେ । ଦୀର୍ଘ ଅଢେଇ ମାସ ହେଲା ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ଆଦୌ ତାଙ୍କର ପାଉଣା ଦିଆଯାଇନଥିବା ଅଭିଯୋଗ ହେଉଛି । ସରପଞ୍ଚ ନିକଟକୁ ଯେତେ ଦୌଡିଲେ ମଧ୍ୟ ଦିନ ଗଡିଯାଉଛି ହେଲେ ପଇସା ମିଳୁନଥିବା ଅଭିଯୋଗ ହେଉଛି । ସେମାନଙ୍କୁ ଅଢେଇ ମାସ ପର୍ଯ୍ୟନ୍ତ ଜଣେ ଲେଖାଏଁ ଶ୍ରମିକଙ୍କର ପାଉଣା ୨୨ ହଜାର ଟଙ୍କା ଜଣ ପିଛା ହେଉଥିବା ବେଳେ ଟଙ୍କାଟିଏ ମଧ୍ୟ ଦିଆଯାଇନଥିବା ଅଭିଯୋଗ ହେଉଛି । ଶେଷରେ ଆଜି ବରଗଡ ଜିଲ୍ଲାପାଳଙ୍କ ନିକଟକୁ ବାଧ୍ୟହୋଇ ଏକ ଟେମ୍ପୋ ସାହାଯ୍ୟରେ ୭୦୦ ଟଙ୍କା ଖର୍ଚ୍ଚ କରି ଆସି ଅଭିଯୋଗ ଜଣାଇଛନ୍ତି ସମସ୍ତେ । ଗ୍ରୀଷ୍ମର ଖରା ଝାଞ୍ଜିରେ ଯେଉଁମାନେ ତୃଷାର୍ଥଙ୍କୁ ପାଣି ପିଆଇ ଥିଲେ ଆଜି ସେମାନେ ନିଜେ ତୃଷାର୍ଥ ହୋଇପଡିଛନ୍ତି ତାଙ୍କ ପାରିଶ୍ରମିକ ପାଇଁ ଏବଂ ଚାତକ ପକ୍ଷୀ ପରି ଅନାଇ ବସିଛନ୍ତି ଯେ, କେବେ ସେମାନେ ତାଙ୍କର ପାଉଣା ପାଇବେ । ରାଜ୍ୟର ଗରିବ ଶ୍ରମିକ ଅନ୍ୟରାଜ୍ୟକୁ ଯେପରି ଦାଦନ ଖଟି ନଯିବେ ସେନେଇ ସରକାର ଅନେକ ଯୋଜନା କରି ଶ୍ରମିକଙ୍କୁ କାମ ଯୋଗେଇ ଦେଉଛନ୍ତି । ମାତ୍ର ଶ୍ରମିକଙ୍କୁ ଏପରି ବିନା ଅର୍ଥରେ କାମ ଯୋଗେଇ ଶୋଷଣ କଲେ କଣ ଶ୍ରମିକ ନିଜ ରାଜ୍ୟରେ ରହିବେ, ନାଁ ଦାଦନ ଖଟି ଯିବା ଉତ୍ତମ ମନେ କରିବେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ତେଣୁ ତୁରନ୍ତ ଏ ବିଷୟରେ ଏକ ବିଭାଗୀୟ ତଦନ୍ତ କରାଯାଉ ଓ ସେମାନଙ୍କୁ ତାଙ୍କର ପାରିଶ୍ରମିକ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି ।

jittmm
Leave A Reply

Your email address will not be published.